ଉତ୍କଳମଣି ସୁଆଣ୍ଡୋ ରତ୍ନ

‘ମିଶୁମୋର ଦେହ ଏ ଦେଶମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ’ – ଏହା କୌଣସି ତଥାକଥିତ ଦେଶସେବକ, ନେତାଙ୍କର ଆତ୍ମପ୍ରଚାର ପାଇଁ ଉଦ୍ଦିଷ୍ଟ ଶସ୍ତା ସ୍ଳୋଗାନ୍‌ ନୁହେଁ। ଓଡ଼ିଶାର ଅନ୍ୟତମ ବରପୁତ୍ର, ସ୍ବାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, କବି, ଜନନାୟକ, ଚିରବନ୍ଦ୍ୟ ପଣ୍ଡିତ ଗୋପବନ୍ଧୁ ଦାସଙ୍କର ହୃଦୟର ବାଣୀ ତେଣୁ ସର୍ବଜନାଦୃତ। ସେହି ମହାପୁରୁଷ ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ପୁରୀ ଜିଲାର ‘ସୁଆଣ୍ଡୋ’ ଗ୍ରାମରେ ଜନ୍ମଲାଭ କରିଥିଲେ। ଜୀବନରେ ଅନେକ ଘାତ-ପ୍ରତିଘାତ ସହି ଋଷିପ୍ରତିମ ‘ଗୋପବନ୍ଧୁ’ ଓଡ଼ିଶାର ପୁରପଲ୍ଲୀରେ ଯେଉଁ ପ୍ରତିଷ୍ଠା, ସମ୍ମାନ ଏବଂ ମାନ୍ୟତା ଲାଭ କରିଥିଲେ, ତା’ର ପଟାନ୍ତର ନାହିଁ।
ସନ୍ଥ, ସଦାଚାରୀ ଗୋପବନ୍ଧୁଙ୍କର ବହୁବିଧ ବ୍ୟକ୍ତିତ୍ବର ଆକଳନ କରିବା ଏକ ସହଜସାଧ୍ୟ ବ୍ୟାପାର ନୁହେଁ। ଓଡ଼ିଶାର ଲବ୍ଧପ୍ରତିଷ୍ଠ, ସାହିତ୍ୟ ଜଗତର ଉଳ ତାରକା ଗୋପୀନାଥ ମହାନ୍ତିଙ୍କ ମତରେ ‘ସେ ଏଡ଼େ ମହାନ୍‌ ଯେ ଭାଷାରେ ବର୍ଣ୍ଣନା କଲେ ସେ ବର୍ଣ୍ଣନା ତାଙ୍କ ବ୍ୟକ୍ତିତ୍ବକୁ ଅଣ୍ଟିବା ସମ୍ଭବ ନୁହେଁ। ଇଂରେଜ ଶାସନ ବିରୋଧରେ ଘଟିଥିବା ଭାରତୀୟ ସ୍ବାଧୀନତା ଆନ୍ଦୋଳନ ଯୁଗରେ ସେ ତାଙ୍କ ସମୟରେ ଥିଲେ ଓଡ଼ିଶାର ଆଦ୍ୟ ପୁରୋଧା ଓ ସେନାପତି; ସେ ଥିଲେ ଯୁଗ ପ୍ରବର୍ତ୍ତକ, ଓଡ଼ିଶାରେ କଂଗ୍ରେସର ସ୍ଥାପୟିତା। ସହୃଦୟ ନିଷ୍ଠାପର ଆତ୍ମତ୍ୟାଗୀ, ଦେଶସେବୀ ଓ କର୍ମୀପଣରେ ଦେଶ ଆଗରେ ଚୂଡ଼ାନ୍ତ ଆଦର୍ଶ ସନ୍ଥ, ଅତି ଉଚ୍ଚକୋଟୀର କବି, ସତ୍ୟବାଦୀ ସ୍କୁଲର ସ୍ଥାପୟିତା, ‘ସମାଜ’ ପତ୍ରିକାର ପ୍ରତିଷ୍ଠାତା, ଅସାମାନ୍ୟ ବ୍ୟବସ୍ଥାପକ, ନାନା ପ୍ରକାର ଦେଶହିତକର କାର୍ଯ୍ୟରେ ଉନ୍ମେଷକ ଓ ସଂଚାଳକ, ମଣିଷପଣିଆରେ ସତେ ଅବା ପୁରୁଷୋତ୍ତମ ତୁଲ୍ୟ। ତାଙ୍କ ଜୀବନକାଳ ନିଜେ ଓଡ଼ିଶା ଇତିହାସରେ ଗୋଟିଏ ଗୌର​‌େ​‌ବାଳ ଅଧ୍ୟାୟ।
ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପରି ଜଣେ ଅସାମାନ୍ୟ ପ୍ରତିଭାଧାରୀ, ଋଷିପ୍ରତିମ, ଯୁଗପୁରୁଷଙ୍କୁ ଏ ଜାତି, ଏ ଦେଶ ଯଥେଷ୍ଟ ସମ୍ମାନ, ପୂଜ୍ୟପୂଜା କରିଥିବା ପରି ମନେ ହୁଏନାହିଁ। ସତେ ଯେପରି ଓଡ଼ିଶାବାସୀ ବିସ୍ମରି ଯାଇଛନ୍ତି। ପାସୋରି ଯାଇଛନ୍ତି ସେହି ମହାନୁଭବ ଗୋପବନ୍ଧୁଙ୍କୁ ଯିଏ ବନ୍ୟା, ବାତ୍ୟା ପ୍ରପୀଡ଼ିତ, ଅବହେଳିତ, ଶୋଷିତ, ଲୁଣ୍ଠିତ ମଣିଷଙ୍କର ଲହୁଲୁହକୁ ଅକାରଣରେ ଝରିବାକୁ ଦେଉନଥିଲେ। ନିଃସ୍ବ, ନିଃସହାୟ ମଣିଷଙ୍କର ଦୁଃଖ ଦୈନ୍ୟରେ ଲହୁଲୁହାଣ ହୋଇ ଲୁହ ଝରାଉଥିଲେ, ସହାୟତାର ସମସ୍ତ ପ୍ରୟାସ କରୁଥିଲେ, ଅନେକ ଘାତ ପ୍ରତିଘାତ ସତ୍ତ୍ବେ ଓ ବଞ୍ଚିବାର ରାହା ଦେଖାଉଥିଲେ ନିଜର ବ୍ୟକ୍ତିଗତ ଅଭାବ, ଅସୁବିଧାକୁ ଅଣଦେଖାକରି ଶେଷ ଜୀବନ ଯାକେ। ସମାଜସୁଧାର, ସଂସ୍କାର, ରାଜ୍ୟ ଓ ଦେଶର ସର୍ବାଙ୍ଗୀଣ ଉନ୍ନତିରେ ବ୍ରତୀ ସେହି ମହାନ୍‌ ଜନନାୟକ ସମୟର ସୀମିତ ଅବସର ସତ୍ତ୍ବେ ଯେଉଁ ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି କରିଯାଇଛନ୍ତି ତା’ର ପଟାନ୍ତର ନାହିଁ। ଗୋପବନ୍ଧୁଙ୍କର ସୃଷ୍ଟି ସମୂହର ଆବେଦନ ସାର୍ବଜନୀନ ଥିଲା ଓ ନିରାଶ, ଅସହାୟ ମଣିଷ ମନରେ ଆତ୍ମପ୍ରତ୍ୟୟ ସୃଷ୍ଟିକରିବା ତଥା ଉଦ୍‌ବୁଦ୍ଧ କରିବାପାଇଁ ଯଥେଷ୍ଟ ଥିଲା। ‘କାରା କବିତା’ ପରି ଭାବଉଦ୍ରେକକାରୀ କବିତାର ଇଂରେଜୀ ଅନୁବାଦ ଭିଏତ୍‌ନାମ କବିମାନଙ୍କୁ ‘ମାନ୍ଦ୍ରାଜ୍‌ ସାହିତ୍ୟ ସଭା’ରେ ଉଦ୍‌ବୁଦ୍ଧ ଓ ଉଚ୍ଚାଟିତ କରିଥିବାର ସାକ୍ଷୀ ଥିଲେ ଗୋପୀନାଥ ମହାନ୍ତି। ସେମାନେ କହିଥିଲେ, ଏହି ଧାଡ଼ିଗୁଡ଼ିକ ଆମ ବିପ୍ଳବର ମନ୍ତ୍ର ହେବ, ଆମକୁ ଯୁଗେଯୁଗେ ଉଦ୍‌ବୁଦ୍ଧ କରିବ।
ଓଡ଼ିଶାର ବରପୁତ୍ର, ଚିରବରେଣ୍ୟ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶୁଭ ଜନ୍ମଦିନ ଅବସରରେ ସମସ୍ତ ଓଡ଼ିଶାବାସୀ ଏ ଜାତିର ଗର୍ବ ଓ ଗୌରବଙ୍କର ସ୍ମୃତିଚାରଣ କରନ୍ତୁ, ସୁଆ​‌େ​‌ଣ୍ଡାସ୍ଥିତ ତାଙ୍କର ଭିଟାମାଟିରେ ପାଦଥାପନ୍ତୁ ଏବଂ ଏକ ଦୁଃସମୟ ମଧ୍ୟରେ ଗତି କରୁଥିବା ବିଶ୍ବକୁ, ଜୀବନଯୁଦ୍ଧରେ ସଂଘର୍ଷ କରୁଥିବା ସାଧାରଣ ମଣିଷଙ୍କୁ ବଞ୍ଚିବାର ରାହା ଦେଖାନ୍ତୁ, ସହାୟତାର ହାତ ବଢ଼ାନ୍ତୁ ଏବଂ ଗୋପବନ୍ଧୁଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ନୂଆ ସ୍ବପ୍ନ ବୁଣନ୍ତୁ-ପୁଣିଥରେ ଗୋପବନ୍ଧୁଙ୍କ ପରି କେହିଜଣେ ତ୍ରାଣକର୍ତ୍ତା, ଯୋଗଜନ୍ମା ପୃଥିବୀରେ ପଦାର୍ପଣ କରିବା ଯାଏଁ। ସନ୍ଥ, ମହାପୁରୁଷ ଗୋପବନ୍ଧୁ ଦାସଙ୍କ ଜନ୍ମଦିନ ଅବସରରେ ସେତିକି କାମନା। ପୁଣିଥରେ ‘ସୁଆ​‌େ​‌ଣ୍ଡା’ର ପୁଣ୍ୟଭୂମିରେ ମଥାନତ କରୁ ପ୍ରତ୍ୟେକ ଓଡ଼ିଆ ଫେରିଆସୁ ସେହି ଟିକି ଗାଁର ହୃତ୍‌ଗୌରବ ଓ ତୀର୍ଥଭୂମି ସାଜୁ ସେହି ସ୍ଥଳ, ପୁଣିଥରେ ସମସ୍ତଙ୍କର ଶ୍ରଦ୍ଧାଭାଜନ ହେଉ ଗୋପବନ୍ଧୁଙ୍କର ସେହି ଜୀର୍ଣ୍ଣଶୀର୍ଣ୍ଣ ‘ଷଠିଘର’, ଘଟୁ ତା’ର ନବକଳେବର। ସେଇତକ ହେଉ ଓଡ଼ିଶାବାସୀଙ୍କ ଧ୍ୟେୟ।

Comments
Loading...