ନାରୀଶିକ୍ଷାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି 

ଗୋପବନ୍ଧୁ ମହିଳା ସ୍ନାତକ ମହାବିଦ୍ୟାଳୟର ଅଟ୍ଟାଳିକା ଉଦ୍‍ଘାଟନ

ଆଠଗଡ :  ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ସ୍ନାତକ ମହାବିଦ୍ୟାଳୟର ନୂତନ ପରିସର ଓ ନବୀକରଣ ହୋଇଥିବା ଅଟ୍ଟାଳିକା ଶୁକ୍ରବାର ଉଦ୍‍ଘାଟିତ ହୋଇ ଯାଇଛି । କଲେଜର ଅଧ୍ୟକ୍ଷା ସଂଗୀତା ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ନାରୀ ଶିକ୍ଷିତ ହେଲେ ସମାଜର ପ୍ରକୃତ ବିକାଶ ହୋଇପାରିବ ଏବଂ ଜଣେ ନାରୀ ଶିକ୍ଷିତ ହେଲେ ତା’ର ପରିବାର ମଧ୍ୟ ବହୁଳ ଭାବେ ଉପକୃତ ହୋଇପାରିବ ବୋଲି ମତପୋଷଣ କରିଥିଲେ। ସେଥିପାଇଁ ରାଜ୍ୟ ସରକାର ନାରୀ ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ଏବଂ ପ୍ରୋତ୍ସାହିତ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି, ଲୋକସେବକ ମଣ୍ଡଳର ଓଡିଶା ଶାଖା ଅଧ୍ୟକ୍ଷ ତଥା ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ଯୋଗଦେଇ ପୁଅଙ୍କଠାରୁ ଝିଅମାନେ କୌଣସି ଗୁଣରେ କମ୍‍ ନୁହଁନ୍ତି ଏବଂ ବିଭିନ୍ନ ପରୀକ୍ଷା, ବିଶେଷ କରି ପ୍ରତିଯୋଗିତାମୂଳକ ପରୀକ୍ଷାରେ ଛାତ୍ରୀମାନେ ବେଶ ଭଲ ପ୍ରଦର୍ଶନ କରିଆସୁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ଆଠଗଡରେ ନାରୀଶିକ୍ଷାର ପ୍ରସାର ପାଇଁ ଏବଂ ବିଶେଷତଃ ଗ୍ରାମାଞ୍ଜଳର ଝିଅମାନେ କିପରି ଉଚ୍ଚଶିକ୍ଷା ପାଇପାରିବେ ସେଥିପାଇଁ ୯୦ଦଶକର ପ୍ରଥମ ଭାଗରେ ଗୋପବନ୍ଧୁ ମହିଳା କଲେଜ ସ୍ଥାନୀୟ ବିଧାୟକ ଶ୍ରୀ ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ଉଦ୍ୟମ ଓ ସହଯୋଗରେ ସ୍ଥାପନ କରାଯାଇଥିଲା ବୋଲି କଲେଜର ଅନ୍ୟତମ ପ୍ରମୁଖ ପ୍ରତିଷ୍ଠାତା ଶ୍ରୀ ରଥ ପ୍ରକାଶ କରିଥିଲେ। ଗୋପବନ୍ଧୁଙ୍କର ଇଚ୍ଛା ଓ ଆଦର୍ଶକୁ ପାଥେୟ କରି ରାଜ୍ୟର ହଜାର ହଜାର ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷାରେ ସହାୟତା ପାଇଁ ସମାଜ ରିଲିଫ ପାଣ୍ଠିରୁ ବୃତ୍ତି ପ୍ରଦାନ କରାଯାଉଛି ବୋଲି ଶ୍ରୀ ରଥ କହିଥିଲେ।

ଏହି ଉତ୍ସବରେ ମଣ୍ଡଳ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସ, ଡେପ୍ୟୁଟି କଲେକ୍ଟର ଦିପ୍ତୀମୟୀ ବେହେରା ଓ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ ଯୋଗଦେଇ ଉଦବୋଧନ ଦେଇଥିଲେ। ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ସ୍ୱାଇଁ କଲେଜର ମୁଖପତ୍ର ‘ସ୍ରୋତସ୍ବିନୀ’ର ପ୍ରଥମ ସଂସ୍କରଣ ଉନ୍ମୋଚନ କରିଥିଲେ । ଅଧ୍ୟକ୍ଷା ଶ୍ରୀମତୀ ମହାପାତ୍ର ସ୍ୱାଗତ ଭାଷଣ ଓ ଅଧ୍ୟାପିକା ସୂର୍ଯ୍ୟକାନ୍ତି ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ବରିଷ୍ଠ ଅଧ୍ୟାପିକା ବବିତା ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ସଂଗୀତଜ୍ଞ ଗୁରୁଦତ୍ତ ନାୟକଙ୍କ ନିର୍ଦ୍ଦେଶନାରେ ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ଏବଂ ଶେଷରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ କଲେଜର ସମସ୍ତ ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଆଠଗଡରେ ପ୍ରତିଷ୍ଠିତ ଆଇନ ମହାବିଦ୍ୟାଳୟଟି ଦୀର୍ଘଦିନ ହେବା ବନ୍ଦ ହୋଇ ପଡିବା ଦ୍ୱାରା ତାହା ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା । ସେହି ଆଇନ ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ନିରଞ୍ଜନ ରଥଙ୍କ ସହମତିରେ ଏବଂ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଉଦ୍ୟମକ୍ରମେ ପ୍ରାୟ ୩୦ ଲକ୍ଷ ଟଙ୍କାରୁ ଅଧିକ ବ୍ୟୟ କରାଯାଇ ନବୀକରଣ ପରେ ସେଠାରେ ଏହି ମହିଳା ସ୍ନାତକ ମହାବିଦ୍ୟାଳୟଟି କାର୍ଯ୍ୟକ୍ଷମ ହୋଇଛି।

Comments are closed.