ଦିନେ ପାଣିରେ ପଶି ଲୋକଙ୍କୁ ସାହାଯ୍ୟ କରୁଥିଲେ; ଆଜି ସେହି ସ୍ଥାନରେ ତାଙ୍କ ପ୍ରତିମୂର୍ତ୍ତି ଜଳବନ୍ଦୀ

ସାକ୍ଷୀଗୋପାଳ: ବନ୍ୟା ପାଣି ଘେରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍କଳମଣିଙ୍କ କର୍ମପୀଠ ଡଭାର ଗ୍ରାମରେ। ଦିନ ଥିଲା ଏହି ଡଭାର ଗ୍ରାମରେ ବନ୍ୟାର ପ୍ରଚଣ୍ଡ ବିଭୀଷିକା ଦେଖି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ହୃଦୟ କାନ୍ଦି ଉଠିଥିଲା। ସେ ଧାଇଁ ଯାଇ ଚୁଡା, ଚାଉଳ ସାଙ୍ଗରେ ନେଇ ପହଞ୍ଚିଥିଲେ ଲୋକଙ୍କ ପାଖରେ। ଆଉ ସେଠାରେ ଗରିବ ଦୁଃଖିଙ୍କୁ ଚୁଡ଼ା, ମୁଢି ବାଣ୍ଟିଥିଲେ। କହିବାକୁ ଗଲେ ସେହିଠାରୁ ଆରମ୍ଭ ହୋଇଥିଲା ତାଙ୍କର ଦରିଦ୍ର ନାରାୟଣଙ୍କ ସେବା ଓ ଉତ୍କଳମଣି ହେବାର ଯାତ୍ରା। ହେଲେ ଦୁର୍ଭାଗ୍ୟର ବିଷୟ ସେହି ଡଭାର ଗାଁରେ ଆଜି ମଧ୍ୟ ବନ୍ୟା ହେଲେ ଘରଦ୍ୱାର ବୁଡି ପାଣି ଆଣ୍ଠୁଏ ହେଉଛି। ଘର ଭିତରକୁ ପାଣି ପଶିଯାଉଛି। ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ଚଳିତ ବର୍ଷର ପ୍ରଳୟଙ୍କରୀ ବନ୍ୟା ଗାଁର ଚିତ୍ରକୁ ଆହୁରି କରୁଣ କରିଦେଇଛି। ଯିଏ ନିଜ ପୁଅର ଜୀବନକୁ ଖାତିର ନକରି ଅନେକ ଭୋକିଲା ପୁଅ ମୁହଁରେ ଦାନା ମୁଠାଏ ଯୋଗାଇ ଦେଇଥିଲେ, ସେହି ଗାଁରେ ନିଜେ ଉତ୍କଳମଣି ଆଜି ଜଳବନ୍ଦୀ। ଗୋପବନ୍ଧୁ ଆଜି ବଞ୍ଚିଥିଲେ ହୁଏତ ଏହି ବନ୍ୟା ସ୍ଥିତିରେ ଲୋକଙ୍କ ସାହାରା ପାଲଟିଥା’ନ୍ତେ। ଲୋକଙ୍କ ଦୁଃଖ ଦେଖିଲେ ଯାହାର ଛାତି ଫାଟି ପଡ଼ୁଥିଲା, ଆଜି ସେ ନିଜେ ଅବହେଳିତ ଅବସ୍ଥାରେ। କେବଳ ସମୟ ବଦଳିଛି, ପରିସ୍ଥିତି କିଛି ବି ବଦଳିନି ବୋଲି ଅଭିଯୋଗ କରିଛନ୍ତି ଗାଁ ଲୋକେ।

Comments are closed.