ଖୁବ୍‍ଶୀଘ୍ର ୨୦୦ କୋଟି କ୍ଲବ୍‌ରେ ସାମିଲ ହେବ ‘ଗୁଡ୍‍ ନ୍ୟୁଜ୍‍’

ମୁମ୍ବାଇ: ଅକ୍ଷୟ କୁମାର ଓ କରୀନା କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗୁଡ୍‍ ନ୍ୟୁଜ୍‍’ର ମୁକ୍ତିଲାଭକୁ ୧୦ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବକ୍ସ ଅଫିସରେ ଏହା ଦର୍ଶକଙ୍କୁ କିମିଆ କରୁଛି। ଖୁବ୍‍ଶୀଘ୍ର ଏହି ଚଳଚ୍ଚିତ୍ର ୨୦୦ କୋଟି କ୍ଲବ୍‌ରେ ସାମିଲ ହେବାକୁ ଯାଉଛି। ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ଚଳଚ୍ଚିତ୍ରର ଆୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଛନ୍ତି। ତାଙ୍କ କହିବାନୁସାରେ, ଚଳଚ୍ଚିତ୍ର ଦ୍ୱିତୀୟ ୱିକେଣ୍ଡ୍‍ରେ ପ୍ରାୟ ୩୫ କୋଟି ଟଙ୍କା ଆୟ କରିଛି। ତେବେ ଖୁବଶୀଘ୍ର ‘ଗୁଡ୍‍ ନ୍ୟୁଜ୍‍’ର ଆୟ ୧୭୫ କୋଟି ଟପିବ ଓ ୨୦୦ କୋଟି କ୍ଲବ୍‌ରେ ଏଣ୍ଟ୍ରି କରିବ ବୋଲି ସେ କହିଛନ୍ତି। ଏପର୍ଯ୍ୟନ୍ତ ଚଳଚ୍ଚିତ୍ର ମୋଟ୍‍ ୧୬୨.୧୦ କୋଟି ଟଙ୍କାର ବ୍ୟବସାୟ କରିଛି। ୨୦୧୯ରେ ପରଦାକୁ ଆସିଥିବା ଏହି ଚଳଚ୍ଚିତ୍ର ଅକ୍ଷୟଙ୍କ ଚତୁର୍ଥ ହିଟ୍‍ ଚଳଚ୍ଚିତ୍ର ପାଲଟିଛି। କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଏହା ଉଲ୍ଲେଖନୀୟ ଆୟ କରୁଛି। ଭାରତରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭର ପ୍ରଥମ ଦିନରେ ୧୭.୫୬ କୋଟି ଟଙ୍କା ଆୟ କରିଥିଲା।
ସୂଚନାଯୋଗ୍ୟ, ‘ଗୁଡ୍‍ ନ୍ୟୁଜ୍‍’ରେ ଅକ୍ଷୟ ଓ କରୀନାଙ୍କ ବ୍ୟତୀତ ଦିଲଜିତ୍‍ ଦୋସାଂଝ୍‍ ଓ କିଆରା ଆଡ଼ଭାଣୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ରାଜ ମେହତା ଏହାର ନିର୍ଦ୍ଦେଶନା ଦେଇଛନ୍ତି।

Comments are closed.