ବାର୍ଷିକ ଲକ୍ଷାଧିକ ଖର୍ଚ୍ଚ ସତ୍ତ୍ୱେ ଛାତ୍ରାବାସ ଶୌଚାଳାୟରୁ ଖସୁଛି ପଲସ୍ତରା, ଭୟରେ ଛାତ୍ରଛାତ୍ରୀ

ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ଥିବା ବଂଶଧାରା ବାଳକ ଛାତ୍ରାବାସର ଶୌଚାଳୟରୁ ପଲସ୍ତରା ଖସୁଥିବା ନେଇ ଆଜି ଅନ୍ତେବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି କିନ୍ତୁ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନଦେବା ଏବଂ ଅଭିଯୋଗ କଲେ ନାଲି ଆଖି ଦେଖାଉଥିବା ଅଭିଯୋଗ ହୋଇଛି। କ୍ୟାମ୍ପସ ପରିସରରେ ଥିବା ବାଳକ ଓ ବାଳିକା ହଷ୍ଟେଲଗୁଡିକ ନିର୍ମାଣ ହେବାର ଅନେକ ବର୍ଷ ବିତି ଯାଇଥିବା ବେଳେ ଏବେ ଏହାର ମରାମତି ଦରକାର ପଡୁଛି।

ଏହା ମଧ୍ୟରେ ପ୍ରତିବର୍ଷ ବିଶ୍ଵବିଦ୍ୟାଳୟ ପକ୍ଷରୁ ଲକ୍ଷାଧିକ ଟଙ୍କା ହଷ୍ଟେଲଗୁଡ଼ିକର ମରାମତି ବାବଦରେ ଖର୍ଚ୍ଚ କରାଯାଉଥିଲେ ମଧ୍ୟ ବିଶ୍ବବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ଓ ଠିକାଦର ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ନାମକୁ ମାତ୍ର କାମ କରି ଅନେକ ଟଙ୍କା ବାଟମାରଣା କରୁଥିବା ଅଭିଯୋଗ ହେଉଛି। ସୂଚନା ଯୋଗ୍ୟ ଯେ ଅନୁରୂପ ଭାବେ ଗତ ୩ ବର୍ଷ ତଳେ ସାବେରୀ ବାଳିକା ହଷ୍ଟେଲର ତିନିମହଲା ବିଶିଷ୍ଟ ଶୌଚାଳୟ କମ୍ପ୍ଲେକ୍ସଟି ଅଚାନକ ଭୁଷୁଡି ଯାଇଥିଲା। ସୈାଭାଗ୍ୟ କ୍ରମେ ସେହି ସମୟରେ ଛାତ୍ରୀମାନେ ପଢିବା ନିମନ୍ତେ ଶ୍ରେଣୀ ଗୃହକୁ ଚାଲି ଯାଇଥିବାରୁ କୈାଣସି ଜୀବନ ହାନି ଘଟିନଥିଲା।

ବର୍ତମାନ ସ୍ଥିତିରେ ବାଳକ ହଷ୍ଟେଲ ଶୈଚାଳୟ ଛାତରୁ ପଲସ୍ତରା ଖସିବା ଘକଣା ପରେ ସେଠାରେ ରହୁଥିବା ଅନ୍ତେବାସୀମାନେ କାଳେ ସେମାନଙ୍କ ଶୈଚାଳୟ ସାବେରୀ ହଷ୍ଟେଲ ଶୈଚାଳୟ କମ୍ପ୍ଲେକ୍ସ ପରି ଅଚାନକ ଭୁଷୁଡି ଯିବ କି ବୋଲି ଏକ ଅଜଣା ଭୟ ମଧ୍ୟରେ ରହୁଥିବା ଜଣାପଡିଛି। ଏହା ସହ ଛାତ୍ରାବାସ କୋଠାଗୁଡିକ ମଧ୍ୟ ୫ ବର୍ଷ ଧରି ବିପଦ ସଂକୁଳ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ଏ ନେଇ ହଷ୍ଟେଲ ୱାର୍ଡନ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କ ସହ ଯୋଗାଯୋଗ ବେଳେ ସେ କହିଥିଲେ ଯେ ଘଟଣା ନେଇ ତାଙ୍କୁ କୌଣସି ଛାତ୍ର ଅଭିଯୋଗ କରିନାହାନ୍ତି। ଯାହା ହେଲେ ମଧ୍ୟ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏଥିପ୍ରତି ନଜର ଦେବାକୁ ଦାବି ହେଉଛି।

Comments are closed.