ଦୁର୍ଦଶାରେ ମୁଣ୍ଡପୋତା କେଳା

ଗୋଡିପଡା: ଗଣ୍ଡେ ପଖାଳ ଭାତ ପାଇଁ ଗ୍ରୀଷ୍ମର ନିରାଟ ଝାଞ୍ଜିରେ ଗାଁ ଦାଣ୍ଡର ତତଲା ବାଲିରେ ମୁଣ୍ଡ ପୋତେ। ଖଜୁରି ପଟିର ଟୋପି ଉପରେ କୁକୁଡ଼ାର ରଙ୍ଗବେରଙ୍ଗର ପର, ହାତରେ ଚାଙ୍ଗୁବାଜା, ମୁହଁରେ ପାଉଡ଼ର ବଦଳରେ ପାଉଁଶ ଆଉ ବାଉଁଶ ବାଡ଼ିରେ ତିଆରି ଘୋଡ଼ା ଉପରେ ବସି ଅନକେ ତାମସା ଦେଖାନ୍ତି ଗାଁ ଦାଣ୍ଡରେ । ବର୍ତ୍ତମାନ ସେମାନଙ୍କର ସେଇକଳା ରୂପେଲି ପରଦାର ଚାକଚକ୍ୟର ଚଟାଣ ତଳେ ଚାପିହୋଇ ଗଲାପରେ ଦୁର୍ବିସହ ଜୀବନ ବିତାଉଛନ୍ତି ମାଟିଆ (ମୁଣ୍ଡପୋତା) କେଳା। ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କୁ ବେଶ୍‌ ମନୋରଞ୍ଜନର ଖୋରାକ ଯୋଗାଉଥିବା ମାଟିଆ (ମୁଣ୍ଡପୋତା) କେଳା ଏବେ ନିଜର ପରିଚୟ ଖୋଜୁଛି। ସ୍ବାଭିମାନର ସହ ଗରିବମାନେ ବଞ୍ଚିବା ପାଇଁ ସରକାର ବହୁ ଯୋଜନା କରିଛନ୍ତି କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ଏମାନଙ୍କ ପାଖରେ ଏ ସବୁ ପାଲଟିଛି ସପନ।

ନୟାଗଡ ଜିଲା ଓଡଗାଁ ବ୍ଳକର ବରସାହି ପଞ୍ଚାୟତ ଅନ୍ତର୍ଗତ ସିଙ୍ଗାରପୁର ମୌଜରେ ଅର୍ଦ୍ଧଶତାବ୍ଦୀରୁ ଅଧିକ କାଳ ଧରି ବାସ କରିଆସୁଛନ୍ତି ମୁଣ୍ଡପୋତା (ମାଟିଆ) କେଳା। ପାଖାପାଖି ୪୦ରୁ ଊର୍ଦ୍ଧ୍ବ ପରିବାର ରହୁଛନ୍ତି। ସ୍ୱାଧୀନତାର ୭୨ ବର୍ଷ ବିତିଯାଇଥିଲେ ମଧ୍ୟ ଆଦିମ ଅଧିବାସୀଙ୍କ ଭଳି ଏମାନଙ୍କ ଜୀବନଯାପନଶୈଳୀରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହୋଇ ନାହିଁ। ଆଧୁନିକତାର ସ୍ପର୍ଶରେ ସର୍ବତ୍ର ଚାକଚକ୍ୟ ପରିବେଶ ପରିଲକ୍ଷିତ ହେଉଥିଲେ ମଧ୍ୟ ଆଜି ସେମାନେ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି। ଖାଦ୍ୟ, ବସ୍ତ୍ର ଓ ବାସଗୃହ ପୂରଣ କରିବା ପାଇଁ ଦିନରାତିକୁ ଏକକରି ଖଟୁଥିଲେ ମଧ୍ୟ ଦୁର୍ଦଶାର ଅନ୍ତ ହେଉ ନାହିଁ ା ଏମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାମାଜିକ ଜୀବନଯାପନଶୈଳୀକୁ ଯେ କେହି ଦେଖିବ ଆଖିରେ ଲୁହ ଆସିଯିବ। ଦୀପତଳ ଅନ୍ଧାର ପରି ଜିଲା ମହକୁମାରୁ ୧୮ କିମି, ଶରଣକୁଳଠାରୁ ଦୁଇକିଲୋମିଟର ଦୂରରେ ରହୁଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ଏଯାବତ ପଡ଼ି ନାହିଁ । କୌଣସି ସରକାରୀ କର୍ମଚାରୀ, ସ୍ୱେଚ୍ଛାସେବୀ ସଂଗଠନ, ସମାଜସେବୀ ଏବଂ ରାଜନେତା ଏମାନଙ୍କୁ ଅନେଇଁ ଯାଇନାହାନ୍ତି। ବସ୍ତିର ସବୁଠାରୁ ବୟସ୍କ ବ୍ୟକ୍ତି ଶ୍ୟାମପ୍ରଧାନ (୭୦)ଙ୍କ କହିବା ଅନୁସାରେ ଏମାନେ ସୂର୍ଯ୍ୟୋଦୟ ପୂର୍ବରୁ ଘରଛାଡ଼ନ୍ତି ଦୈନନ୍ଦିନର ଖାଦ୍ୟ କଡ଼ବା, ପିଠୋଳ, ପାଣିଆଳୁ, ବାଉଁଶକରିଡ଼, ବରଡ଼ାଶାଗ ଏବଂ ନୋଟରନଇ ଆଦି ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଆନ୍ତି। ଏହି ସାମଗ୍ରୀକୁ ବିକିଲେ ତେଲଲୁଣର ସଂସାର ଚଳେ। ସରକାର ଖାଦ୍ୟସୁରକ୍ଷା ଯୋଜନା ଏମାନଙ୍କୁ ଉପହାସ କରୁଛି। ଏମାନଙ୍କ ପାଖରେ ପଡ଼ିକାର୍ଡ଼, ଜବକାର୍ଡ଼ କିଛି ନାହିଁ। ଆବାସ ଯୋଜନା କଥା ନ କହିବା ଭଲ। ସର୍ବଶିକ୍ଷା ଯୋଜନାରେ ଏମାନଙ୍କ ପିଲାଙ୍କୁ ଅଦ୍ୟାବଧି ସାମିଲ କରାଯାଇ ନାହିଁ। ସେମାନଙ୍କ ପିଲାମାନେ ଅଙ୍ଗନବାଡ଼ି ଯାଇ ନାହାନ୍ତି। ଜନନୀସୁରକ୍ଷା, ମାତୃମଙ୍ଗଳ ଯୋଜନା ଓ ମମତା ଯୋଜନା କ’ଣ ଏମାନେ ଜାଣନ୍ତି ନାହିଁ। ଚାରିଆଡ଼େ ମାଳମାଳ କୋଠା ଦେଖାଯାଉଥିବା ବେଳେ ଏମାନେ ସେହି ଝାଟିମାଟିର ଜୀର୍ଣ୍ଣକୁଟୀରରେ ପଡ଼ି ରହିଛନ୍ତି । ଗାଁରେ ଅଧିକାଂଶ ଲୋକଙ୍କ ବୟସ ୬୦ରୁ ଊର୍ଦ୍ଧ୍ବ ହୋଇଥିଲେ ମଧ୍ୟ ଭତ୍ତା ମିଳୁ ନାହିଁ। ଅଧିକାଂଶ ବିଧବାଙ୍କ ଅବସ୍ଥା ଏକା। ଦେହ ଖରାପ ହେଲେ ପଇସା ଅଭାବରୁ ଔଷଧ ଦେଇ ନପାରି ଏବେ ମଧ୍ୟ ବନଦେବୀଙ୍କ ଉପରେ ଭରସା କରି ଅନ୍ଧବିଶ୍ବାସକୁ ଆଦରି ନେଇଛନ୍ତି।

Comments
Loading...