ମାଟିତଳୁ ସାଢ଼େ ପାଞ୍ଚ କେଜି ଓଜନ ସୁନାର ଶିବ ପାର୍ବତୀ ମୂର୍ତ୍ତି ଉଦ୍ଧାର

ବରଗଡ଼(ସୁରେନ୍ଦ୍ର କୁମାର ହୋତା)-ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ମାଟି ତଳୁ ପାଞ୍ଚ କେଜି ଓଜନର ଶିବ ପାର୍ବତୀଙ୍କ ବିରଳ ସ୍ୱର୍ଣ୍ଣ ମୂର୍ତ୍ତି ଉଦ୍ଧାର କରାଯାଇଛି। ଏ ନେଇ ଭାରତର ବିଶିଷ୍ଟ ପ୍ରତ୍ନତତ୍ତ୍ୱବିଦ ତଥା ଖଡ଼ିଆଲ ମହାରାଜା ଜିତାମିତ୍ର ପ୍ରସାଦ ସିଂହଦେଓ ଏହି ପ୍ରତିନିଧିଙ୍କୁ ସୂଚନା ଦେଇ କହିଥିଲେ ଯେ ନୂଆପଡ଼ା ଜିଲାର କୋମନା ବ୍ଳକର ଦେବଦରହା ପଞ୍ଚାୟତର ମିଟିତଳୁ ମିଳିଥିବା ଶିବ ପାର୍ବତୀଙ୍କ ଏହି ବିରଳ ସ୍ୱର୍ଣ୍ଣମୂର୍ତ୍ତିଟି ସପ୍ତମ ଶତାବ୍ଦୀର ଅଟେ। ମୂର୍ତ୍ତି ମିଳିଥିବା ସ୍ଥାନଟି ଏକଦା ପ୍ରାଚୀନ ଦକ୍ଷିଣ କୋଶଳ ପ୍ରଦେଶର ଅର୍ନ୍ତଭୁକ୍ତ ଥିଲା।ମାଟିତଳୁ ମିଳିଥିବା ଏହି ସ୍ୱର୍ଣ୍ଣ ମୂର୍ତ୍ତିର ଓଜନ ପାଞ୍ଚ କେଜି ରହିଥିବା ସମୟରେ ଉଚ୍ଚତା ଅଢ଼େଇ ଫୁଟ ଓ ପ୍ରସ୍ଥ ଦେଢ଼ ଫୁଟ ରହିଛି। ସଂପ୍ରତି ବଜାରରେ ୧୦ ଗ୍ରାମ ସୁନାର ଓଜନ ୫୪ହଜାର ୫୦୦ ଟଙ୍କା ଦୃଷ୍ଟିରୁ ମାଟିତଳୁ ମିଲିଥିବା ଏହି ସ୍ୱର୍ଣ୍ଣ ମୂର୍ତ୍ତିରେ ବ୍ୟବହୃତ କେବଳ ସୁନାର ମୂଲ୍ୟ ସାଢ଼େ ତିନିକୋଟି ଟଙ୍କାରୁ ଅଧିକ ହେବ। ତେବେ ଏହି ମୂର୍ତ୍ତିଟି ସପ୍ତମ ଶତାବ୍ଦୀର ହୋଇ ଥିବାରୁ ଏହା ଦୁର୍ମୁଲ୍ୟ ଅଟେ ଏବଂ ପ୍ରତ୍ନତତ୍ୱ ନୃଷ୍ଟିରୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ। ଅତୀତରେ ବରଗଡ଼ ଜିଲାର ଗନିଆପାଲିରୁ ଦୁର୍ମୁଲ୍ୟ ମୁଛଳିନ୍ଦ ବୁଦ୍ଧ ମୂର୍ତ୍ତି ଚୋରି ହୋଇ ଯାଇଥିଲା। ସେ ସମୟରେ ପୁଲିସ ଖୁବ ଶୀଘ୍ର ମୂର୍ତ୍ତିଟିକୁ ଉଦ୍ଧାର କରାଯିବ ବୋଲି ଗଣମାଧ୍ୟମରେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ହେଁ ଦୀର୍ଘ ଦଶନ୍ଦୀ ଅତିକ୍ରାନ୍ତ ହେବା ପରେ ମଧ୍ୟ ଏ ପର୍ଯ୍ୟନ୍ତ ମୁଉଳିନ୍ଦ ବୁଦ୍ଧ ମୂର୍ତ୍ତି ଉଦ୍ଧାର ହୋଇ ପାରିନାହିଁ କିମ୍ବା ତହିଁର ରହସ୍ୟ ମଧ୍ୟ ଉନ୍ମୋଚିତ ହୋଇ ନାହିଁ। ପଶ୍ଚିମ ଓଡ଼ିଶାରୁ ଗୋଟିକ ପରେ ଗୋଟିଏ ଦୁମୂଲ୍ୟ ମୂର୍ତ୍ତି ଚୋରି ଯାଉଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ଯେତିକି ତତ୍ପରତା ପ୍ରକାଶ ପାଇବା କଥା ତାହା ଅନୁଭୂତ ହେଉନାହିଁ। ଏଭଳି ପରିସ୍ଥିତିରେ ନୂଆପଡ଼ା ଜିଲ୍ଳାର କୋମନା ବ୍ଳକ ପାଟୁଲି ପାହାଡ଼ ପାଦଦେଶରେ ଥିବା ଦରଭଟା ଗ୍ରାମ ନିକଟରୁ ଉଦ୍ଧାର ହୋଇଥିବା ଏହି ସ୍ୱର୍ଣ୍ଣମୂର୍ତ୍ତିର ସୁରକ୍ଷା ନେଇ ବୁଦ୍ଧିଜିବୀ ମହଳରେ ଉଦବେଗ ପ୍ରକାଶ ପାଇବା ସ୍ୱାଭାବିକ।ଆମ ପ୍ରତିନିଧିଙ୍କ ସହ ଆଲୋଚନା ସମୟରେ ଖଡ଼ିଆଲ ମହାରାଜା ତଥା ପତ୍ନତତ୍ୱବିଦ ଜିତାମିତ୍ର ପ୍ରସାଦ ସିଂହ ଦେଓ ସୂଚନା ଦେଇଥିଲେ ଯେ ,ଦକ୍ଷିଣ କୋଶଳର ଏହି ଅଞ୍ଚଳର ଭୂଗର୍ଭରେ ଏକ ସମ୍ପୃଦ୍ଧ ଇତିହାସ ଓ ସଭ୍ୟତା ରହିଛି।ଏହାର କିଛି ଅଂଶ ମାରାଗୁଡ଼ାର ଜଳଭଣ୍ଣାରରେ ନିମଗ୍ନ ହୋଇ ସାରିଛି।ଅବଶିଷ୍ଟ ଯାହା ବି ରହିଛି ସେ ସମ୍ପର୍କରେ ଏବେ ବି ଗବେଷଣା ହୋଇ ନାହିଁ। ମହାରାଜା ଜିତାମିତ୍ର ପ୍ରସାଦ ସିଂହଦେଓଙ୍କ ସୂଚନା ଅନୁଯାୟୀ ଏକଦା ୨୦୦୯ରେ ଧରାଭଟା ଗ୍ରାମର ଆଦିବାସୀ ପୁଜକ ଚନ୍ଦ୍ରମଣୀ ଧରୁଆଙ୍କୁ ସ୍ୱପ୍ନରେ ମହାଦେବ ନିର୍ଦ୍ଦେଶ ଦେଇଥିଲେ ଯେ ତାଙ୍କ ଗ୍ରାମ ନିକଟରେ ମହାଦେବ ସ୍ୱର୍ଣ୍ଣମୂର୍ତ୍ତି ରୂପେରେ ଅଛନ୍ତି। ତାଙ୍କୁ ଖୋଜିବାକୁ ମହାଦେବ ସ୍ୱପ୍ନରେ ନିର୍ଦ୍ଦେଶ ଦେଇଥିଲେ। ଏହି ସ୍ୱପ୍ନ ପରେ ପୂଜକ ଚନ୍ଦ୍ରମଣୀ ଧରୁଆ ଚିନ୍ତିତ ହୋଇ ପଡ଼ିଲେ ଏବଂ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିବା ସହ ଖଡ଼ିଆଲ ମହାରାଜାଙ୍କୁ ମଧ୍ୟ ଭେଟିଥିଲେ। ମହାରାଜା ଜିତାମିତ୍ର ପ୍ରସାଦ ସିଂହ ଦେଓ ଏହାକୁ ଇଶ୍ୱରଙ୍କ କୃପା ଓ ଇଙ୍ଗୀତ ବୋଲି ବୁଝାଇ ଦେବା ସହ ଆନ୍ତରିକତାର ସହ ଉଦ୍ୟମ କଲେ ଖୋଦ ମହାଦେବ ତାଙ୍କୁ ମାର୍ଗ ପ୍ରଦର୍ଶନ କରିବେ ବୋଲି କହିଥିଲେ।ଏହି ଘଟଣାର ଏଗାର ବର୍ଷ ପରେ ସ୍ୱପ୍ନଟି ବାସ୍ତବ ରୂପ ନେଇଥିଲା। ୯ ସେପଟେମ୍ବର ୨୦୨୦ ଦିନ ଆଦିବାସୀ ପୂଜକ ପତି ଡ଼ଙ୍ଗରର ପାଦଦେଶରେ ପହଞ୍ଚିବା ସମୟରେ ତାଙ୍କୁ ମନେ ହୋଇଥିଲା ଯେ ମାଟି ତଳେ ତାଙ୍କ ସ୍ୱପ୍ନର ମହାଦେବ ଅଛନ୍ତି ଏଣୁ ସେ ତାଙ୍କ ସହଯୋଗୀ ମାନଙ୍କ ସହ ମାଟି କୋଡ଼ିବା ପରେ ସେଠାରେୁ ସତକୁ ସତ ପାଞ୍ଚ କେଜି ଓଜନ ତଥା ଅଢ଼େଇ ପୁଟ ଉଚ୍ଚତା ଓ ଦେଢ଼ପୁଟ ଦୈର୍ଘ୍ୟର ଶିବ ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ମିଲିଥିଲା।ଏ ସମ୍ପର୍କରେ ସେମାନେ ଖଡ଼ିଆଲ ମହାରାଜା ଜିତାମିତ୍ର ପ୍ରସାଦ ସିଂହ ଦେଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମହାରାଜା ଜିତାମିତ୍ର ପ୍ରସାଦ ସିଂହ ଦେଓ ଏହି ମୁର୍ତ୍ତିଟି ସପ୍ତମ ଶତାବ୍ଦୀରେ ଦକ୍ଷିଣ କୋଶଲରେ ରାଜତ୍ୱ କରୁଥିବା ପାଣ୍ଡୁବଂଶୀ ରାଜା ମହାଶିବଗୁପ୍ତ ବାଳାର୍ଜୁନଙ୍କ ଶାସନ ସମୟର ବୋଲି ଚିହ୍ନଟ କରିଥିଲେ।ଏହି ସମୟରେ ଦକ୍ଷିଣ କୋଶଳର ରାଜଧାନୀ ଶ୍ରୀପୁରରେ ରହିଥିଲା।ସେ ଜଣେ ଶିବଭକ୍ତ ଥିଲେ ଏବଂ ତାଙ୍କ ସମୟରେ ନକ୍ଷିଣ କୋଶଳରେ ଶୈବତନ୍ତ୍ରର ବ୍ୟାପକ ପ୍ରଚଳନ ରହିଥିଲା ଏବଂ ଏହି ସମୟରେ ତତ୍କାଳିନ ଦକ୍ଷିଣ କୋଶଲ ତଥା ବର୍ତ୍ତମାନର ଛତିଶଗଡ଼ ଓ ପଶ୍ଚିମ ଓଡ଼ିଶାରେ କୋଶଲି ରେଖା ଶୈଳୀର ବହୁ ଶୈବ ମନ୍ଦିର ନିର୍ମିତ ହୋଇଥିଲା। ନୂଆପଡ଼ା ଜିଲାର ବୁଦ୍ଧ କୋମନା ଠାରେ ମଧ୍ୟ ଏହି କୋଶଳି ରେଖା ଶୈଳୀର ଏକ ପ୍ରାଚୀନ ଶୈବମନ୍ଦିର ରହିଛି।ଏହି ମନ୍ଦିରରେ ‘ଗରୁଡ଼’ଙ୍କୁ ସଙ୍କେତ ରୂପେ ବ୍ୟବହାର କରାଯାଇଛି।ଏହି ଅଞ୍ଚଳରୁ ପୂର୍ବରୁ ବହୁ ଶିଳାଳିପି ତାମ୍ରପଟ୍ଟା ଆଦି ଉଦ୍ଧାର କରାଯାଇଛି ଯେଉଥିରେ ଶୈବଧର୍ମ ତଥା ଶୈବତନ୍ତ୍ରର ଝଳକ ରହିଛି।ଏଣୁ ନୂଆପଡ଼ା ଅଞ୍ଚଳର ଭୂଗର୍ଭରେ ଏବେ ବି ବହୁ ସମୃଦ୍ଧ ଇତିହାସ ଓ ସଂସ୍କୃତି ଛପି ରହିଛି। ରାଜ୍ୟ ତଥା କେନ୍ଦ୍ର ସରକାର ଏହି ଅଞ୍ଚଳର ପ୍ରତ୍ୱତାତ୍ତ୍ୱିକ ଖନନ ସହ ତହିଁର ସୁରକ୍ଷା କରିବା ପାଇଁ ମହାରାଜା ଜିତାମିତ୍ର ପ୍ରସାଦ ସିଂହ ଦେଓ ଦାବି ଜଣାଇଛନ୍ତି।ଏଠାରେ ପ୍ରକାଶ ଯୋଗ୍ୟ ଯେ ଖଡ଼ିଆଲ ମହାରାଜା ଜିତାମିତ୍ର ପ୍ରସାଦ ସିଂହ ଦେଓ ଦକ୍ଷିଣ କୋଶଳ ସମ୍ପର୍କରେ ବିସ୍ତୃତ ରୂପେ ଗବେଷଣା କରିଛନ୍ତି।ଦକ୍ଷିଣ କୋଶଳ ସମ୍ପର୍କରେ ତାଙ୍କ ରଚିତ ଗବେଷଣାତ୍ମକ ପୁସ୍ତକ ‘ଆର୍କିଓଲୋଜି ଅଫ ଓଡ଼ିଶା : ୱିଥ ସ୍ପେଶାଳ ରେଫେରେନ୍ସ ଟୁ ନୂଆପଡ଼ା ଏଣ୍ଡ କଳାହାଣ୍ଡି’, ‘ଦ ନିଉ ଏସପେକ୍ଟ ଅଫ ହିଷ୍ଟ୍ରି ଏଣ୍ଡ କଲଚର ଅଫ ସାଉଥ କୋଶଳ’, ୧୯୮୭ରେ ପ୍ରକାଶିତ ‘କଳଚୁରାଲ ପ୍ରୋଫାଇଲ ଅଫ ସାଉଥ କୋଶଳ’, ‘ଦ ତାନ୍ତ୍ରିକ ହେଡ଼ୁଇଜମ ଅଫ ମହାନଦୀ ଭେଲି (ଉଡ୍ଡିୟନ ପୀଠ), ‘ଏ ୟୁନିକ ଷ୍ଟାର ସେପଡ଼ ସିଦ୍ଧେଶ୍ବର ଟେମ୍ପୁଲ ପଲାରି କୋଶଲ’ ଏବଂ ‘ପୋଲିଟିକାଲ ହିଷ୍ଟ୍ରି ଅଫ ସୋମବଂଶୀଜ କିଙ୍ଗ ଅଫ ସାଉଥ କୋଶଳ ଏଣ୍ଡ ଓଡ଼ିଶା’ ଆଦି ଗନ୍ଥ ଆର୍ନ୍ତଜାତିକ ସ୍ତରରେ ଚାଞ୍ଚଳ୍ୟ ସୃଷ୍ଟି କରିଛି।

Comments
Loading...