ଦିପାବଳୀକୁ ୭୦,୦୦୦ ଟଙ୍କା ଛୁଇଁପାରେ ସୁନା

ନୂଆଦିଲ୍ଲୀ,୧୦ା୮:କରୋନା ମାଡ଼ରେ ଦେଶରେ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି ସୁନା ଓ ରୁପା ଦର। ଗତ ଶୁକ୍ରବାର ସୁଦ୍ଧା  କ୍ରମାଗତ ଭାବେ ୧୬ ଦିନ ଧରି ସୁନା ଓ ରୁପା ଦରରେ ବୃଦ୍ଧି ଜାରି ରହିଛି ା ଚଳିତବର୍ଷ ଜାନୁଆରୀଠାରୁ ନିବେଶକଙ୍କୁ ବିପୁଳ ପରିମାଣର ରିଟର୍ଣ୍ଣ ଦେବାରେ ଲାଗିଛି ସୁନା। ବିଶେଷଜ୍ଞଙ୍କ କହିବାନୁଯାୟୀ, ଦୀପାବଳି ବେଳକୁ ସୁନା ଦର ୧୦ ଗ୍ରାମ ପିଛା ୭୦,୦୦୦ ଟଙ୍କାରେ ପହଞ୍ଚିପାରେ। ଏଭଳି ପରିସ୍ଥିତିରେ ଏହି କ୍ଷେତ୍ରରେ ଅଧିକ ନିବେଶ କରିବାକୁ ବିଶେଷଜ୍ଞମାନେ ମତ ଦେଇଛନ୍ତି । ନିବେଶକ ସଂସ୍ଥା ଜେ.ପି. ମୋର୍ଗାନର ଏକ ରିପୋର୍ଟ ଅନୁଯାୟୀ, ଆସନ୍ତା ଦୁଇ ମାସ ମଧ୍ୟରେ ୧୦ ଗ୍ରାମ ପିଛା ସୁନା ଦର ୭୦,୦୦୦ ଟଙ୍କା ସ୍ତରରେ ପହଞ୍ଚିପାରେ। ବିଶ୍ୱରେ କୋଭିଡ-୧୯ ସଙ୍କଟ ଶେଷ ହୋଇଗଲେ ସୁଦ୍ଧା ବିଶ୍ୱ ଅର୍ଥନୀତି ଏତେ ଶୀଘ୍ର ସ୍ଥିର ହେବନାହିଁ। ଏଭଳି ପରିସ୍ଥିତିରେ ଯେତେବେଳେ ଅର୍ଥନୈତିକ ଜାରି ସଙ୍କଟ ରହିବ, ସୁନାର ଚାହିଦା ସ୍ଥିର ରହିବା ସହ ଦର ବୃଦ୍ଧି ପାଇବ। କେବଳ ସୁନା ନୁହେଁ ରୁପା ଦର ମଧ୍ୟ ବୃଦ୍ଧି ପାଇବ। ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପା ଯଥାକ୍ରମେ ଆଉନ୍ସ ପିଛା ୨,୦୬୨ ଡଲାର ଏବଂ ୨୮.୩୬ ଡଲାରରେ କାରବାର ହେଉଛି। ଆଜି ରାଜଧାନୀ ନୂଆଦିଲ୍ଲୀରେ ସୁନା ୧୦ ଗ୍ରାମ ପିଛା ୨୧୦ ଟଙ୍କା ବୃଦ୍ଧି ଘଟି ୫୪,୯୯୯ ଟଙ୍କା ଏବଂ ରୁପା କିଲୋ ପିଛା ୯୬୦ ଟଙ୍କା ବୃଦ୍ଧି ଘଟି ୭୫,୧୨୦ ଟଙ୍କା ରହିଛି।

Comments are closed.