ପଞ୍ଜୀକରଣ ହେଲା ଭର୍ଚୁଆଲ ଏକାଡେମୀ : ଗୁଗୁଲ୍‍ରେ ଉପଲବ୍ଧ ହେବ ଓଡ଼ିଆ

0

ଭୁବନେଶ୍ୱର :ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ ଭାଷାକୁ ରୁଦ୍ଧିମନ୍ତ କରିବାପାଇଁ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଭର୍ଚୁଆଲ ଏକାଡେମୀକୁ ପଞ୍ଜୀକରଣ କରାଯାଇଛି। ଖୁବ୍‍ଶୀଘ୍ର ୨୦୦୦ପୁସ୍ତକ ଡିଜିଟାଇଜେସନ କରାଯିବ। ଏହି ଦାୟିତ୍ୱ ସିଡାକ୍‍କୁ ହିଁ ଦିଆଯିବ ବୋଲି ଏକାଡେମୀ ଓଏସ୍‍ଡି ସଂଗ୍ରାମ ମହାପାତ୍ର କହିଛନ୍ତି। ଗୁରୁବାର ସଚିବାଳୟରେ ଏନେଇ ଉନ୍ନୟନ କମିଶନର ତଥା ଏକାଡେମୀର ଅଧ୍ୟକ୍ଷ ଆର୍‍ ବାଲକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ଆସନ୍ତା ମାସକ ମଧ୍ୟରେ ସିଡାକ ପ୍ରାୟ ୨ହଜାର ପୁସ୍ତକ ଡିଜିଟାଇଜେସନ କରିବ। ଇତିମଧ୍ୟରେ ପ୍ରାୟ ୨ଶହ ପୁସ୍ତକ ଡିଜିଟାଇଜେସନ ହୋଇସାରିଲାଣି। ତେବେ ଗୁଗୁଲ୍‍ର କିଭଳି ଓଡ଼ିଆକୁ ଯୋଡାଯାଇ ପାରିବ ଏବେ ବିଶ୍ୱର କୋଣ ଅନୁକୋଣରେ ଯେକେହି ବ୍ୟକ୍ତି ଓଡ଼ିଶା ତଥା ଓଡ଼ିଆ ସମ୍ପର୍କରେ ଜାଣିପାରିବେ ସେନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍‍ଶୀଘ୍ର ଗୁଗୁଲ୍‍ ସହିତ ସହବନ୍ଧିତ କରାଯିବ। ସେହିପରି ଚିକାଗୋ ବିଶ୍ୱବିଦ୍ୟାଳୟ ନିକଟରେ ୧୯୦୧ରୁ ୧୯୩୬ ମସିହା ପର୍ଯ୍ୟନ୍ତ ଥିବା ବିଭିନ୍ନ ମହାମନିଷୀଙ୍କ ଜୀବନୀ ଏବଂ ଓଡ଼ିଆ ଇତିହାସର ବହୁ ବଳିଷ୍ଠ ଘଟଣା ଗୁଡିକୁ ଆଣିବାପାଇଁ ଅନୁବନ୍ଧିତ କରାଯିବ। ଏହାସହିତ ଉଇକ୍ଲି ମିଡ଼ିଆ ସହିତ ମଧ୍ୟ ଅନୁବନ୍ଧିତ କରାଯାଇ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ସହ ଓଡ଼ିଶାର ମହାନ ଜନନାୟକ ଏବଂ ରାଧାନାଥ ରାୟ, ଗଙ୍ଗାଧର ମେହେର, ବ୍ୟାସକବି ଫକିର ମୋହନ ସେନାପତିଙ୍କ ଭଳି କାଳଜୟୀ ସାହିତ୍ୟିକଙ୍କ କାବ୍ୟ, କବିତାକୁ ସ୍ଥାନିତ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ବୈଠକରେ ଉଚ୍ଚଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ, ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ବିଶ୍ୱନାଥ ପ୍ରଧାନଙ୍କ ସହିତ ବହୁ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply