ସୁନା ବିକ୍ରିରେ ’କରୋନା’ ଗ୍ରହଣ: ଅନଲାଇନରେ କିଣାକିଣି, ୧୦ ଗ୍ରାମକୁ ୪୬ ହଜାର

ଭୁବନେଶ୍ୱର (ବ୍ୟୁରୋ)  ହିନ୍ଦୁ ପରମ୍ପରାରେ ସମସ୍ତ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ପାଇଁ ଅକ୍ଷୟତୃତୀୟାକୁ ହିଁ ଶୁଭ ଦିନ ଭାବେ ଗ୍ରହଣ କରାଯାଇଥାଏ । ବିଶ୍ୱାସ ରହିଛି ଏହି ଶୁଭ ଦିନରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି । ଏଥିପାଇଁ ଅକ୍ଷୟତୃତୀୟାରେ ଅନେକ ସୁନା କିଣାକିଣି କରିଥାନ୍ତି ।  ହେଲେ ଚଳିତଥର କରୋନା ସଂକ୍ରମଣ ପାଇଁ ଯେମିତି ସୁନା ବିକ୍ରିରେ ଗ୍ରହଣ ଲାଗିଯାଇଛି।​‌ ବର୍ତ୍ତମାନ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ଉପରେ ରୋକ୍‌ ଲଗାଯାଇଥିବା ଯୋଗୁ ଲୋକେ ଆଗ୍ରହ ଥିଲେ ବି ସୁନା କିଣିପାରୁନାହାନ୍ତି । ଯାହା ଫଳରେ ଚଳିତଥର ସୁନା ବଜାରରେ କାରବାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ସୁନା ବଜାର ସହ ଜଡିତ ବିଶେଷଜ୍ଞମାନେ କରିଥିବା ଆକଳନ ଅନୁଯାୟୀ, ଚଳିତଥର ଅକ୍ଷୟତୃତୀୟାରେ ସୁନା ବିକ୍ରି ପ୍ରାୟତଃ ୯୮% କମିଯାଇଛି । ତନିସ୍କ ପରି କିଛି ବଡ଼ବଡ଼ ସଂସ୍ଥା ଅନଲାଇନରେ କିଛି ସୁନା ବିକ୍ରି କରିଥିବା ସୂଚନା ମିଳିଛି ।
ରାଜ୍ୟର ବଡ ବଡ ସହରର ଜୁଏଲେରୀ ସୋ’ରୁମରେ ତାଲା । ଅକ୍ଷୟ ତୃତୀୟାରେ ଏହି ଦୋକାନଗୁଡ଼ିକ ଆଗରେ ଲମ୍ବା ଧାଡ଼ି ଲାଗେ । ବିଳମ୍ବିତ ରାତି ପର୍ଯ୍ୟନ୍ତ କିଣାବିକା ହୁଏ । ଭିଡ଼ ସଜାଡ଼ି ସଜାଡ଼ି ପୁଲିସ ନାକେଦମ୍ ହୁଏ ।   ରବିବାର ରାଜଧାନୀ ଭୁବନେଶ୍ବର,ରୌପ୍ୟ ନଗରୀ କଟକ, ରେଶମ ସହର ବ୍ରହ୍ମପୁରର ମୁଖ୍ୟ ରାସ୍ତାରେ ଥିବା ଜୁଏଲେରୀ ସୋ’ରୁମରେ ତାଲା ଝୁଲୁଛି । ସବୁଠି ଖାଁ ଖାଁ । ଆଜି ଅକ୍ଷୟତୃତୀୟାରେ ସୁନା ୧୦ ଗ୍ରାମ ପିଛା ୪୬,୦୦୦ ଟଙ୍କା ଉପରେ ରହିଥିଲା । ​‌ପୂର୍ବବର୍ଷ ଗୁଡିକରେ ଅକ୍ଷୟତୃତୀୟାରେ ଦେଶରେ ୩୩ରୁ ୩୫ ଟନ୍‌ ସୁନା ବିକ୍ରି ହୋଇଥାଏ ।  କେବଳ ଅନ୍‌ଲାଇନ୍‌ରେ ଯାହା ସୁନା ବିକ୍ରି ହୋଇଛି ।କେତେକ କମ୍ପାନୀ ​ସେମାନଙ୍କ ୱେବ୍‌ସାଇଟ୍‌ରେ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର ଆଣିଛନ୍ତି । ହେଲେ ଏହା ସେଭଳି ଆଖିଦୃଶିଆ ସୁନା ବିକ୍ରି କରିବାରେ ସକ୍ଷମ ହୋଇପାରିନାହିଁ।

Comments are closed.