କରତ ଭାଙ୍ଗି ଛାତିରେ ପଶିଯିବାରୁ ଯୁବକଙ୍କ ମୃତ୍ୟୁ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ରେଉ ସାହିରେ ଏକ ଅଘଟଣ କ୍ରମରେ ନିଜ କାଠ ଶାଳରେ କାମ କରୁଥିବା ବେଳେ ହଠାତ କରତ ଭାଙ୍ଗି ଯାଇ ଛାତିରେ ଗଳି ଯିବାରୁ ଯୁବକ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣଙ୍କ କେ.ପରମେଶ୍ବର ରାଓ (୪୯) ବୋଲି ପୁଲିସ ସୂଚନା ଦେଇଛି। ପରମେଶ୍ବରଙ୍କ ରେଉସାହି ସ୍ଥିତ ବାସଭବନ ପରିସରରେ ଏକ ଛୋଟିଆ ଶାଳ କରିବା ସହ କାଠ କାମ କରି ଆସୁଥିଲେ। ସେ ଜଣେ ଦିବ୍ୟାଙ୍ଗ ହେଲେ ମଧ୍ୟ ଅତି ସୁନ୍ଦର କାଠ କାମ କରି ଆସୁଥିଲେ। କିନ୍ତୁ କାଠ କାମ କରୁଥିବା ବେଳେ ହଠାତ ମେସିନରେ ଲାଗିଥିବା କରତଟି ଭାଙ୍ଗି ଯିବା ସହ କରତର ଗୋଟିଏ ଅଂଶ ପରମେଶ୍ବରଙ୍କ ଛାତିରେ ଗଳି ଯାଇଥିଲା। ପରିବାର ବର୍ଗ ତୁରନ୍ତ ଛାତିରେ ପସିଥିବା ଲୁହାକୁ କାଡିବା ସହ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣା ନେଇ ପରିବାର ପକ୍ଷରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ୧୦ ହଜାର ସମେତ ରେଡକ୍ରସ୍ ପାଣ୍ଠି ସହାୟତା ରାଶି ଏନ୍ ଏ ସି ନିର୍ବାହୀ ଅଧିକାରୀ ମନୋଜ ପ୍ରଭାକର କୁଜୁରୁଙ୍କ ପକ୍ଷରୁ ପରିବାର ବର୍ଗଙ୍କୁ ପ୍ରଦାନ କରାଯାଇଥିଲା।

Comments are closed.