ଜନ୍ମ ପ୍ରମାଣ ପତ୍ର ପାଇଁ ଲାଞ୍ଚ ନେଇ ଧରାପଡିଲେ ହେଲଥ ସୁପରଭାଇଜର

ଗୋପାଳପୁର: ଜନ୍ମ ପ୍ରମାଣପତ୍ର ପାଇଁ ଲାଞ୍ଚ ନେଇ ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ହାତରେ ଧରା ପଡି ଗିରଫ ହୋଇଛନ୍ତି। ଗଞ୍ଜାମ ଜିଲା ଗୋପାଳପୁର ନିର୍ବାଚନମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କେଲୁଆପଲ୍ଲୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ହେଲଥ ସୁପରଭାଇଜର ବାଳକୃଷ୍ଣ ପାଢ଼ୀ ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି। ଭିଜାଲାନ୍ସ ଟିମ ପକ୍ଷରୁ ଏକ ମାମଲା ନଂ ୦୫/୨୨ ରୁଜୁ କରିଛନ୍ତି। ଭିଜିଲାନ୍ସ ପକ୍ଷରୁ ଅଭିଯୁକ୍ତ ଶ୍ରୀ ପାଢ଼ୀଙ୍କୁ ଗିରଫ ସହିତ ତାଙ୍କର ସରକାରୀ କାର୍ୟ୍ୟାଳୟରୁ କାଗଜପତ୍ର ଜବତ କରାଯାଇଛି। ସେହିପରି ଶ୍ରୀ ପାଢ଼ୀଙ୍କ ଗୋଷାଣୀ ନୂଆଗାଁ ସ୍ଥିତ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜାଲାନ୍ସ ଚଢ଼ାଉ ଜାରି ରଖିଛି ବୋଲି ଏସପି ତ୍ରିଲୋଚନ ସ୍ବାଇଁ ସୂଚନା ଦେଇଛନ୍ତି। କେଲୁଆପଲ୍ଲୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମଲଟି ପରପୋଜ୍ ହେଲଥ୍ ସୁପରଭାଇଜର ବାଳକୃଷ୍ଣ ପାଢ଼ୀ ସୋମବାର ଏକ ଜନ୍ମ ପ୍ରମାଣପତ୍ର ଦେବା ପାଇଁ ଆବେଦନକାରୀଙ୍କ ଠାରୁ ଦୁଇ ହଜାର ଟଙ୍କା ଲାଞ୍ଚ ଟଙ୍କା ନେବା ବେଳେ ଧରା ପଡ଼ିଛନ୍ତି ବୋଲି ଭିଜିଲାନ୍ସ ଏସପି ତ୍ରିଲୋଚନ ସ୍ବାଇଁ ସୂଚନା ଦେଇଛନ୍ତି ।

ପ୍ରକାଶ ଯେ ଗୋଳନ୍ଥରା ଥାନା ଅନ୍ତର୍ଗତ ହନ୍ତୁଳୁ ଗ୍ରାମର କେ.ହରିକୃଷ୍ଣ ରେଡ଼ି ନିଜ ଝିଆରୀଙ୍କ ଜନ୍ମ ପ୍ରମାଣପତ୍ର ପାଇଁ ରଙ୍ଗେଇଲୁଣ୍ଡା ବ୍ଳକ ଅନ୍ତର୍ଗତ କେଲୁଆପଲ୍ଲୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଲଟି ପରପୋଜ ହେଲଥ୍ ସୁପରଭାଇଜର ଶ୍ରୀ ପାଢ଼ୀଙ୍କୁ ଭେଟିଥିଲେ। ଏଥିପାଇଁ ତାଙ୍କୁ ୫ ହଜାର ଟଙ୍କା ସେ ଲାଞ୍ଚ ମାଗିଥିଲେ। ଆବେଦନକାରୀ ହରିକୃଷ୍ଣ ଦୁଇ ହଜାର ଟଙ୍କା ଦେବା ପାଇଁ ସ୍ଥିର ହୋଇଥିଲା। ସେ ଏନେଇ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ଯୋଜନା ମୁତାବିକ ହରିକୃଷ୍ଣ ସୋମବାର ଅପରାହ୍ନରେ ଉପରୋକ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ସୁପରଭାଇଜର ଶ୍ରୀ ପାଢ଼ୀଙ୍କୁ ଭେଟିଥିଲେ। ଦାବି ମୁତାବିକ ଦୁଇ ହଜାର ଟଙ୍କା ସେ ହେଲଥ୍ ସୁପରଭାଇଜର ଶ୍ରୀ ପାଢ଼ୀଙ୍କୁ ଦେଇଥିଲେ। ସେଠାରେ ଛକି ରହିଥିବା ଭିଜିଲାନ୍ସ ଟିମ ଚଢ଼ାଉ କରି ସୁପରଭାଇଜରଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ। ଏହାପରେ ସେଠାରୁ ଭିଜିଲାନ୍ସ ଟିମ ଏ ସମ୍ପର୍କିତ କାଗଜପତ୍ର ଜବତ କରିବା ସହ ହେଲଥ୍ ସୁପରଭାଇଜର ଶ୍ରୀ ପାଢ଼ୀଙ୍କୁ ଗିରଫ କରିଥିଲେ। ଭିଜିଲାନ୍ସ ଟିମ ଅଭିଯୁକ୍ତ ସୁପରଭାଇଜର ପାଢ଼ୀଙ୍କ କାର୍ୟ୍ୟାଳୟ, ବାସଭବନ ସମେତ ବିଭିନ୍ନ ସ୍ଥାନରେ ଖାନତଲାସ ଜାରି ରଖିଛି ବୋଲି ଏସପି ସ୍ବାଇଁ ସୂଚନା ଦେଇଛନ୍ତି।

Comments are closed.