୩୨ ବିଜେପି ବିଧାୟକଙ୍କ ମୃତ୍ୟୁ ପଛରେ ବାସ୍ତୁଦୋଷ: ଗୋପାଳ ଭାର୍ଗବ

ଭୋପାଳ: ମଧ୍ୟପ୍ରଦେଶର ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଗୋପାଳ ଭାର୍ଗବ ବାସ୍ତୁ ସମ୍ପର୍କରେ ଦୃଢ଼ ମତ ଦେଇଛନ୍ତି। ଏପରି କି ରାଜ୍ୟରେ ୩୨ ଜଣ ବିଜେପି ବିଧାୟକଙ୍କ ମୃତ୍ୟୁ ପାଇଁ ସେ ‘ବାସ୍ତୁଦୋଷ’କୁ ଦାୟୀ କରିଛନ୍ତି। ରାଜ୍ୟରେ ବିଗତ ୧୫ରୁ ୧୬ ବର୍ଷ ମଧ୍ୟରେ ୩୨ ବିଜେପି ବିଧାୟକଙ୍କ ମୃତ୍ୟୁ ପଛରେ ବାସ୍ତୁଦୋଷ ରହିଛି ବୋଲି ଭାର୍ଗବ କହିଛନ୍ତି। ବାସ୍ତୁଦୋଷର ଯଦି ପ୍ରଭାବ ରହିଛି, ତେବେ ଏଥିପ୍ରତି ଦୃଷ୍ଟି ଦେବା ଉଚିତ ବୋଲି ସେ କହିଛନ୍ତି।

ଭାର୍ଗବଙ୍କ ଏଭଳି ମନ୍ତବ୍ୟ ନୂଆ ନୁହେଁ। ପୂର୍ବରୁ ସେ ଅନେକ ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ମଧ୍ୟାହ୍ନଭୋଜନରେ ଅଣ୍ଡାକୁ ସାମିଲ କରାଯିବା ପରେ ସେ ଏହାକୁ ବିରୋଧ କରିଥିଲେ। ସରକାର ସ୍କୁଲ ଏବଂ ଅଙ୍ଗନୱାଡ଼ିରେ ପିଲାଙ୍କୁ ଖାଦ୍ୟରେ ଅଣ୍ଡା ଯୋଗାଇଦେବା ଲାଗି ନିଷ୍ପତ୍ତି ନେବା ଏହାକୁ ବିଜେପି ନେତା କୈଳାସ ବିଜୟବର୍ଗୀୟ ସମାଲୋଚନା କରିଥିଲେ। ଏହା ପରେ ବିଜେପି ବିଧାୟକ ଭାର୍ଗବ କହିଥିଲେ, ଅଣ୍ଡା ଖାଇବା ଫଳରେ ପିଲାମାନେ ନରମାଂସ ଖାଦକରେ ପରିଣତ ହେବେ। କମଲନାଥ ସରକାର ପିଲାଙ୍କୁ ଅଣ୍ଡା ଏବା ମାଂସ ଖାଇବାକୁ ବାଧ୍ୟ କରୁଛି ବୋଲି ସେ କହିଥିଲେ।

ନିକଟରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ବି ସେ କଡ଼ା ସମାଲୋଚନା କରିଥିଲେ। ଦୀପିକା ଛାତ୍ରଛାତ୍ରଙ୍କୁ ଭେଟିବା ଲାଗି ଜେଏନୟୁ ଯିବା ସହିତ ସେମାନଙ୍କ ସହ ଧାରଣାରେ ସାମିଲ ହୋଇଥିଲେ। ଏହା ପରେ ଭାର୍ଗବ କହିଥିଲେ, ବଲିଉଡ୍‌ ଅଭିନେତ୍ରୀମାନେ ଜେଏଲୟୁ ଯିବାଆସିବା କଲେ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେବ। ଦୀପିକା ଜେଏନୟୁ ଯିବା ବଦଳରେ ମୁମ୍ବାଇରେ ଡ୍ୟାନ୍ସ କରନ୍ତୁ ବୋଲି ଗୋପାଳ ଭାର୍ଗବ କହିଥିଲେ, ଯାହାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଥିଲା।

Comments are closed.