ଗୋଲଡେନ ଲ୍ୟାଣ୍ଡ ଜମାକାରୀଙ୍କ ମେଳି, ଟଙ୍କା ନ ମିଳିଲେ କମ୍ପାନୀ ସମ୍ପତ୍ତି ଦଖଲ ଚେତାବନୀ

ଗୋପାଳପୁର : ଗୋଲଡେନ ଲ୍ୟାଣ୍ଡ ଡେଭଲପର ପ୍ରାଇଭେଟ୍ ଲିମିଟେଡ କମ୍ପାନୀରେ ଦୀର୍ଘ ବର୍ଷ ଧରି ପାଣ୍ଠି ବିନିଯୋଗ ପରେ ମଧ୍ୟ ସଠିକ ସମୟରେ ନିଜର ଜମା ପୁଞ୍ଜି ରାଶି ପାଇବାରୁ ବଞ୍ଚିତ ହେବା ପରେ ଆଜି ଜମାକାରୀ ମାନେ ମେଳି କରିବା ସହ ତୁରନ୍ତ ତାଙ୍କ ଟଙ୍କା ଫେରାଇବା ନିମନ୍ତେ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନେବାକୁ ଚିଠି ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଛନ୍ତି। ରଗେଂଇଲୁଣ୍ଡା ବ୍ଲକ ବକ୍ସିପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଡିଗିପୁର ଗ୍ରାମର ୧୫୦ ରୁ ଉର୍ଦ୍ଧ୍ବ ଗୋଲଡେନ ଲ୍ୟାଣ୍ଡ ଜମାକାରୀ ସ୍ଥାନୀୟ ଶିବ ମନ୍ଦିର ପ୍ରାଙ୍ଗଣରେ ଏକଜୁଟ ହେବା ସହ ଗୋଲଡେନ ଲ୍ୟାଣ୍ଡ ପକ୍ଷରୁ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ଜମା ପୁଞ୍ଜି ରାଶି ଫେରସ୍ତ କରାଯାଇନାହିଁ। ଏହା ନେଇ ସ୍ଥାନୀୟ ଏଜେଣ୍ଟ  କେ.ନରସିଂହୁଲୁ ଙ୍କୁ ବହୁବାର ଜଣାଇବା ସହ ଟଙ୍କା ଫେରସ୍ତ ନିମନ୍ତେ କମ୍ପାନୀ ସହ ଯୋଗାଯୋଗ କରିବାକୁ କୁହାଯାଉଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନଥିବା ଜମାକାରୀ ମାନେ ଅଭିଯୋଗ କରିଛନ୍ତି। ଏଥିସହ ଗ୍ରାମର ଜମାକାରୀ ମାନେ ଗତ ୨୦୧୨ ମସିହାରେ ଫିକ୍ସଡ ଡିପୋଜିଟ ସହ ମାସିକ ଡିପୋଜିଟ ଭାବେ ୨୦୧୮ ମସିହା ପର୍ଯ୍ୟନ୍ତ ପ୍ରାୟ ୧ କୋଟି ଟଙ୍କା ଜମା କରିଥିଲେ। ୨୦୧୮ ରେ ସମସ୍ତ ଜମାକାରୀ କମ୍ପାନୀ ଠାରୁ ନିଜର ଜମାପୁଞ୍ଜି ରାଶି କିମ୍ବା ସମପରିମାଣର ଜମି ପାଇବା ନିମନ୍ତେ କମ୍ପାନୀ ବଣ୍ଡ ପେପର ଦିଆଯାଇଥିଲା। ଆଜି ଅନୁଷ୍ଠିତ ବୈଠକ ପରେ ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ,କନିଷି ତହସିଲଦାର ସହ ଗୋପାଳପୁର ଥାନାକୁ ଏକ ଦାବିପତ୍ର ପ୍ରଦାନ ପୂର୍ବକ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜମାକାରୀଙ୍କ ସମସ୍ତ ଟଙ୍କା ଫେରସ୍ତ କରାଇବା ନିମନ୍ତେ ପଦକ୍ଷେପ ନେବାକୁ ଦାବି କରାଯିବା ସହ ଆସନ୍ତା ୧୫ ଦିନ ମଧ୍ୟରେ ଏହାର‌ କୈାଣସି ସମାଧାନର ପନ୍ଥା ନ ବାହାରିଲେ ଜମାକାରୀମାନେ ଗୋପାଳପୁରରେ କମ୍ପାନୀ ନାମରେ ଥିବା ୦.୪୦୦୫ ଏକର ଜମି ଉପରେ ଗଡ଼ି ଉଠିଥିବା ଗୋଲଡେନ ରିସୋର୍ଟକୁ ନିଜ ଜବରଦଖଲ କୁ ନେବାକୁ ବାଧ୍ୟ ହେବେ ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।

Comments are closed.