ଶନିବାର ପ୍ରବଳ ବର୍ଷା, ଗଞ୍ଜାମକୁ ରେଡ୍ ୱାର୍ଣ୍ଣିଂ, ଗୋପାଳପୁର ବନ୍ଦରକୁ ୪ନଂ ବିପଦ ସଙ୍କେତ

ଗୋପାଳପୁର :  ପଶ୍ଚିମ କେନ୍ଦ୍ର ବଙ୍ଗପୋସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବାତ୍ୟା ଜୱାଦ୍ ରେ ପରିଣତ ହୋଇଛି । ଏହା ଗୋପାଳପୁର ଠାରୁ ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ୪୭୦ କିଲୋମିଟର ଦୂରରେ ଥିବା ବେଳେ ଏହା ଘଣ୍ଟା ପ୍ରତି ୨୨ କିମି ବେଗରେ ଆଗକୁ ଗତି କରୁଛି । ତେଣୁ ଆଜି ଅପରାହ୍ନ ଠାରୁ ଝିପି ଝିପି ବର୍ଷା ଆରମ୍ଭ ହୋଇଥିବା ବେଳେ ମଧ୍ୟ ରାତ୍ରରୁ ବର୍ଷାର ପରିମାଣ ବଢି ଶନିବାର ସକାଳୁ ପ୍ରବଳରୁ ଅତି ପ୍ରବଳ ବର୍ଷା ରହିବା ସହ ପବନର ବେଗ ଘଣ୍ଟା ପ୍ରତି ୮୦ ରୁ ୯୦ ଝଟକା ପବନ ୧୦୦ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡିଛି । ଏହାକୁ ନଜରରେ ରଖି  ଗୋପାଳପୁର ବନ୍ଦରକୁ ୪ ନଂ ବିପଦ ସଙ୍କେତ ଦିଆଯାଇଥିବା ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି । ବାତ୍ୟା ରବିବାର ମଧ୍ୟାହ୍ନ ସମୟରେ ପୁରୀର ଆଖ ପାଖ ଅଞ୍ଚଳର ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ରହିଛି । ବାତ୍ୟାର ପ୍ରଭାବରେ ଆଜି ଅପରାହ୍ନ ଠାରୁ ସମୁଦ୍ରରେ ଉଚ୍ଚ ଜୁଆର ଉଠିବା ସହ ସମୁଦ୍ର ଅଶାନ୍ତ ରହିଥିବା କାରଣରୁ  ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ଆଜି ଅପରାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମ୍ବୃତା କୁଲାଙ୍ଗେ, ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ ଗୋପାଳପୁର ବେଳାଭୂମିରେ ପହଞ୍ଚି ସ୍ଥିତି  ତଦାରଖ କରିବା ସହ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ବେଳାଭୂମିକୁ ନ ଛାଡ଼ିବାକୁ ଥାନା ଅଧିକାରୀ ମାଧବାନନ୍ଦ ନାୟକଙ୍କୁ ନିର୍ଦ୍ଦେଶ ଦେଇଥିବାରୁ ଥାନା ଅଧିକାରୀଙ୍କ ପକ୍ଷରୁ ଏକ ଟିମ୍ ବେଳାଭୂମି ସମେତ ଗୋପାଳପୁର ପ୍ରବେଶ ପଥରେ କଡ଼ାକଡି ପେଟ୍ରୋଲିଙ୍ଗ କରୁଥିବା ଦେଖିବାକୁ ମିଳିଛି ।
ଏହାସହ ଗୋପାଳପୁର ଏନଏସି ପକ୍ଷରୁ ବାତ୍ୟା ର ସାମ୍ଭାବ୍ୟ ସ୍ଥିତିକୁ ନେଇ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ ପ୍ରଭାକର କୁଜୁରଙ୍କ ସହ ଯୋଗାଯୋଗ ବେଳେ କହିଥିଲେ ଯେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ସଫାସୁତୁରା କରାଯିବା ସହ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି ।  ଝୁପୁଡ଼ି ବସ୍ତି ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ କୁହାଯାଇଛି ଓ ବାତ୍ୟା କୁ ନଜରରେ ରଖି ମନୋରଞ୍ଜନ ମହାନ୍ତି ଙ୍କ ନେତୃତ୍ବରେ  ଏନ୍ ଡି ଆର୍ ଏଫ୍ ର ୨୦ ଜଣିଆ ଦଳ  ବିଭିନ୍ନ ଯନ୍ତ୍ରପାତି ସହ ଗୋପାଳପୁର ରେ  ପହଞ୍ଚିଛନ୍ତି । ଝିପି ଝିପି ବର୍ଷା ଲାଗି ରହିଥିବାରୁ ଅଞ୍ଚଳ ଶୁନଶାନ୍ ରହିଥିବା ବେଳେ ବେଳାଭୁମି ମଧ୍ୟ ଖାଁ ଖାଁ ଦେଖିବାକୁ ମିଳିଛି ।

Comments are closed.