କରୋନା ଲାଗି ସୁନା ମାସ୍କ: ଦାମ ୨.୯ ଲକ୍ଷ ଟଙ୍କା

କରୋନା ସଂକ୍ରମଣରୁ ରକ୍ଷା ଲାଗି ଲୋକଙ୍କ ଲାଗି ମାସ୍କ ବାଧ୍ୟତାମୂଳକ କରାଯାଇଛି । ମାସ୍କ ବେପାର ଏବେ ବଢ଼ିଛି । ଲୋକମାନେ ବିଭିନ୍ନ ପ୍ରକାରର ମାସ୍କ ପିନ୍ଧୁଛନ୍ତି । କେହି କେହି ତ ନିଜ ପୋଷାକ ସହ ମ୍ୟାଚିଂ କଲାପରି ମାସ୍କ ପିନ୍ଧୁଥିବା ଦେଖାଯାଉଛି । ନିକଟରେ ଇଂଲଣ୍ଡର ମହାରାଣୀଙ୍କ କିଛି ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ପିନ୍ଧିଥିବା ପୋଷାକ ରଙ୍ଗର ମାସ୍କ ଓ ଟୋପି ପିନ୍ଧିଥିବା ଦେଖାଯାଇଥିଲା । ମାତ୍ର ପୁନେର ଜଣେ ବ୍ୟକ୍ତି ସୁନାରେ ତିଆରି ମାସ୍କ ପିନ୍ଧି ଅନ୍ୟମାନଙ୍କୁ ଚକିତ କରି ଦେଇଛନ୍ତି । ସୋସିଆଲ ମିଡ଼ିଆରେ ତାଙ୍କ ମାସ୍କ ଫଟୋ ଭାଇରାଲ ହୋଇଛି ।

ଏହି ବ୍ୟକ୍ତିଙ୍କ ନାମ ଶଙ୍କର କୁହାର୍ଡ଼େ । ସେ ପିନ୍ଧିଥିବା ମାସ୍କ ସୁନାରେ ତିଆରି ଓ ଏହାର ମୂଲ୍ୟ ୨.୯ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଏବିଭି (ମରାଠୀ)ରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ମାସ୍କ ଦେଶର ସବୁଠାରୁ ମହଙ୍ଗା ମାସ୍କ ଭାବରେ ପରିଗଣିତ ହୋଇଛି । ଶଙ୍କରଙ୍କୁ କିଛି ଲୋକ ସୁନା ମଣିଷ ବୋଲି କହନ୍ତି । ସେ ସବୁବେଳେ ସୁନା ଆଭୂଷଣରେ ଆଚ୍ଛାଦିତ ହୋଇ ରହିଥାଆନ୍ତି । ସେ ପ୍ରାୟ ୩ କିଲୋ ଓଜନର ସୁନା ପିନ୍ଧି ବାହାରକୁ ବାହାରନ୍ତି । ସବୁ ଆଙ୍ଗୁଳିରେ ମୁଦି, ବେକରେ ଚେନ, ହାତରେ ବଳା ଆଉ ତାଙ୍କ ଯୋତାରେ ବି ସୁନାର ଆବରଣ ଥାଏ ବୋଲି କୁହାଯାଏ ।

Comments are closed.