ଗୁଗୁଲ ଆଣିଲା ‘ଟିଚ ଫ୍ରମ ହୋମ’ – ଅନଲାଇନ ଶିକ୍ଷାଦାନ ହେବ ସହଜ

ସମାଜ ପୋର୍ଟାଲ ଡେସ୍କ: କରୋନା ସଂକ୍ରମଣର ଭୟାବହତା ବିଶ୍ଵବ୍ୟାପୀ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ପ୍ରାୟ ସବୁ ଦେଶର ଶିକ୍ଷାନୁଷ୍ଠାନଗୁଡିକ ଅନିର୍ଦ୍ଧିଷ୍ଟ କାଳ ଯାଏଁ ବନ୍ଦ ରହିଛି। ଅନେକ ଦେଶରେ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକରେ ଅନଲାଇନ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲେ ମଧ୍ୟ ଆନୁସଙ୍ଗିକ ସଫ୍ଟଓୟାର, ଆପ ଓ ଉନ୍ନତ ଜ୍ଞାନ କୌଶଳ ଅଭାବ ଯୋଗୁ ତାହା ସମ୍ଭବ ହୋଇପାରୁ ନାହିଁ। କିଛିଦିନ ପୂର୍ବରୁ ଭାରତରେ ଚୀନ ତିଆରି ଆପ ‘ଜୁମ’ ଦ୍ୱାରା ବହୁଳ ଭାବରେ ଅନଲାଇନ ଶିକ୍ଷାଦାନ    ଆରମ୍ଭ କରାଯାଉଥିବା ବେଳେ ସେଥିରେ ବ୍ୟକ୍ତିଗତ ତଥ୍ୟ ଲିକ ହେବାର ସମ୍ଭାବନା ଥିବା ଭାରତ ସରକାର ଓ ଅନ୍ୟ କେତେକ ଦେଶ ପକ୍ଷରୁ ଘୋଷଣା କରାଯାଇଥିଲା। ତେବେ ଏ ସବୁ ସମସ୍ୟାକୁ ଦୂର କରି ଗୁଗୁଲ ପକ୍ଷରୁ ”ଟିଚ ଫ୍ରମ ହୋମ’ ସଫ୍ଟଓୟାର ବିକଶିତ କରାଯାଇଛି।

ଏହି ସଫ୍ଟଓୟାର ଦ୍ୱାରା ଉଭୟ ଶିକ୍ଷକ ଓ ଶିକ୍ଷାର୍ଥୀ ଲାଭବାନ ହୋଇପାରିବେ। ଏଥିରେ ସୂଚନା, ପ୍ରଶିକ୍ଷଣ ଓ ଅନ୍ୟାନ୍ୟ ସୁବିଧା ରହିଛି। ଅନ୍ୟ ସଫ୍ଟଓୟାର ଓ ଆପ୍ଲିକେସନ ତୁଳନାରେ ଏଥିରେ ସହଜ ଭାବରେ ଶିକ୍ଷାର୍ଥୀମାନଙ୍କୁ ବିଷୟ ସମ୍ପର୍କିତ ପ୍ରସଙ୍ଗ ଉପସ୍ଥାପନ କରାଯାଇପାରିବ ଓ ଭିଡିଓ କଲ କିମ୍ବା ବିନା ଭିଡିଓ କଲ ଦ୍ୱାରା ମଧ୍ୟ ଶିକ୍ଷାଦାନ କରିହେବ। ପ୍ରଥମେ  classroom.google.com ଲିଙ୍କକୁ ଯିବା ପରେ ଉପରିଭାଗର ଡାହାଣ ପାର୍ଶ୍ୱରେ ଥିବା ‘+’ ଚିହ୍ନକୁ କ୍ଲିକ କରି କ୍ଲାସ କ୍ରିଏଟ କରିବ ପରେ ଅନ୍ୟମାନଙ୍କୁ  ଗ୍ରୁପରେ ସାମିଲ କରିହେବ। ଆସନ୍ତା ସେପ୍ଟେମ୍ବର ୩୦ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ଗୁଗୁଲ ତାହାର ଗୁଗୁଲ ମିଟ ଭିଡିଓର କନଫରେନସିଂ ବ୍ୟବସ୍ଥାକୁ ଦେୟମୁକ୍ତ ରଖିଛି।। ଏଥିରେ ଏକା ଥରକେ ୨୫୦ ଜଣଙ୍କୁ ଭିଡିଓ କଲ ଦ୍ୱାରା ସିଧା ସଳଖ ଶିକ୍ଷାଦାନ କରିହେବ।

ଗୁଗୁଲ ଏକ ପ୍ରେସ ବିଜ୍ଞପ୍ତିରେ କହିଛି ଯେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ‘ଗୁଗୁଲ ଜି ସୁଟ’କୁ ଦେୟମୁକ୍ତ କରାଯାଇଛି। ଏହି ‘ଟିଚ ଫ୍ରମ ହୋମ’ ଏବେ ୧୮ଟି ଭାଷାରେ ଉପଲବ୍ଧ ହେଉଥିବା ବେଳେ ଆଗାମୀ ଦିନରେ ଅନ୍ୟ ଭାଷାରେ ମିଳିବ ବୋଲି ଗୁଗୁଲ କହିଛି। ଏ ସମ୍ପର୍କରେ ଅଧିକ ତଥ୍ୟ ପାଇଁ ଆପଣମାନେ ଏହି ଲିଙ୍କର ସାହାଯ୍ୟ ନେଇ ପାରିବେ: https://storage.googleapis.com/teachfromhome.appspot.com/en-toolkit.pdf

Comments are closed.