ଅଗ୍ନିପଥର ଯାତ୍ରୀ

ପୁଣ୍ୟତ୍ମା ଉତ୍କଳମଣି ଗୋପବନ୍ଧୁଙ୍କ ନାମ ସ୍ମରଣ ମାତ୍ରେ ସେବା, ସାଧନା, ସାମ୍ବାଦିକତା, ସତ୍ୟ, ଅହିଂସା, ନିଷ୍ଠା, ସଂଯମ, ନିର୍ଭୀକତା, ନୈତିକତା ଓ ମାନବିକତା ଆଦି ସ୍ୱତଃ ସ୍ମରଣକୁ ଆସିଯାଏ। ଏବେ କିନ୍ତୁ ଆମ ଚିନ୍ତା, ଚେତନା, କାର୍ଯ୍ୟପ୍ରଣାଳୀରେ ଏସବୁର ଅଭାବବୋଧ ପରିଲକ୍ଷିତ ହେଉଛି। ବିଶେଷକରି ସାମ୍ବାଦିକତା ଏବେ ଅନେକ ଅଭିଯୋଗର ସମ୍ମୁଖୀନ। ଏହା ଉତ୍କଳମଣିଙ୍କ ଆତ୍ମାକୁ ବ୍ୟଥିତ କରୁଥିବ ନିଶ୍ଚୟ। ଆଜି ତାଙ୍କର ଜନ୍ମତିଥି ଅବସରରେ ଏ ସମ୍ପର୍କରେ ଆତ୍ମସମୀକ୍ଷା କରିବାର ଅବକାଶ ସୃଷ୍ଟି କରିଛି।
କତିପୟ ସମର୍ପିତ ସାଧକ ଓ ଅନୁଷ୍ଠାନକୁ ବାଦ଼ ଦେଲେ ଅଧୁନା ସମାଜସେବାରେ ସମର୍ପଣ ଭାବନାକୁ ନେଇ ପ୍ରଶ୍ନ ଉଠୁଛି। ସମାଜସେବାର ମୂଳ ଲକ୍ଷ୍ୟ ଓ ବାସ୍ତବତା ମଧ୍ୟରେ ଏକ ଶୂନ୍ୟସ୍ଥାନ ବଢ଼ି ଚାଲିଛି। ପ୍ରାକୃତିକ ବିପର୍ଯ୍ୟୟ ଓ ତା’ର ପରବର୍ତ୍ତୀ ସମୟରେ ଏହି ଶୂନ୍ୟତା ସ୍ପଷ୍ଟ ଦୃଶ୍ୟମାନ ହେଉଛି। ସେହି ଶୂନ୍ୟତା ଭିତରେ ପ୍ରପୀଡ଼ିତମାନେ ଉତ୍କଳମଣିଙ୍କ ଆତ୍ମାକୁ ଖୋଜିବାକୁ ଚେଷ୍ଟା କରି ଆସିଛନ୍ତି। ସମାଜସେବାର ମୂଲ୍ୟବୋଧକୁ ପରଖିବା ପାଇଁ ଏବେ ସମୟ ଆମକୁ କରୋନା ନାମରେ ଏକ କଷଟି ପଥର ଦେଇସାରିଛି। ଉତ୍କଳମଣିଙ୍କ ଆତ୍ମାର ପ୍ରେରଣାରେ ଓ ଶକ୍ତି ପ୍ରଦାୟିନୀ ଅମରବାଣୀରେ ଉଦ୍‌ବୁଦ୍ଧ ‘ସମାଜ’ ଅନୁଷ୍ଠାନ ଏହି ମହାମାରୀ ସମୟରେ ନିଜ ସେବା ଧର୍ମ ପାଳନ କରି ସେହି କଷଟି ପଥରରେ ନିଜକୁ ପରଖିବାର ଯଥାସାଧ୍ୟ ଉଦ୍ୟମ କରିଛି। ସେବାପରାୟଣତାର କୌଣସି ମାପଦଣ୍ଡ କିମ୍ବା ସୀମା ନାହିଁ। ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ‘ସମାଜ’ ଅନୁଷ୍ଠାନର ପ୍ରୟାସ ସର୍ବଶ୍ରେଷ୍ଠ ଶ୍ରେୟର ଦାବିଦାର ନ ହେଲେ ମଧ୍ୟ ଆସନ୍ତା କାଲି ଯେତେବେଳେ ସମୟର ଦର୍ପଣକୁ ସାମ୍ନା କରିବାକୁ ପଡ଼ିବ ସେତେବେଳେ ‘ସମାଜ’ ଅନୁଷ୍ଠାନ ସଙ୍କୋଚ କରିବ ନାହିଁ। ପ୍ରପୀଡ଼ିତଙ୍କ ବନ୍ଧୁ ଗୋପବନ୍ଧୁଙ୍କ ଆଦର୍ଶ ଓ ଉତ୍ସର୍ଗୀକୃତ ଭାବନାର ମନ୍ତ୍ର ‘ସମାଜ’ ଅନୁଷ୍ଠାନ ଓ ଏହାର କର୍ମକର୍ତ୍ତାଙ୍କୁ ସେବାରେ ବ୍ରତୀ କରାଇବା ପାଇଁ ଉତ୍ସାହ, ଶକ୍ତି ଓ ପ୍ରେରଣା ଯୋଗାଇ ଚାଲିଥାଉ- ଈଶ୍ବରଙ୍କଠାରେ ଏହି ଆଶିଷ ଭିକ୍ଷା କରୁଛୁ।
ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ଆଜି ଯେତେବେଳେ ପ୍ରତିଯୋଗିତାର ଆହ୍ୱାନ ଓ ନୈତିକତାର ଦ୍ବନ୍ଦ୍ବ ମଧ୍ୟରେ ବିଭ୍ରାନ୍ତ ସେତେବେଳେ ସାମ୍ବାଦିକ ଗୋପବନ୍ଧୁ ପୁଣି ଥରେ ମନେ ପଡ଼ନ୍ତି। ଆଜିର ସମୟରେ ଗଣମାଧ୍ୟମ ସାମ୍ବାଦିକତାର ନୈତିକତା ଓ ସମାଜ ପ୍ରତି ଥିବା ଦାୟିତ୍ୱବୋଧରୁ ଦୂରେଇ ଯାଉଥିବା ଅଭିଯୋଗ ବଢ଼ିବାରେ ଲାଗିଛି। ଖବର ପ୍ରକାଶ ଓ ପରିବେଷଣରେ ନିର୍ଭୀକତା, ନିଷ୍ଠା ଓ ପ୍ରତିଶ୍ରୁତିବଦ୍ଧତାର ଅଭାବବୋଧ ପରିଲକ୍ଷିତ ହେଉଛି। ଗଣମାଧ୍ୟମ ସଂସ୍ଥାଗୁଡ଼ିକ ‘ଗଣ’ ପ୍ରସଙ୍ଗରୁ ଦୂରେଇ ଯାଇ ମୁଷ୍ଟିମେୟ ବ୍ୟକ୍ତିକୈନ୍ଦ୍ରିକ ଖବରକୁ ଅଗ୍ରାଧିକାର ଦେଉଥିବା ଆରୋପ ଲାଗିଛି। ନିରେଖି ଦେଖିଲେ ଗଣମାଧ୍ୟମ ଉପରେ ସୃଷ୍ଟ ଏହି ଧାରଣା ସମ୍ପୂର୍ଣ୍ଣ ଅମୂଳକ ଓ ଅଭିଯୋଗ ଭିତ୍ତିହୀନ ବୋଲି କୁହାଯାଇ ପାରିବ ନାହିଁ। ଏହି ପରିପ୍ରେକ୍ଷୀରେ ‘ଶତାୟୁ ସମାଜ’ ମଧ୍ୟ ଏହି ଅଭିଯୋଗରୁ ମୁକ୍ତ କି ନୁହେଁ, ତାହା ଆତ୍ମସମୀକ୍ଷା କରିବାର ବେଳ ଆସିଛି। ଏହି ଆତ୍ମସମୀକ୍ଷା ହିଁ ନିର୍ଭୀକ ସାମ୍ବାଦିକତାର ଅଗ୍ନିପରୀକ୍ଷା। ଏହି ଅଗ୍ନିପରୀକ୍ଷା ଦେବାରେ ‘ସମାଜ’ ଅବହେଳା କରିନାହିଁ କି କରିବ ନାହିଁ। ଓଡ଼ିଶାର ଜନସାଧାରଣ, ‘ସମାଜ’ର ପାଠକ ଓ ସର୍ବୋପରି ଓଡ଼ିଆ ସାମ୍ବାଦିକତାର ସ୍ୱାର୍ଥ ଓ ଭବିଷ୍ୟତ ଦୃଷ୍ଟିରୁ ‘ସମାଜ’ ସବୁବେଳେ ଅଗ୍ନିପରୀକ୍ଷା ଦେବାକୁ ପ୍ରସ୍ତୁତ। ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଆଜିର ପରିସ୍ଥିତିରେ ଗୋପବନ୍ଧୁଙ୍କ ଦୃଷ୍ଟିଭଙ୍ଗୀ, ଚିନ୍ତାଧାରା ଓ କାର୍ଯ୍ୟପ୍ରଣାଳୀ କ’ଣ ହୋଇଥା’ନ୍ତା? ଗୋପବନ୍ଧୁଙ୍କ ଅଗ୍ନିପଥର ଜୀବନଯାତ୍ରା ହିଁ ଏହାର ଉତ୍ତର। ବ୍ରିଟିଶ ଶାସନର ନାଲି ଆଖିକୁ ଭ୍ରୂକ୍ଷେପ ନ କରି ସତ୍ୟ ଖବର ପରିବେଷଣ କରି ନିର୍ଭୀକ ସାମ୍ବାଦିକତାର ଯେଉଁ ବୀଜମନ୍ତ୍ର ଉତ୍କଳମଣି ରୋପଣ କରିଥିଲେ ତାହାର ଫଳଶ୍ରୁତି ସ୍ୱରୂପ ‘ସମାଜ’ ଆଜି ବିଶାଳ ବୃକ୍ଷର ରୂପ ନେଇ ଶହେ ବର୍ଷ ପୂରଣ କରିଛି। ଅନେକ ଆଶ୍ରିତଙ୍କୁ ନିଜ ଶାଖାଛାୟା ତଳେ ଆଶ୍ରୟ ଦେଇ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି।
ସମୟର ଏହି ସନ୍ଧିକ୍ଷଣରେ ଉତ୍କଳମଣିଙ୍କ ମନ୍ତ୍ର ଓ ଆଦର୍ଶକୁ ପାଥେୟ କରି ଓଡ଼ିଆ ଗଣମାଧ୍ୟମ ଏକ ନୂଆ ଯାତ୍ରା ଆରମ୍ଭ କରୁ। ଅଗ୍ନିପଥର ଏହି ଯାତ୍ରାରେ ‘ସମାଜ’ ନେତୃତ୍ୱ ନେଉ। ସତ୍ୟବାଦୀର ମଣିଷଗଢ଼ା କାରଖାନାର ପରମ୍ପରା ଓ ଶିକ୍ଷାଦାନର ସଂସ୍କୃତି ପୁନର୍ଜୀବିତ ହେଉ। ଆଜିର ଜନ୍ମତିଥିରେ ଏହି କାମନା ସର୍ବଧ୍ୟେୟ ହେଉ।

Comments are closed.