ଜାତୀୟ ରାଜପଥରେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

ଗୋପାଳପୁର: ମୃତ୍ୟଜନ୍ତା ଭାବେ ପରିଚିତ ଜାତୀୟ ରାଜପଥ ନଂ ୧୬ ତଥା ଗୋଳନ୍ଥରା ଥାନା ଅନ୍ତର୍ଗତ ସୁରଳ ଜଙ୍କସନ ଓ ଗିରିଶୋଲା ମଧ୍ୟରେ ଅଜଣା ଗାଡ଼ି ଧକ୍କାରେ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ ହେବା ସହ ଜଣେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣଙ୍କ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ମୃତକ ଜଣଙ୍କ ରେଡ୍ଡୀ ସୁବାଣିର ମହେନ୍ଦ୍ର ଦାସ (୨୨) ବୋଲି ପୁଲିସ ସୂଚନା ଦେଇଛି। ରବିବାର ଦିନ ୧୨ ଟା ବେଳେ ରେଡ୍ଡୀ ସୁବାଣିର ମହେନ୍ଦ୍ର ଦାସ (୨୨) ଓ ତାଙ୍କ ସମ୍ପ୍ରକିୟ ରଣ୍ଢା ହରିଜନ ସାହିର କାଳୁ ଦାସ ମିଶି ସୁରଳ ଜଙ୍କସନରେ କୌଣସି ଏକ କାମ ସାରି ନିଜ ମୋଟରସାଇକେଲ ( ଓଡ଼ି-୦ ୭ଏକେ୪୩୭୦) ଯୋଗେ ଫେରୁଥିବା ସମୟରେ ବ୍ରହ୍ମପୁର ପଟୁ ଏକ ଅଚିହ୍ନା ଗାଡ଼ି ଧକ୍କା ଦେଇଥିଲା। ଯାହା ଫଳରେ ଦୁଇଜଣ ଯାକ ରାସ୍ତା ମଝିରେ ଛିଟିକି ପଡିଥିଲେ। ଘଟଣା ସ୍ଥଳରେ ମହେନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ କାଳୁ ଗୁରୁତର ହୋଇ ରାସ୍ତାରେ ପଡି ରହିଥିଲେ।

 

ଖବର ପାଇ ଗୋଳନ୍ଥରା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେ ଗୁରୁତର ଆହତ ହୋଇଥିବା କାଳୁକୁ ବ୍ରହ୍ମପୁର ବଡ଼ ମେଡିକାଲ୍ ପଠାଇଥିବା ବେଳେ ମୃତ ମହେନ୍ଦ୍ରର ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଛି। ଏ ନେଇ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ କହିଛନ୍ତି।

Comments are closed.