ଅଟୋ ମଧ୍ୟରୁ ଅଟୋ ଚାଳକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ପରିବାର ବର୍ଗ ଆଣିଲେ ହତ୍ୟା ଅଭିଯୋଗ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ରସ ଫାକ୍ଟ୍ରି ନିକଟସ୍ଥ ୧୬ନମ୍ବର ଜାତୀୟ ରାଜପଥ କଡ଼ରୁ ଜଣେ ଅଟୋ ଚାଳକଙ୍କ ସନ୍ଦେହ ଜନକ ଅବସ୍ଥାରେ କ୍ଷତାକ୍ତ ମୃତଦେହକୁ ଗୋଳନ୍ଥରା ପୁଲିସ ଜବତ କରିଛି l ମୃତ ଯୁବକ ଜଣକ ହେଲେ କନିଷି ହାଟ ଲକ୍ଷ୍ମୀ ନୃସିଂହ ନଗରରେ ରହୁଥିବା ବସନ୍ତ ସାହୁ (୨୪ ) ବୋଲି ପୁଲିସ ସୂଚନା ଦେଇଛି l ମିଳିଥିବା ସୂଚନା ଅନୁଯାୟୀ, ହିଞ୍ଜିଳିକାଟୁ ଥାନା ଅଧୀନ ବେଲଗାଁର ବସନ୍ତ ନିଜ ପରିବାର ସହ ଦେଢ଼ ବର୍ଷ ହେଲା କନିଷି ଅଂଚଳରେ ରହି ବ୍ରହ୍ମପୁର ଏକ ଅଟୋକୁ ଭଡାରେ ଆଣି ଚଳେଇ ପରିବାର ପ୍ରତି ପୋଷଣ କରୁଥିଲେ। ଗୁରୁବାର ଦିନ ସକାଳ ସାଢେ ସାତଟାରେ ଅଟୋ ନେଇ ସବୁଦିନ ପରି ବସନ୍ତ ଘରୁ ବାହାରି ଯାଇଥିଲେ ବି ଏହାପରେ ଆଉ ଘରକୁ ଫେରିନଥିଲେ। ପରିବାର ବର୍ଗ ଫୋନ ଯୋଗେ ଯୋଗାଯୋଗ କରି ବିଫଳ ହୋଇଥିଲେ। ଆଜି ଦିନ ୧୨ ଟା ବେଳେ ଜାତୀୟ ରାଜପଥ କଡ଼ରେ ବିପରୀତ ରୋଡ଼ରେ ଅଟୋ ପଛ ସିଟରେ ବସିଥିବା ଅବସ୍ଥାରେ ବସନ୍ତର ମୃତ ଦେହ ଦେଖିବାକୁ ମିଳିଥିଲା।

 

ତାଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି, ଏଣୁ କେଉଁ ପରିସ୍ଥିତିରେ ବସନ୍ତଙ୍କ ମୃତ୍ୟୁ ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି। ଘଟଣା ସ୍ଥଳରେ ଗୋଳନ୍ଥରା ପୋଲିସ ଏବଂ ଗୋସାଣିନୂଆଗାଁ ଥାନା ଅଧିକାରୀ ସୁମିତ ସୋରେନ ପ୍ରମୁଖ ପହଞ୍ଚି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି l ମୃତଦେହ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ପରିବାର ବର୍ଗ ଏହା ଏକ ହତ୍ୟାକାଣ୍ଡ ବୋଲି କହିଥିବା ବେଳେ ପୁଲିସ ପକ୍ଷରୁ ଉପଯୁକ୍ତ ତଦନ୍ତ କରିବାକୁ ନିବେଦନ କରିଛନ୍ତି l ଏ ନେଇ ଗୋଳନ୍ଥରା ପୁଲିସ କେଶ ନମ୍ବର ୩/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଅଟୋ କୁ ଜବତ କରିଥିବା ସୂଚନା ମିଳିଛି l

Comments are closed.