ଗୁଡ଼୍ ଫ୍ରାଇଡେ : କିଛି ଜଣା କିଛି ଅଜଣା କଥା

ଏପ୍ରିଲ୍ ୧୯ ତାରିଖ ଅର୍ଥାତ୍ ଆଜି ହେଉଛି ଗୁଡ୍ ଫ୍ରାଇଡେ। ଖ୍ରୀଷ୍ଟିୟାନ୍ ସମ୍ପ୍ରଦାୟର ଲୋକଙ୍କ ପାଇଁ ଏହା ଏକ ମହତ୍ତ୍ବପୂର୍ଣ୍ଣ ଦିନ। ଖ୍ରୀଷ୍ଟିୟାନ୍ ଧର୍ମଗ୍ରନ୍ଥ ଅନୁସାରେ ଯେଉଁଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ କ୍ରୁଶବଦ୍ଧ କରାଯାଇଥିଲା ସେହିଦିନ ଶୁକ୍ରବାର ଥିଲା। ଏହି ଦିନକୁ ଚିର ସ୍ମରଣୀୟ କରି ରଖିବା ପାଇଁ ଏହାକୁ ଗୁଡ଼୍ ଫ୍ରାଇଡେ ଭାବେ ପାଳନ କରାଯାଏ। ପ୍ରେମ ଏବଂ ଜ୍ଞାନର ବାର୍ତ୍ତା ଦେଉଥିବା ପ୍ରଭୁ ଯୀଶୁ ଏହିଦିନ ପୃଥିବୀରେ ବଢୁଥିବା ପାପ ପାଇଁ ବଳୀଦାନ ଦେଇ ନିଃଶ୍ବାର୍ଥ ପ୍ରେମର ଉଦାହରଣ ଦେଇଥିଲେ। ଏହିଦିନ ପ୍ରଭୁ ଯୀଶୁ ବହୁ ଅତ୍ୟାଚାର ଯାତନା ସହ୍ୟ କରି ମାନବଜାତି ପାଇଁ ନିଜ ପ୍ରାଣ ତ୍ୟାଗ କରିଥିଲେ। ତେବେ ଚାଲନ୍ତୁ ଜାଣିବା ଗୁଡ଼୍ ଫ୍ରାଇଡେ ବିଷୟରେ କିଛି ବିଶେଷ କଥା –

 

-ଏହି ଦିନ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକମାନେ ଉପବାସ କରିଥାଆନ୍ତି।
-ଗୁଡ୍ ଫ୍ରାଇଡେ’ରେ ଲୋକମାନେ ଚର୍ଚ୍ଚରେ ବିଶେଷ ପ୍ରାର୍ଥନା କରିଥାଆନ୍ତି।
-ଶ୍ରଦ୍ଧାଳୁମାନେ ଏହିଦିନ ପ୍ରଭୁ ଯୀଶୁ କ୍ରୁଶ ଉପରେ ତିନି ଘଣ୍ଟା ଧରି ଭୋଗିଥିବା ପୀଡ଼ାକୁ ସ୍ମରଣ କରିଥାଆନ୍ତି।
-ସ୍ଥାନେ ସ୍ଥାନେ ରାତିରେ ଶ୍ରଦ୍ଧାଳୁ ଯୀଶୁଙ୍କ ଛବି ଧରି ଶୋକ ପାଳନ କରିବା ସ୍ବରୂପ ପଦଯାତ୍ରା ବାହାର କରିଥାଆନ୍ତି।
-ଏହିଦିନ ଚର୍ଚ୍ଚରେ ଘଣ୍ଟି ବଜାଯାଏ ନାହିଁ ଏହା ପରିବର୍ତ୍ତେ କାଠରେ ଖଟ୍ ଖଟ୍ କରି ଶବ୍ଦ କରାଯାଏ।
-ଶ୍ରଦ୍ଧାଳୁମାନେ ଏହିଦିନ ଯୀଶୁଙ୍କ ପ୍ରତୀକ କ୍ରଶକୁ ଚୁମ୍ବନ ଦେଇ ପ୍ରଭୁଙ୍କୁ ସ୍ମରଣ କରିଥାଆନ୍ତି।
-ଗୁଡ଼୍ ଫ୍ରାଇଡ଼େ’ରେ ଖ୍ରୀଷ୍ଟିୟାନ୍ ସମ୍ପ୍ରଦାୟର ଲୋକେ ସାମାଜିକ କାର୍ୟ୍ୟକୁ ପ୍ରୋତ୍ସାହନ ଦେବା ସ୍ବରୂପ ନିଜ ସାମର୍ଥ୍ୟ ଅନୁସାରେ କିଛି ଦାନ କରିଥାଆନ୍ତି।
-ବିଶ୍ବାସ ରହିଛି ଯେ ଗୁଡ୍ ଫ୍ରାଇଡେ ପରେ ରବିବାର ଦିନ ପ୍ରଭୁ ଯୀଶୁ ପୁନଃ ଜୀବିତ ହୋଇ ଉଠିଥିଲେ। ଏହାକୁ ଇଷ୍ଟର ସନ୍ ଡେ’ ବୋଲି କୁହାଯାଏ।

Comments are closed.