ମିଠା ଦର କିଲୋ ପିଛା ୨୧ହଜାର ଟଙ୍କା !

ପର୍ବପର୍ବାଣି ଋତୁରେ ଆମ ଦେଶରେ ମିଠା ବ୍ୟଞ୍ଜନ ପ୍ରତ୍ୟେକଙ୍କ ଘରେ ପରଷାଯାଇଥାଏ। କେହି ନିଜେ ଘରେ ତିଆରି କରୁଥିବାବେଳେ ଅନ୍ୟ କେତେଜଣ ଦୋକାନରୁ ବିଭିନ୍ନ ପ୍ରକାରର ମିଠା କିଣିବାକୁ ପସନ୍ଦ କରିଥାନ୍ତି। ଦୀପାବଳି ପାଇଁ ଦିଲ୍ଲୀ, ମୁମ୍ବଇ ଓ ଗୁଜରାଟ୍ ବଜାର ବେଶ୍ ସରଗରମ। କରୋନା କଟକଣାକୁ ମାନି ମିଠା ବ୍ୟବସାୟୀମାନେ ଭଳିକିଭଳି ସୁଆଦର ମିଠା ଏଥରକ ପ୍ରସ୍ତୁତ କରିଛନ୍ତି। ଗତ କିଛି ବର୍ଷ ହେଲା ଭାରତୀୟ ବଜାରରେ ସୁନା ମିଠାର ଆଦର ବଢ଼ିଛି। ଚଳିତଥର ମଧ୍ୟ ନାମୀ ମିଠା ଦୋକାନୀ ଏହି ସ୍ବର୍ଣ୍ଣଖଚିତ ମିଠା ପ୍ରସ୍ତୁତ କରୁଥିବାର ପ୍ରକାଶ। ଦିଲ୍ଲୀର ଏକ ଲକ୍‌ଜୁରୀ ମିଠା ଦୋକାନୀ ଭାବେ ‘ଗୁଡ଼-ଚିନି’ ଦୋକାନର ନାମ ବେଶ୍ ଲୋକପ୍ରିୟ। ୨୦୧୮ରୁ ଏଇ ଦୋକାନ ନିଜର ୪୮ଜଣିଆ ଟିମ୍ ସହ ମିଶି ପେଡ଼ା ଓ ଲଡୁ ପ୍ରସ୍ତୁତ କରୁଛି, ଯାହ କିଲୋ ପିଛା ୨୧ହଜାର ଟଙ୍କା-୩୦ହଜାର ଟଙ୍କାରେ ବିକ୍ରି ହୋଇଥାଏ।

ଜାଣି ଆଶ୍ଚର୍ଯ୍ୟ ହେବେ, କେବଳ ଭାରତ ନୁହେଁ, ଏଇ ମିଠା ପାଇଁ ବିଦେଶରେ ଥିବା ଭାରତୀୟମାନେ ସମୟ ପୂର୍ବରୁ ବରାଦ ଦେଇଥାନ୍ତି। ଚଳିତଥର କରୋନା କାରଣରୁ ମାତ୍ର ୬୦୦ ପ୍ୟାକେଟ୍ ସୁନା ଗୁଣ୍ଡ ଖଚିତ ପେଡ଼ା ଓ ଲଡୁ ପ୍ରସ୍ତୁତ ହେବ ବୋଲି ଦୋକାନର ମାଲିକ ରୋହନ୍ କହିଛନ୍ତି। ଇଟାଲୀରୁ ଆସୁଥିବା ଦାମୀ ପେସ୍ତାବାଦାମ ସହ ଅନ୍ୟାନ୍ୟ ସାମଗ୍ରୀ ମିଶି ଏହି ମିଠା ପ୍ରସ୍ତୁତି ହୁଏ। ଗୁଡ଼-ଚିନି ଦୋକାନର ମିଠାର ନିୟମିତ ଗ୍ରାହକ ହେଉଛନ୍ତି ମୁକେଶ ଅମ୍ବାନୀଙ୍କ ପରିବାର। ତାଙ୍କ ବଡ଼ ପୁଅ ଆକାଶ ଅମ୍ବାନୀଙ୍କ ବିବାହରେ ଏଇ ଦୋକାନରୁ ୮୦୦ ପ୍ୟାକେଟ୍ ସୁନା ପେଡ଼ା ବରାଦ ହୋଇଥିଲା। ଝିଅ ଈଶା ଅମ୍ବାନୀଙ୍କ ବିବାହରେ ପରଷାଯାଇଥିବା ସମସ୍ତ ପ୍ରକାର ମିଠା ବ୍ୟଞ୍ଜନ ଏଇ ଦୋକାନର ରୋଷେୟା ପ୍ରସ୍ତୁତ କରିଥିବାର ପ୍ରକାଶ।

ଗୁଡ଼-ଚିନି ଭାରତର ଏକମାତ୍ର ଦୋକାନ ନୁହେଁ, ଯେଉଁଠାରେ ଏଭଳି ସୁନା ମିଶ୍ରିତ ମିଠା ତିଆରି ହୁଏ। ସେହିଭଳି ଏକ ଦୋକାନ ରହିଛି ଗୁଜରାଟ୍‌ରେ, ସେଠାରେ ‘ଗୋଲ୍ଡ ଘାରି’ ନାମକ ମିଠା କିଲୋ ପିଛା ୯ହଜାର ଟଙ୍କାରେ ବିକ୍ରି ହେଉଛି। ପାର୍ବଣକୁ ଲକ୍ଷ୍ୟରେ ରଖି ଏହି ସୁନା ଆବରଣ ଥିବା ମିଠା ତିଆରି କରାଯାଇଥିବାର ଦୋକାନ କର୍ମଚାରୀଙ୍କ ମତ। ସୁନା ମିଠା ପାଇଁ ୨୪ ଘଣ୍ଟା ପୂର୍ବରୁ ଟଙ୍କା ପଇଠ ସହ ବରାଦ୍ ଦେବାକୁ ପଡ଼ୁଛି ଗ୍ରାହକଙ୍କୁ। n

Comments are closed.