ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜରଙ୍କ ଘରୁ ଲୁଟିଲେ ଦୁର୍ବୁତ୍ତ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ଭକ୍ତସାଲେବେଗ ନଗର ଅନ୍ତର୍ଗତ ତାଲାବନ୍ଦ ରହିଥିବା ଘର ନମ୍ବର ବି/୮୧ର ତାଲା ଭାଙ୍ଗି ଦୁର୍ବୁତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା,ରୁପା ଓ ଟଙ୍କା ଲୁଟି ନେଇଥିବା ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁଯାୟୀ ଭକ୍ତସାଲେବେଗ ନଗର ଘର ନମ୍ବର ବି/୮୧ରେ ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ଜ୍ୟୋତି ପ୍ରକାଶ ବେହେରା ରହୁଥିବା ବେଳେ ଗତ ୨୨ ତାରିଖରେ କୌଣସି କାମରେ ସପରିବାର ଘରେ ତାଲା ପକାଇ ମାଲକାନଗିରି ଯାଇଥିଲେ। ଘରର ଦେଖାଶୁଣା କରିବା ପାଇଁ ପୁତୁରା ଅମିତ୍ କୁମାର ସାହୁଙ୍କୁ ଘର ଦାୟିତ୍ବ ଦେଇଥିଲେ, କିନ୍ତୁ ଅମିତଙ୍କ କୈାଣସି ଜରୁରୀ କାର୍ଯ୍ୟ ରହିବା ଯୋଗୁଁ ସେ ଘରେ ରହି ପାରିନଥିଲେ, ଯାହାର ସୁଯୋଗ ନେଇ ୨୭ ତାରିଖ ରାତିରେ ଦୁର୍ବୁତ୍ତମାନେ ତାଲା ଭାଙ୍ଗି ଘରେ ପଶି ଘରେ ଥିବା ସୁନା ନେକ୍ ଲେସ୍ ଦୁଇ ହଳ, ମୁଦୀ ଚାରୋଟି, ଲକେଟ୍ ଚାରୋଟି, ଚେନ୍ ଗୋଟିଏ, ଲକେଟ୍ ଲାଗିଥିବା ଚେନ୍ ଦୁଇଟି, ମୁଥୁନ୍ କଏନ୍ ଦୁଇଟି, ରୂପା ପାଉଁଚି ତିନି ସେଟ୍ ଓ ନଗଦ ୭୩ ହଜାର ଟଙ୍କା ପ୍ରାୟ ୧୦ ଲକ୍ଷ ଟଙ୍କାର ସମ୍ପତି ଲୁଟି ନେଇଥିଲେ।

ଘଟଣା ନେଇ ଅମିତ ୨୮ ତାରିଖ ସକାଳୁ ଏହି କଥା ବାହାରେ ରହୁଥିବା ଦାଦା ଜ୍ୟୋତି ପ୍ରକାଶଙ୍କୁ ଖବର ଦେଇଥିଲେ। ଘରେ ପହଞ୍ଚି ସବୁ ଦେଖିବା ପରେ ଜ୍ୟୋତି ପ୍ରକାଶ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୁଲିସ କେସ୍ ନମ୍ବର ୭୧/୨୨ରେ ଏକ ମାମଲା ରୁଜୁ କରିବା ସହ ଏସଆଇ ଟଙ୍କଧର ଦେସାରି, ଜୟଚନ୍ଦ୍ର ମଲ୍ଲିକ, ଏଏସଆଇ ବି.ତିରୁପତି ରାଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରେ ସାଇଟିଫିକ୍ ଟିମ୍ ଓ ଡ଼ଗ୍ ସ୍କାଡ୍ ପହଞ୍ଚି ତଦନ୍ତ କରିଥିବା ପୁଲିସ ସୂଚନା ଦେଇଛି।

Comments are closed.