‘ଗୋପବନ୍ଧୁ ଗ୍ରାମୀଣ ଯୋଜନା‘ର ଗତି ଓ ସ୍ଥିତି; ବିତିଲାଣି ୧୪ ବର୍ଷ, ତଥାପି ହୋଇନି ଲକ୍ଷ୍ୟପୂରଣ
ହାତକୁ ନିଆଯାଇଛି ୬୫୦୦୦, ବାକି ପଡ଼ିଛି ୧୭୦୦୦ ପ୍ରକଳ୍ପ

ଭୁବନେଶ୍ବର: ନଅ ଅକ୍ଟୋବର ୨୦୦୬ରୁ ୧୧ ଡ଼ିସେମ୍ବର ୨୦୨୦। ବିତିଗଲାଣି ୧୭୦ ମାସ। ହାରାହାରି ହିସାବ କଲେ ୧୪ ବର୍ଷ ଅତିକ୍ରମ କଲାଣି; ମାତ୍ର ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଅନ୍ୟତମ ପ୍ରଣମ୍ୟ ପୁରୁଷ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନାମରେ ‘ଗୋପବନ୍ଧୁ ଗ୍ରାମୀଣ ଯୋଜନା’ ଆରମ୍ଭ କରିଥିଲେ ସେହି ଲକ୍ଷ୍ୟ ତଥାପି ପୂରଣ ହୋଇପାରିନାହିଁ। ୨୦୧୯ରେ ପ୍ରକାଶିତ ସିଏଜି ରିପୋର୍ଟ ତଥ୍ୟ ଅନୁସାରେ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ପ୍ରାୟ ୬୫୦୦୦ ପ୍ରକଳ୍ପ ହାତକୁ ନିଆଯାଇଥିଲେ ମଧ୍ୟ ଏହାମଧ୍ୟରୁ ୧୭୦୦୦ ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଛି କିମ୍ବା ଆରମ୍ଭ ହୋଇ ନାହିଁ। ବିଡ଼ମ୍ବନା ବିଷୟ ହେଉଛି ଜିଜିୱାଇର ପ୍ରକାଶିତ ରିପୋର୍ଟ ଅନୁସାରେ କୌଣସି ଆର୍ଥିକ ବର୍ଷରେ ଯୋଜନା ବରାଦ ଅର୍ଥ ସମ୍ପୂର୍ଣ୍ଣ ଖର୍ଚ୍ଚ ହୋଇପାରିନାହିଁ।
ଗୋପବନ୍ଧୁ ଗ୍ରାମୀଣ ଯୋଜନାର ଲକ୍ଷ୍ୟ ଥିଲା ଗ୍ରାମାଞ୍ଚଳର ବିକାଶ ଓ ଗ୍ରାମୀଣ ଲୋକଙ୍କୁ ‘ବିଜୁଳି’, ‘ପାଣି’ ଓ ‘ସଡ଼କ’ ସହଜଲଭ୍ୟ କରିବା। ଆନ୍ତଃଗ୍ରାମ ଓ ଗ୍ରାମର ଆଭ୍ୟନ୍ତରୀଣ ଅଞ୍ଚଳରେ ସଡ଼କ ନିର୍ମାଣ ସହ ପାନୀୟ ଜଳ ଏବଂ ବିଦ୍ୟୁତ୍ ସଂଯୋଗ ନିମନ୍ତେ ଏହି ଯୋଜନା ଆରମ୍ଭ ହୋଇଥିଲା । ଦେଢ଼ ଦଶନ୍ଧି ଅତିକ୍ରମ କରିବାକୁ ବସିଲାଣି। ବିଦ୍ୟୁତିକରଣ, ପାନୀୟ ଜଳ ପ୍ରକଳ୍ପ ପାଇଁ ଆହୁରି ଅନେକ ଯୋଜନା ସରକାର ହାତକୁ ନେଇ ସାରିଲେଣି। ତଥାପି ଏବେ ବି ଅଧିକାଂଶ ଗାଁରେ ପାନୀୟ ଜଳ ବ୍ୟବସ୍ଥା ହୋଇପାରି ନାହିଁ, ବିଜୁଳି ଖୁଣ୍ଟ ପଡ଼ିନାହିଁ କିମ୍ବା ପକ୍କା ସଡ଼କ ହୋଇ ପାରିନାହିଁ।
ବିଆରଜିଏଫ୍ ଓ ଆଇଏପି ଯୋଜନାରେ ଯେହେତୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅନେକ ଜିଲା ସାମିଲ ହୋଇ ସାରିଥିଲା, ସେହି ଅଞ୍ଚଳ ସହ ସମାନୁପାତିକ ବିକାଶ ଲକ୍ଷ୍ୟରେ ଅନୁଗୋଳ ବାଲେଶ୍ବର, ବରଗଡ଼, ଭଦ୍ରକ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲାକୁ ଏଥିରେ ସାମିଲ କରାଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ବରଗଡ଼କୁ ଏଥିରୁ ବାଦ ଦିଆଯାଇଥିଲା। ସେତେବେଳେ ପ୍ରତି ଜିଲାକୁ ବାର୍ଷିକ ୧୦ କୋଟି ଟଙ୍କା ହିସାବରେ ୨୦୧୧-୧୨ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଦିଆଯିବାକୁ ଯୋଜନା ହୋଇଥିଲା। ଜନସଂଖ୍ୟା ଅନୁସାରେ ପ୍ରତି ଗ୍ରାମକୁ ସର୍ବନିମ୍ନ ୫ ଲକ୍ଷରୁ ସର୍ବାଧିକ ୧୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଦିଆଯାଉଥିଲା। ଏହି ଅନୁଦାନରେ ବିଜୁଳି, ସଡ଼କ ଓ ପାଣି ବ୍ୟବସ୍ଥାର ଲକ୍ଷ୍ୟ ରଖାଯାଇଥିଲା।
ବିଆରଜିଏଫରେ କେନ୍ଦ୍ର ସରକାର ବାର୍ଷିକ ପ୍ରାୟ ୨୫୦ କୋଟି ଟଙ୍କା ଓ ଆଇଏପି ଯୋଜନାରେ ୫୨୪ କୋଟି ଟଙ୍କା ଅନୁଦାନ ଦେଉଥିଲେ। ମାତ୍ର ୨୦୧୫ରେ ଏନଡ଼ିଏ ସରକାର ବିଆରଜିଏଫ୍ ଓ ଆଇଏପି ଯୋଜନା ବନ୍ଦ କରିଦେବା ପରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ୩୦ ଜିଲାକୁ ଗୋପବନ୍ଧୁ ଗ୍ରାମୀଣ ଯୋଜନା ସଂପ୍ରସାରିତ କରିବାକୁ ନିର୍ଦେଶ ଦେଇଥିଲେ ଏବଂ ଏଥିଲାଗି ବାର୍ଷିକ ପ୍ରାୟ ୬୫୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଗାଁରେ ପକ୍କା ରାସ୍ତା ନିର୍ମାଣ, ବିଦ୍ୟୁତ୍ ସଂଯୋଗ ଓ ନଳକୂଅ ଖନନ ନିମନ୍ତେ ଏହି ଅର୍ଥ ବ୍ୟୟ କରାଯିବାକୁ ଲକ୍ଷ୍ୟ ରଖା ଯାଇଥିଲା। ପ୍ରତିବର୍ଷ ରାଜ୍ୟ ସରକାର ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ହାରାହାରି ୫୦୦ କୋଟି ଟଙ୍କା ବ୍ୟୟବରାଦ ରଖୁଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ ୫୪୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ୨୦୨୦-୨୧ରେ ବ୍ୟୟ ବରାଦ ହୋଇଥିଲା ୫୬୭ କୋଟି ଟଙ୍କା।
ଯୋଜନାକୁ ୧୭୦ ମାସ ପୂରିବାକୁ ବସିଲାଣି; ତଥାପି ଏହି ଯୋଜନାରେ ସାମିଲ ଅନେକ ଜିଲାରେ ଗାଁଲୋକେ ପକ୍କା ସଡ଼କ ଦେଖିନାହାନ୍ତି। ଅନ୍ୟ ଆଭ୍ୟନ୍ତରୀଣ ଅଞ୍ଚଳ କିମ୍ବା ଦୁର୍ଗମ ଅଞ୍ଚଳ କଥା ଛାଡ଼ନ୍ତୁ, ଖୋଦ୍ ଉପକୂଳବର୍ତ୍ତୀ ଅଞ୍ଚଳରେ ପକ୍କା ସଡ଼କ ଗାଁରେ କିପରି ନିର୍ମାଣ ହେଉଛି ଓ ଏହାର ମାନ କ’ଣ ରହୁଛି ତାହା ସମସ୍ତେ ଦେଖୁଛନ୍ତି। ୨୦୧୩ ମେ ୧୭ରେ ତତ୍କାଳୀନ ପଞ୍ଚାୟତିରାଜ ବିଭାଗ କମିଶନର ତଥା ସଚିବ ପକ୍କା ରାସ୍ତା ନିର୍ମାଣ ନିମନ୍ତେ ସିମେଣ୍ଟ-ବାଲି-କଙ୍କ୍ରିଟ୍ ଅନୁପାତ, ଗାର୍ଡ଼ ୱାଲ ନିର୍ମାଣ ନିୟମ ସଂକ୍ରାନ୍ତରେ ଏକ ମାର୍ଗଦର୍ଶିକା ଜାରି କରିଥିଲେ। ମାତ୍ର ଅଧିକାଂଶସ୍ଥାନରେ ଏହି ମାର୍ଗଦର୍ଶିକାକୁ ଫୁ କରି ଉଡ଼ାଇ ଦିଆଯାଇଛି।
କେବଳ ସେତିକି ନୁହେଁ ଅନେକସ୍ଥାନରେ ରାସ୍ତା ନିର୍ମାଣ କରାଯାଇ ନାହିଁ, କିମ୍ବା ଅଧା ନିର୍ମାଣ କରାଯାଇ ବିଲ୍ ଉଠାଇ ନିଆଯାଇଥିବା ନେଇ ଅଭିଯୋଗ ହୋଇଛି। ପୁଣି ରାଜନୈତିକ ବାଦବିବାଦ ଯୋଗୁଁ ରାସ୍ତା ନିର୍ମାଣ ଅଧା ରହିଛି। ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ନରସିଂହପୁର ଗାଁର ଏକ ରାସ୍ତା ଏହାର ଉଦାହରଣ। ଏହି ଗାଁର ହନୁମାନ ସାହିର ମୁଖ୍ୟରାସ୍ତା କିଛି ଅଂଶ ଆଜି ପର୍ଯ୍ୟନ୍ତ ସିମେଣ୍ଟ କଙ୍କ୍ରିଟ ହୋଇପାରି ନାହିଁ। କାହିଁକି ହୋଇପାରି ନାହିଁ ତାହାର ଉତ୍ତର କାହାରି ନିକଟରେ ନାହିଁ। ଗ୍ରାମର କିଛି ଲୋକ ଏ ସମ୍ପର୍କରେ ତତ୍କାଳୀନ ଯାଜପୁର ଜିଲାପାଳ, ପଞ୍ଚାୟତିରାଜ ସଚିବଙ୍କୁ ଏ ସମ୍ପର୍କରେ ଟ୍ବିଟ୍ କରି ଜଣାଇଥିଲେ ମଧ୍ୟ କିଛି ଫଳ ମିଳିନାହିଁ। କେବଳ ସେତିକି ନୁହେଁ, ଏହି ଗ୍ରାମ୍ୟ ରାସ୍ତାକୁ ବିଭିନ୍ନ ସ୍ଥାନରେ ଅବରୋଧ କରାଯାଇଥିଲେ ମଧ୍ୟ ନା ପଞ୍ଚାୟତ କର୍ତ୍ତୃପକ୍ଷ ନା ସରକାରୀ ଅଧିକାରୀ କେହି ଏହାପ୍ରତି ଦୃଷ୍ଟି ଦେଇ ନାହାନ୍ତି। ନରସିଂହପୁର ଗାଁର ହନୁମାନ ସାହି କେବଳ ଏକ ଉଦାହରଣ ମାତ୍ର, ରାଜ୍ୟର ବିିଭିନ୍ନ ସ୍ଥାନରେ ଏମିତି ଶହଶହ ହନୁମାନ ସାହି ରହିଛି, ଯେଉଁଠି ପକ୍କା ସଡ଼କ ଉଭେଇ ଯାଇଛି କିମ୍ବା ଚୋରି ହୋଇ ଯାଇଛି। ବିଜୁଳି ଓ ପାଣି ନିମନ୍ତେ ବ୍ୟବସ୍ଥା ଥିଲେ ମଧ୍ୟ ଜିଜିୱାଇରେ ଏହାର ଭାଗ ପକ୍କା ସଡ଼କ ତୁଳନାରେ ଯଥେଷ୍ଟ କମ୍। ଯୋଜନାର ସିଂହଭାଗ ଅର୍ଥ କେବଳ ଗାଁରେ ପକ୍କା ସଡ଼କ ନିର୍ମାଣରେ ବ୍ୟୟ ହେଉଥିବା କୁହାଯାଉଥିଲେ ହେଁ ତାହା ମଧ୍ୟ ସାକାର ହୋଇପାରୁନାହିଁ।