ଗୋଧ୍ରା ଟ୍ରେନ୍‍ ପୋଡ଼ି ମାମଲା: ୩ ଦୋଷମୁକ୍ତ, ୨ ଜଣଙ୍କୁ ଆଜୀବନ ଜେଲ୍

0

ଅହମ୍ମଦାବାଦ : ଗୋଧ୍ରା ଟ୍ରେନ୍‍ ପୋଡ଼ି ମାମଲାରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‍ଆଇଟି)ର ସ୍ୱତନ୍ତ୍ର କୋର୍ଟ ସୋମବାର ୨ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଫାରୁକ ଭାନା ଏବଂ ଇମ୍ରାନ୍‍ ଶେରୁ ନାମକ ଅଭିଯୁକ୍ତ ଦ୍ୱୟ ୨୦୦୨ ସାବରମତୀ ଏକ୍ସପ୍ରେସ୍‍ର ୨ଟି ବଗି ପୋଡ଼ି ଘଟଣାର ଷଡଯନ୍ତ୍ରକାରୀ ବୋଲି ସରକାରୀ ଓକିଲ ପ୍ରମାଣ କରିବା ପରେ ସ୍ୱତନ୍ତ୍ର ବିଚାରପତି ଏଚ୍‍.ସି ଭୋରା ସେମାନଙ୍କୁ ଏହି ଦଣ୍ଡାଦେଶ ଦେଇଛନ୍ତି। ଏହି ମାମଲାର ଅନ୍ୟ ୩ ଜଣ ଅଭିଯୁକ୍ତ ହୁସେନ୍‍ ସୁଲେମାନ ମୋହନ, କସମ ଭାମେଡି ଏବଂ ଫାରୁକ ଧାନ୍ତିଆଙ୍କୁ ବିଚାରପତି ଦୋଷମୁକ୍ତ କରିଛନ୍ତି। ମାମଲାର ଅନ୍ୟ ୮ ଜଣ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି। ୨୦୧୧ ମାର୍ଚ୍ଚରେ ଏସ୍‍ଆଇଟି ସ୍ୱତନ୍ତ୍ର ଅଦାଲତ ଏହି ମାମଲାରେ ୩୧ ଜଣଙ୍କୁ ଦୋଷୀ ଘୋଷଣା କରିଥିଲେ। ଏମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ ଏବଂ ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଥିଲା; କିନ୍ତୁ ୨୦୧୭ରେ ଗୁଜରାଟ ହାଇକୋର୍ଟ ୧୧ ଜଣ ଦୋଷୀଙ୍କ ମତ୍ୟୁଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡାଦେଶକୁ କୋହଳ କରିବା ସହ ଅନ୍ୟମାନଙ୍କ ଦଣ୍ଡାଦେଶ କାଏମ ରଖିଥିଲେ। ୨୦୦୨ ଫେବୃଆରୀ ୨୭ରେ ଘଟିଥିବା ଗୋଧ୍ରା ଟ୍ରେନ୍‍ ପୋଡ଼ି ଘଟଣାରେ ୫୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ପରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇ ୧୦୦୦ରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିଲେ।

Leave A Reply