ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ ପାଇଁ ଜିଲାସ୍ତରୀୟ ତର୍କ ପ୍ରତିଯୋଗିତା ; ଭାଗନେଲେ ୩ହଜାରରୁ ଊର୍ଦ୍ଧ୍ବ ପ୍ରତିଯୋଗୀ

କଟକ : ଜୁଲାଇ ୨ରେ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୧ତମ ଶ୍ରାଦ୍ଧବାର୍ଷିକୀ ପାଳନର ଅବ୍ୟବହିତ ପୂର୍ବରୁ ଲୋକସେବକ ମଣ୍ଡଳ ଓ ‘ସମାଜ’ ଆନୁକୂଲ୍ୟରେ ଶନିବାର ଜିଲାସ୍ତରୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କନିଷ୍ଠ ଓ ବରିଷ୍ଠ ବିଭାଗରେ ରାଜ୍ୟରେ ୩୦୦୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ପୂର୍ବବର୍ଷ ପରି ଚଳିତବର୍ଷ ମଧ୍ୟ ପ୍ରତିଯୋଗିତାରେ ଭାଗନେବା ପାଇଁ ବିଦ୍ୟାର୍ଥୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ପ୍ରତି କେନ୍ଦ୍ରରେ ସକାଳୁସକାଳୁ ପ୍ରତିଯୋଗୀମାନେ ଗହଳି ଲଗାଇଥିଲେ।

ତରୁଣ ପିଢି ବିଦ୍ୟାର୍ଥୀଙ୍କ ଚିନ୍ତା ଓ ଚେତନାର ଅନନ୍ୟ ଉଦ୍‍ଗୀରଣ ପାଇଁ ‘ଓଜସ୍ୱିନୀ ଓଡିଶା’ ନାମରେ ହେଉଥିବା ଏହି ପ୍ରତିଯୋଗିତା ଏକ ସଙ୍ଗରେ ରାଜ୍ୟର ୩୦ଟି ଜିଲା ମୁଖ୍ୟାଳୟ ସମେତ ଭୁବନେଶ୍ୱର ଓ ରାଉରକେଲା ମହାନଗରରେ ଅନୁଷ୍ଠିତ ହୋଇଥିଲା। ୮ମରୁ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀ କନିଷ୍ଠ ଏବଂ +୨ ଓ +୩ର ଛାତ୍ରଛାତ୍ରୀଙ୍କ ପାଇଁ ବରିଷ୍ଠ ବିଭାଗରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କନିଷ୍ଠ ବିଭାଗର ବିଷୟବସ୍ତୁ ‘ଭାରତର ବର୍ଦ୍ଧିତ ଜନସଂଖ୍ୟା ଦେଶ ବିକାଶରେ ସହାୟକ କି ?’ ଏବଂ ବରିଷ୍ଠ ବିଭାଗରେ ‘ସାମ୍ପ୍ରତିକ ଭାରତରେ ସ୍ଥାନ ସଂରକ୍ଷଣ ଯଥାର୍ଥ କି?’ ଶୀର୍ଷକରେ ପ୍ରତିଯୋଗୀମାନେ ମତ ଉପସ୍ଥାପନ କରିଥିଲେ।

ଜିଲାସ୍ତରୀୟ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀଙ୍କ ମଧ୍ୟରେ ଆସନ୍ତା ଜୁଲାଇ ୧ତାରିଖରେ ବିଜୁ ପଟ୍ଟନାୟକଛକସ୍ଥିତ ସାରଳା ଭବନରେ ରାଜ୍ୟସ୍ତରୀୟ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହେବ। ରାଜ୍ୟସ୍ତରର ୩ଜଣ ଶ୍ରେଷ୍ଠ କୃତୀ ପ୍ରତିଯୋଗୀଙ୍କୁ ୨ତାରିଖରେ ସହିଦ ଭବନରେ ହେବାକୁ ଥିବା ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ପୁରସ୍କୃତ କରାଯିବ। ରାଜ୍ୟସ୍ତରୀୟ ଏହି ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ୨୦,୦୦୦, ଦ୍ୱିତୀୟ ୧୫,୦୦୦ ଏବଂ ତୃତୀୟ ସ୍ଥାନରେ ଥିବା ପ୍ରତିଯୋଗୀଙ୍କୁ ୧୦,୦୦୦ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ଜିଲାସ୍ତରରେ
ଆୟୋଜିତ ଉଭୟ କନିଷ୍ଠ ଓ ବରିଷ୍ଠ ବିଭାଗ ପ୍ରତିଯୋଗିତାର ପ୍ରଥମ ହୋଇଥିବା ପ୍ରତିଯୋଗୀଙ୍କୁ ୫,୦୦୦ଟଙ୍କା, ଦ୍ୱିତୀୟ ପ୍ରତିଯୋଗୀଙ୍କୁ ୩୦୦୦ ଟଙ୍କା ଓ ତୃତୀୟ ସ୍ଥାନରେ ଥିବା ପ୍ରତିଯୋଗୀଙ୍କୁ ୨୦୦୦ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା।

Comments are closed.