କୋଭିଡ୍ ନିୟମ ଲଘଂନ: ଓସେନ ରିସୋର୍ଟ ମଣ୍ଡପ ସିଲ୍, ୨ ଲକ୍ଷ ଜୋରିମାନା

ଗୋପାଳପୁର: ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ କଟକଣା ଉଲଂଘନ କରିବା ଅଭିଯୋଗରେ ଗୋପାଳପୁର ବେଳାଭୂମିରେ ଥିବା ଓସେନ ଗାର୍ଡେନକୁ ସିଲ କରାଯିବା ସହ ୨ ଲକ୍ଷ ଟଙ୍କା ଜୋରିମାନା କରାଯାଇଛି। ସୋମବାର ରାତିରେ ଗୋପାଳପୁର ବେଳାଭୂମିରେ ଥିବା ଓସେନ୍ ଗାର୍ଡେନରେ ଗୋପାଳପୁରର ପୂର୍ବତନ ବିଧାୟକ ଡ଼ଃ. ତ୍ରିନାଥ ବେହେରାଙ୍କ ପୁତୁରାଙ୍କ ବିବାହ ଭୋଜିର ଆୟୋଜନ ହୋଇଥିଲା। ରାତ୍ର ୧୦ଟା ପରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ କଟକଣାକୁ ଉଲଘଂନ କରିବା ସହ ରାସ୍ତାରେ ପାର୍କିଂ କରିଥିବାରୁ ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମ୍ବୃତା କୁଲାଙ୍ଗେ, ବ୍ରହ୍ମପୁର ଉପଜିଲ୍ଲାପାଳ ତଥା ଏନ୍ ଏ ସି ପ୍ରଶାସନିକ ଅଧିକାରୀ ଭି. କୀର୍ତ୍ତି ଭାସନ୍ ସେଠାରେ ପହଞ୍ଚି ସେମାନଙ୍କୁ ତାଗିଦ୍ କରିବା ସହ ଓସେନ୍ ଗାର୍ଡେନକୁ ସିଲ୍ କରିବାକୁ ନିର୍ଦେଶ ଦେଇଥିଲେ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରାତିରେ ହିଁ ପୋଲିସ ଉପସ୍ଥିତିରେ ଓସେନ ଗାର୍ଡେନକୁ ସିଲ୍ କରାଯାଇଥିଲା। ଏ ନେଇ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ ପ୍ରଭାକର କୁଜୁରଙ୍କ ସହ ଯୋଗାଯୋଗ ବେଳେ ସେ କହିଥିଲେ ଯେ ଓସେନ୍ ଗାର୍ଡେନରେ ସରକାରଙ୍କ କୋଭିଡ୍ ନିୟମ ଉଲଘଂନ କରାଯିବା ସହ ଭୋଜିରେ ଉପସ୍ଥିତ ରହିଥିବା ଅତିଥିମାନେ ମାସ୍କ ନପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ ନକରିବା ସହ ଉଚ୍ଚ ସ୍ବରରେ ବିନା ଅନୁମତିରେ ଡିଜେ ବ୍ୟବହାର କରିଥିବାରୁ ଓସେନ୍ ଗାର୍ଡେନକୁ ସିଲ୍ କରାଯାଇଛି। ଜୋରିମାନା ଆଦାୟ ନ ହେବା ପର୍ଯ୍ୟନ୍ତ ସିଲ୍ ରହିବ ବୋଲି କହିଥିଲେ।

ଡିଜେ ଠାରୁ ମଧ୍ୟ ୧୫ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବା ଜଣାପଡିଛି। ଅନ୍ୟ ପଟେ ଏହି ଭୋଜିରେ ଗୋପାଳପୁର ବିଧାୟକ‌ ଡ଼ ପ୍ରଦୀପ ପାଣିଗ୍ରାହୀ ଯୋଗ ଦେଇଥିବା ଜଣାପଡିଛି। ପ୍ରଦିପଙ୍କ ଭୋଜିରେ ଯୋଗ ଦେଇଥିବା ଖବର ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ଏହିପରି ଭାବୂ ଆକ୍ରୋଶମୂଳକ ଭାବେ ଜୋରିମାନା କରାଯାଇଥିବା ସାଧାରଣରେ ଆଲୋଚନା ଜୋର ଧରିଛି। ଅନ୍ୟ ପଟେ ରିସୋର୍ଟ ମାଲିକ ସୁଶାନ୍ତ ପାଢ଼ୀଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ପୂର୍ବତନ ବିଧାୟକଙ୍କ ପକ୍ଷରୁ ଭୋଜି ନିମନ୍ତେ ସ୍ଥାନୀୟ ପୁଲିସ ଠାରୁ ଆଦେଶ ଆଣିଥିବା ଡ଼ ବେହେରା କହିଥିବା ସହ ତାଙ୍କ ପକ୍ଷରୁ ଭୋଜି ନିମନ୍ତେ ଏହାକୁ ଭଡା ଆକାରରେ ଦିଆଯାଇଥିଲା।

Comments are closed.