ହଜିଗଲା ମା’ର ବାତ୍ସଲ୍ୟ ମମତା: ୧୫ ମାସର ଶିଶୁର ହାତ ଗୋଡ଼ ବାନ୍ଧି ମାଡ଼, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଚାଇଲ୍ଡ ହେଲ୍‍ପ ଲାଇନ୍‍ ଦ୍ୱାରା ଶିଶୁ ପୁତ୍ର ଉଦ୍ଧାର

ଗୋପ : ଦୁନିଆର ସବୁଠାରୁ ମଧୁର ଶବ୍ଦ ହେଲା ମା। ଏହି ଶବ୍ଦ ପାଟିରେ ନଧରିଲେ ସତେ ଯେପରି ଆମ ଦିନ ଆରମ୍ଭ ହୁଏ ନାହିଁ। ମାଆ କୋଳ ଠାରୁ ଆରାମଦାୟକ ସ୍ଥାନ କେଉଁଠାରେ ମିଳିପାରେନାହିଁ। କିନ୍ତୁ ଗୋପ ବ୍ଲକ୍‍ ସୋରଭା ପଞ୍ଚାୟତ ପାଇକସାହି ଗ୍ରାମରେ ମାଆ ନାଁରେ ଲାଗିଛି କଳଙ୍କ। ହଜିଯାଇଛି ମାଆର ବାତ୍ସଲ୍ୟ ମମତା। ଅତ୍ୟନ୍ତ ନିର୍ଦୟ ଭାବେ ୧୫ ମାସର ଶିଶୁର ହାତ ଗୋଡ଼ ବାନ୍ଧି ତଳେ ପକାଇ ନିରୀହ ନିଷ୍ପାପ ଶିଶୁଟିକୁ ମାଡ଼ ମାରୁଥିବାର ଲୋମଟାଙ୍କୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ପୁରୀ ଜିଲା ଗୋପ ଥାନା ସୋରଭା ପଞ୍ଚାୟତ ସ୍ଥିତ ପାଇକସାହି ଗାଁର ଚକ୍ରଧର ନାୟକ ତାଙ୍କ ପତ୍ନୀ ରୋଜାଲିନ୍‍ ନାୟକ ୧୫ ମାସର ଶିଶୁ ଓ ବାପ ମାଆଙ୍କ ସହ ରହୁଥିବା ବେଳେ ତାଙ୍କ ପରିବାର ଚକ୍ରଧର ଭୁବନେଶ୍ୱରରେ ରହି ବ୍ୟବସାୟ କରୁଥିଲେ। ଗାଁରେ ତାଙ୍କ ବାପ ମାଆଙ୍କୁ ପତ୍ନୀ ମାଡ଼ ମାରୁଥିବା ନେଇ ଅଭିଯୋଗ ପାଇବା ପରେ ଚକ୍ରଧର ଥାନାର ଦ୍ୱାରସ୍ଥ ହୋଇଥିଲେ। ମାତ୍ର ପୋଲିସ୍‍ ନ୍ୟାୟ ଦେବା ପରିବର୍ତ୍ତେ ଆପୋଷ ବୁଝାମଣା କରି ଛାଡ଼ି ଦେଇଥିଲା। ପରବର୍ତ୍ତୀ ଅବସ୍ଥାରେ ଚକ୍ରଧର ନ୍ୟାୟ ଲାଗି କୋଣାର୍କ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ପୋଲିସ୍‍କୁ କାର୍ଯ୍ୟାନୁଷ୍ଠାନ ନେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ମାତ୍ର ପରେ ଦିନକୁ ଦିନ ନିର୍ଯ୍ୟାତନା ବଢ଼ିବାକୁ ଲାଗିଥିଲା। ଏ ନେଇ ଚକ୍ରଧର ସୂଚନା ପାଇବା ପରେ ପତ୍ନୀଙ୍କ ଅଜାଣତରେ ଏକ ସିସିଟିଭି ଲଗାଇ ପୁନରାୟ ବ୍ୟବସାୟ କରିବା ଲାଗି ଭୁବନେଶ୍ୱର ଫେରିଯାଇଥିଲେ। ମାତ୍ର ପରେ ଚକ୍ରଧର ଆସି ସିସି ଟିଭି ଯାଞ୍ଚ କରିଥିଲେ। ସେଥିରେ ନିଜର ୧୫ ମାସର ଶିଶୁକୁ ପତ୍ନୀ ରୋଜାଲିନ୍‍ ଅତି ନିର୍ଦୟ ଭାବେ ମାଡ଼ ମାରୁଥିବା ଜାଣିବାକୁ ପାଇଥିଲେ। ଏ ନେଇ ଚକ୍ରଧର ଲିଖିତ ଭାବେ ଗୋପ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣା ସମ୍ପର୍କରେ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ସୋରଭା ପଞ୍ଚାୟତ ପାଇକସାହି ଗ୍ରାମରେ ସମାଜସେବୀ ମିନର୍ଭା ରାଉତଙ୍କ ନେତୃତ୍ୱରେ ଏକ ମହିଳା ପ୍ରତିନିଧି ଦଳ ପହଞ୍ଚି ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଶିଶୁ ସୁରକ୍ଷା ବିଭାଗକୁ ସୂଚନା ଦେଇଥିଲେ। ପରେ ଘଟଣାସ୍ଥଳରେ ଗୋପ ଥାନାଧିକାରୀ ସୁଧୀର କୁମାର ସାହୁ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ, ସଭ୍ୟ ଶକ୍ତିପଦ ମିଶ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିବା ସହ ମାଆକୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡ଼ିଛି। ଶିଶୁଟିର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଶିଶୁଟିକୁ ଜିଲା ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଯିବା ପରେ ତାକୁ ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯିବ ବୋଲି ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ତ୍ରିପାଠୀ କହିଛନ୍ତି। ଅନ୍ୟପକ୍ଷରେ ଶିଶୁର ମାଆକୁ ଥାନାରେ ପଚରା ଉଚରା କରାଯାଉଛି। ତେବେ ପରିବାର ପ୍ରତିପୋଷଣ ଲାଗି ସ୍ୱାମୀ ଆବଶ୍ୟକୀୟ ଅର୍ଥ ଦେଉନଥିବା ଓ ବିଭିନ୍ନ ସମୟରେ ନିର୍ଯ୍ୟାତନା ଦେଉଥିବା ରୋଜାଲିନ୍‍ ଅଭିଯୋଗ କରୁଥିବାବେଳେ ତାଙ୍କର ମାନସିକ ସ୍ଥିତି ଭଲନଥିବା ଯୋଗୁଁ ସେ ଏଭଳି କରିଥିବା ସ୍ୱୀକାର କରିଛନ୍ତି। ଏ ସମ୍ପର୍କରେ ଗୋପ ଥାନାଧିକାରୀ ଶ୍ରୀ ସାହୁଙ୍କୁ ପଚାରିବାରେ ସେ କୁହନ୍ତି, ଏହି ଘଟଣାରେ ଜିଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଅଭିଯୋଗ ହୋଇଥିବାବେଳେ ମହିଳାଙ୍କ ସ୍ୱାମୀ ମଧ୍ୟ ଏକ ଅଭିଯୋଗ କରିଛନ୍ତି। ଏହା ଉପରେ ତଦନ୍ତ ଚାଲିଛି। ଖୁବ୍‍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ।

Comments are closed.