ହାଇୱା ଧକ୍କାରେ ସୁପରଭାଇଜର ମୃତ

ଗୋପାଳପୁର : ଜାତୀୟ ରାଜପଥ-୧୬ ରେ ରବିବାର ଏକ ଦୁର୍ଘଟଣା ଘଟିଛି। ଓଭରବ୍ରିଜ ନିର୍ମାଣ କାର୍ୟ୍ୟରେ ନିୟୋଜିତ ଏକ ସୁପରଭାଇଜରଙ୍କ ହାଇୱା ଟ୍ରକ ଧକ୍କାରେ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ କେଉଁଝର ଜିଲା ନନ୍ଦିପଦା ଥାନା ଅନ୍ତର୍ଗତ ଡଁହର ଗ୍ରାମର ରମେଶ ଚରଣ ଖୁଣ୍ଟିଆ (୪୬)। ଟ୍ରାଫିକ ଥାନା ପୁଲିସ ମୃତଦେହ ଜବତ କରି ୪୨/୨୧ରେ ଏକ ମାମଲା ରୁଜୁ କରିଛି। ମୃତ ରମେଶଙ୍କ ପରିବାର ଲୋକ ସୋମବାର ପହଞ୍ଚିବା ପରେ ମୃତଦେହ ବ୍ୟବଛେଦ କରାଯିବ ବୋଲି ଥାନାଧିକାରୀ ସୁନୀଲ ବେହେରା ସୂଚନା ଦେଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ଜାତୀୟ ରାଜପଥ-୧୬ରେ ନିର୍ମାଣଧୀନ ଥିବା ଓଭରବ୍ରିଜ କାର୍ୟ୍ୟରେ ରମେଶ ସୁପରଭାଇଜର ଭାବେ କାମ କରୁଥିଲେ। ରବିବାର ଅପରାହ୍ନ ୩ଟା ବେଳେ ରମେଶ ଦିବାକର ଷ୍ଟିଲ ଫ୍ୟାକ୍ଟ୍ରି ନିକଟରେ ଓଭରବ୍ରିଜ ନିର୍ମାଣ କାର୍ୟ୍ୟ ତଦାରଖ କରୁଥିବା ବେଳେ ତାଙ୍କୁ ଏକ ହାଇୱା ଟ୍ରକ ଧକ୍କା ଦେଇଥିଲା। ଫଳରେ ରମେଶ ଗୁରୁତର ଆହତ ହୋଇଥିଲେ। ସେଠାରେ ଉପସ୍ଥିତଥିବା ଅନ୍ୟ କେତେକ ଶ୍ରମିକ ରମେଶଙ୍କୁ ଉଦ୍ଧାର କରି ଚିକିତ୍ସା ନିମେନ୍ତ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କର ମୃତ ଘୋଷଣା କରିଥିଲେ । ଖବରପାଇ ଟ୍ରାଫିକ ଥାନା ପୁଲିସ ଏମକେସିଜିରେ ପହଞ୍ଚି ରମେଶଙ୍କ ଶବ ଜବତ କରିବା ସହ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରେ ଉକ୍ତ ଘରୋଇ ସଂସ୍ଥାର ଅନ୍ୟ ଜଣେ କର୍ମଚାରୀ ସୁରେଶଚନ୍ଦ୍ର ମହାପାତ୍ର ଟ୍ରାଫିକ ଥାନାରେ ଏନେଇ ଲିଖିତ ଏତଲା ଦେଇଥିଲେ । ପୁଲିସ ସଂପୃକ୍ତ ହାଇୱା ଟ୍ରକକୁ ଜବତ କରିଥିବା ବେଳେ ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ଥିବା କହିଛି।

Comments are closed.