କଳା ଓ ସଂସ୍କୃତିର ଭୂମି ଗଞ୍ଜାମ: ନବୀନ

ଗୋପାଳପୁର ବେଳାଭୂମି ମହୋତ୍ସବ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଗୋପାଳପୁର : ଗୋପାଳପୁର ବେଳାଭୂମିରେ ପାଞ୍ଚ ଦିନ ବ୍ୟାପୀ ପାଳିତ ହେବାକୁ ଥିବା ଗୋପାଳପୁର ବେଳାଭୂମି ମହୋତ୍ସବକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ ଗୋପାଳପୁରରେ ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେଉଛି ଆପଣ ମାନେ ଖୁସି ତ ମୁଁ ବି ବହୁତ ଖୁସି ବୋଲି ପ୍ରକାଶ କରିଥିଲେ। ଗଞ୍ଜାମ ହେଉଛି କଳା ଓ ସଂସ୍କୃତିର ଭୂମି, ଗଞ୍ଜାମର ଲୋକ କଳା ଓ ଲୋକ ସଂସ୍କୃତି ଓଡ଼ିଶାର ସଂସ୍କୃତିକୁ ବହୁଳ ଭାବରେ ସମୃଦ୍ଧ କରିଛି। ଗୋପାଳପୁର ଆମର ଗର୍ବ ଓ ଗୌରବ। ଶିଳ୍ପ ଓ ପର୍ଯ୍ୟଟନର ବିକାଶ ପାଇଁ ଏଠାରେ ବହୁ ସୁଯୋଗ ରହିଛି। ଏହାର ସଦୁପଯୋଗ କରି ଯୁବ ସମାଜ ପାଇଁ ନୂଆ ରୋଜଗାର ସୃଷ୍ଟି କରିବା ସରକାରଙ୍କ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଥିଲେ। ଏହା ସହ ଗଞ୍ଜାମରେ ବହୁ ସୁନ୍ଦର ସୁନ୍ଦର ପର୍ଯ୍ୟଟନସ୍ଥଳୀ ରହିଛି, ସେଗୁଡିକର ବିକାଶ ପାଇଁ ଆମ ସରକାର କାମ କରିଛି। ଯଦ୍ୱାରା ଗୋପାଳପୁର, ରମ୍ଭା, ତାରାତାରିଣୀ, ତପ୍ତପାଣି ଓ ତାମ୍ପରା ବହୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିଛି। ଏହା ସହ ଏହି ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଆହୁରି ସୁନ୍ଦର ଭାବରେ ବିକାଶ ପାଇଁ ସରକାର ବହୂବିଧ ପଦକ୍ଷେପ ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଛତ୍ରପୁର ବିଧାୟକ ସୁବାସ ବେହେରା, ଟାଟା ଷ୍ଟିଲ ଉପସଭାପତି ଚାଣକ୍ୟ ଚୌଧୁରୀ, ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ, ସୋରଡ଼ା ବିଧାୟକ ପୂର୍ଣ୍ଣ ସ୍ବାଇଁ, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ପ୍ରମୁଖ ମଞ୍ଚାସୀନ ରହିଥିଲେ। ଗୋପାଳପୁର ବେଳାଭୂମି ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ଗୋପାଳପୁର ବିଧାୟକ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ ଅଧ୍ୟକ୍ଷତା କରିବା ସହ ସଭା ପରିଚାଳନା କରିଥିଲେ। ଏହି ଅବସରରେ  ଗଞ୍ଜାମ ଜିଲାର ବରିଷ୍ଠ ପ୍ରହଲ୍ଲାଦ ନାଟକ ଗୁରୁ ତଥା ୧୦୩ ବର୍ଷୀୟ ଅର୍ଜୁନ ଅଧିକାରୀଙ୍କୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ। ମୁଖ୍ୟମନ୍ତ୍ରୀ ଗୋପାଳପୁର ବେଳାଭୂମି ମହୋତ୍ସବର ସ୍ମରଣିକା ଉନ୍ମୋଚନ କରିବା ସହିତ ପଲିଶ୍ରୀ ମେଳା, ହର୍ବାଲ ମେଳାକୁ ମଧ୍ୟ ଉଦଘାଟନ କରିଥିଲେ।

 

 

Comments are closed.