ସାବେରୀ ଗର୍ଭରୁ ମିଳୁଛି ସୁନା

0

ମାଥିଲି : ସାବେରୀ ନଦୀ ବାଲିରୁ ମିଳୁଛି ସୁନା। ତାହା ପୁଣି ୨୪ କ୍ୟାରେଟ। ବାଲିରୁ ସୁନା ବାହାର କରୁଛନ୍ତି ଆଦିବାସୀ। ନଦୀ କୂଳରେ ପରିବାର ସହ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପିଲା ଛୁଆ ସହ ନଦୀ ବାଲିରୁ ସୁନା ଖୋଜୁଛନ୍ତି ଆଦିବାସୀ। ଏହି ଖବର ପ୍ରଚାରିତ ହେବା ପରେ ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ କିଆଙ୍ଗ ପଞ୍ଚାୟତ ଅଧିନ ସୁନାଝରିଆଗୁଡ଼ାକୁ ନେଇ ଚାରିଆଡ଼େ ଚର୍ଚ୍ଚା।
କିଆଙ୍ଗର ସାବେରୀ ନଦୀରୁ ଆରମ୍ଭ ହୋଇଛି ସୁନା ବାହାର କରିବା ଅଭିଯାନ। ଏହାସହ ସାବେରୀ ନଦୀ ସଂଯୋଗ କରୁଥିବା ଛତିଶଗଡ଼ ରାଜ୍ୟର ବନେ୍ଧଗାଁ ପର୍ଯ୍ୟନ୍ତ ବିଭିନ୍ନ କୂଳରେ ବାଲିରୁ ସୁନା ବାହାର କରିବାକୁ ଲାଗି ପଡ଼ିଛନ୍ତି ଆଦିବାସୀ ପରିବାର। ପୂର୍ବ ପୁରୁଷରୁ ବାଲିରୁ ସୁନା ବାହାର କରିବା ଆଦିବାସୀଙ୍କ ଏକପ୍ରକାର ବୃତ୍ତି ପାଲଟିଛି। ବର୍ଷା ଦିନ ଛାଡ଼ି ଦେଲେ ଅନ୍ୟ ସବୁ ଋତୁରେ ସାବେରୀ ନଦୀ ଗର୍ଭରୁ ସୁନା ଖୋଜି ବୁଲନ୍ତି ଏମାନେ। ଏହି ଆଦିବାସୀମାନେ ପାରମ୍ପରିକ ଭାବେ ବାଲିରୁ ସୁନା ବାହାର କରି ଜୀବିକା ନିର୍ବାହ କରୁଛନ୍ତି। ସୁନା ବାହାର କରୁଥିବା ଆଦିବାସୀଙ୍କ କହିବା ପ୍ରକାରେ ସାବେରୀ ନଦୀକୁ ଛାଡ଼ିଦେଲେ ଅନ୍ୟ କୌଣସି ନଦୀରେ ସୁନା ବାହାରେ ନାହିଁ। ପ୍ରଥମେ ନଦୀକୁ ଯାଇ ବାଲିକୁ କାଠ ଗାମଲାରେ ଭର୍ତ୍ତି କରି ଆଣନ୍ତି। ସେହି କାଠ ଗାମଲା ସାହାଯ୍ୟରେ ନଦୀ ପାଣିରେ ବାଲି ଧୋଇବା ପରେ ଧିରେ ଧିରେ ଶେଷ ପର୍ଯ୍ୟାୟରେ କିଛି କିଛି ସୁନା ଚମକି ଉଠିଥାଏ। ଖୋଳିଥିବା ସ୍ଥାନରେ ସୁନା ରହିଥିବାରୁ ଏହି ବାଲିକୁ ପରିବାରର ସମସ୍ତ ସଦସ୍ୟ ନଦୀ କୂଳକୁ ବୋହି ଆଣିଥା’ନ୍ତି। ଛୋଟିଆ କାଠ ଡଙ୍ଗାରେ ବାଲି ଭର୍ତ୍ତି କରିବା ସହ ଏକ ପାତ୍ରରେ ନଦୀ ପାଣି ବାଲି ଉପରେ ଢାଳିଥାନ୍ତି। ବାଲି ନଦୀ
ପାଣିରେ ଯିବା ଯାଏଁ ପାଣି ପକାଇବା ପରେ ଶେଷ ପର୍ଯ୍ୟାୟରେ ରହିଥିବାକିଛି ବାଲିକୁ ପୁଣିଥରେ କାଠ ଗାମଲାରେ ଆଣି ନଦୀରେ ଧୋଇବା ପରେ ନଖ ଆକାରରେ ସୁନା ବାହାରୁଥିବା ସେମାନେ କହନ୍ତି। ସକାଳୁ ୧୦ରୁ ୧୫ଥର ବାଲି ଧୋଇ ପ୍ରାୟ ୩ ହଜାର ପର୍ଯ୍ୟନ୍ତ ସୁନା ବାହାର କରି ଆସୁଛନ୍ତି ଏହି ଆଦିବାସୀ। ନଦୀ ବାଲିରୁ ସୁନା ସଂଗ୍ରହ କରି ସେମାନେ ଘରକୁ ନିଅନ୍ତି। ପାରଦରେ ସୁନାକୁ ତରଳାଇବା ପରେ ତାକୁ ଗୋଟା କରାଯାଇଥାଏ। ସପ୍ତାହକୁ ଥରେ ଜୟପୁର ଅଞ୍ଚଳରେ ନେଇ ସୁନା ବିକ୍ରି କରି ଏହି ଅର୍ଥରେ ସେମାନେ ଜୀବିକା ନିର୍ବାହ କରିଥାନ୍ତି। ସରକାରୀସ୍ତରରେ ସୁନା ବାହାର କରିବାକୁ ପ୍ରୋତ୍ସାହନ ପ୍ରଦାନ କରାଗଲେ ସୁନା ଖଣିର ଅନୁସନ୍ଧାନ ମିଳିବା ସହ ଆଦିବାସୀ ବୃତ୍ତି ଭାବେ ଆପଣାଇ ନେଇଥିବା ଏହି କାର୍ଯ୍ୟରେ ସ୍ୱାବଲମ୍ବୀ ହୋଇପାରନ୍ତେ ବୋଲି ଗ୍ରାମବାସୀ ମତ ଦିଅନ୍ତି। ଏ ସମ୍ପର୍କରେ ମାଲକାନଗିରି ଜିଲାପାଳ ମନୀଷ ଅଗ୍ରୱାଲ କହିଛନ୍ତି ମାଥିଲି ଅଞ୍ଚଳରୁ ସୁନା ବାହାରୁଥିବା ଗଣମାଧ୍ୟମରୁ ସେ ଜାଣିପାରିଛନ୍ତି। ଏକ ସ୍ୱତନ୍ତ୍ର ଟିମ ଗଠନ କରିବା ସହ ଯଦି ସୁନାର ଅନୁସନ୍ଧାନ ମିଳେ ତେବେ ରାଜ୍ୟ ସରକାରଙ୍କୁ ଏ ନେଇ ଚିଠି ଲେଖାଯିବ ବୋଲି ଜିଲାପାଳ ଶ୍ରୀ ଅଗ୍ରୱାଲ କହିଛନ୍ତି। ଅନ୍ୟପକ୍ଷରେ ନଦୀ ବାଲିରୁ ସୁନା ବାହାର କରିବା ଭଳି ପଦ୍ଧତିକୁ ଆଦିବାସୀଙ୍କ ନିଆରା ବୃତ୍ତିକୁ ନେଇ ଏବେ ଜିଲାବ୍ୟାପୀ ଚର୍ଚ୍ଚା।

Leave A Reply