ଅପରାଧର ଦୃଶ୍ୟ ଦେଖାଇଲା ଗୋବିନ୍ଦ

ଗୋଲାମୁଣ୍ଡା: ସନ୍‌ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ବିଦ୍ୟାଳୟର ମାଲିକ ଗୋବିନ୍ଦ ସାହୁ ହତ୍ୟା କରିଥିବା ସ୍ୱୀକାର କରିବା ପରେ ସେଦିନ କିଭଳି ଏହି ଅପରାଧ ଘଟାଇ ଥିଲା ସେହି ଦୃଶ୍ୟକୁ ଆଜି ପୁଲିସ ଉପସ୍ଥିତିରେ ଦେଖାଇଥିଲା। ଉତ୍ତରାଞ୍ଚଳ ଉପ ଆରକ୍ଷୀ ମହାନିରୀକ୍ଷକ (ଡିଆଇଜି), ବଲାଙ୍ଗିର ଆରକ୍ଷୀ ଅଧୀକ୍ଷକ(ଏସ୍‌ପି), ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୪ ଜଣ ଥାନାଧିକାରୀ ଓ ୪ ପ୍ଲାଟୁନ ପୁଲିସ ବଳ ସହ ଗିରଫ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦକୁ ଧରି ଭୋର୍‌ ୪ଟାରେ ମହାଲିଙ୍ଗ ଉଚ୍ଚ ବିଦ୍ୟାଳୟ ଖେଳପଡିଆକୁ ନେଇଥିଲେ। ସେଠାରେ ଅପରାଧର ପୂରା ଦୃଶ୍ୟ ଓ ଘଟଣାକ୍ରମକୁ ଦେଖାଇଥିଲା ଗୋବିନ୍ଦ। ସେଠାରେ ଗୋବିନ୍ଦ କାନ୍ଦି କାନ୍ଦି ଭୁଲ କରିଥିବା ଯୋଗୁଁ କ୍ଷମା ମାଗିଥିଲା। ଏହାପରେ ପୁଣି ଭବାନୀପଟଣା-ଖରିଆର ରାସ୍ତାର ଚାନ୍ଦୋତରା ନିକଟରେ ନିଜ କାର୍‌ ଭିତରେ କିଭଳି ହିଁ ମମିତାଙ୍କ ବେକ ଚାପି ହତ୍ୟା କରିଥିଲା ତାହା ସ୍ବୀକାର କରିଥିଲା। ଏ ସମୟ​‌ରେ ମମିତା ସିଟ୍‌କୁ ଜାବୁଡି ଧରିବାରୁ ତାହା ଚିରି ଯାଇଥିଲା ବୋଲି ଗୋବିନ୍ଦ କହିଥିଲା।

ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ସ୍ବୀକାରୋକ୍ତି ଅନୁଯାୟୀ, ‘ଆମ ସ୍କୁଲରେ ମାସିକ ବୈଠକ ଅଛି, ଜରୁରୀ କାମ ବାକି ରହିଛି’ ବୋଲି କହି ମମିତାଙ୍କୁ ବିଦ୍ୟାଳୟ ମାଲିକ ଗୋବିନ୍ଦ ଫୋନ୍‌ରେ ଡାକିଥିଲା। ମମିତା ନିଜ ମା’ଙ୍କୁ କହି ଘରୁ ବସ୍‌ରେ ଆସି
ଚାନ୍ଦୋତରା ଛକରେ ଓହ୍ଲାଇଥିଲେ। ସେଠାରେ ଅପେକ୍ଷା କରିଥିବା ଗୋବିନ୍ଦ ବଜାର କରିଯିବା କହି ନିଜ କାର୍‌ରେ ମମିତାଙ୍କୁ ନେଇ ଯାଇଥିଲା। ଭବାନୀପାଟଣା ସହରକୁ ଯାଇ ଦୋକାନରୁ କିଛି ସାମଗ୍ରୀ କିଣି ଜଣକୁ ଭେଟିବା ପାଇଁ ସର୍କିଟ୍‌ହାଉସ ପଟକୁ ଯାଇଥିଲା। ସେଠାରୁ ପୁଣି ଚାନ୍ଦୋତରା ଫେରୁଥିବା ସମୟରେ​ କୌଣସି ଅଶ୍ଳୀଳ ଭିଡିଓକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତେଣୁ କାର୍‌ ଭିତରେ ହିଁ ମମିତାଙ୍କୁ ବେକ ଚାପି ହତ୍ୟା କରିଥିଲା ଗୋବିନ୍ଦ। ‘ଏହି ଅଶ୍ଲୀଳ ଭିଡିଓ କାରଣରୁ ମୁଁ ବିଚଳିତ ହୋଇପଡିଥିଲି, ତା’କୁ କେମିତି ରାସ୍ତାରୁ ହଟେଇହେବ ସେ ବିଷୟରେ ମୁଁ ଭାବୁଥିଲି। ହତ୍ୟା କଲାପରେ ମୋ ନିଜଲୋକଙ୍କୁ ମହାବିଦ୍ୟାଳୟର ପଛପଟ ଫାଟକକୁ ଖୋଲା ରଖିବା ପାଇଁ କହିଥିଲି। ଗାଡିରେ ହିଁ ମୃତଦେହକୁ ନେଇ ଉକ୍ତ ଫାଟକ ପଟେ ନେଇ ହିଁ ରଖିଥିଲି। ପରେ ଘରକୁ ଆସି ଖାଇବା ପରେ ଶବକୁ କାର୍‌ରେ ନେଇ ଲୁଣ, ପେଟ୍ରୋଲ ଓ କିଛି ଟାୟାର ଧରି ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ପହଞ୍ଚିଥିଲି। ମୃତଦେହରେ ପେଟ୍ରୋଲ ଢାଳି ଲୁଣ ଦେଇ ଟାୟାରରେ ଜଳାଇଥିଲି। ତା’ପରେ ପୂର୍ବରୁ ଜେସିବିରେ ଖୋଳା ଯାଇଥିବା ଗାତରେ ଏକ ପ୍ଲାଏବୋର୍ଡରେ ବାଇଣ୍ଡିଂ କରି ପୋତି ଦେଇଥିଲି।

ଅଧାପୋଡ଼ା ଅସ୍ଥିକୁ ପ୍ରଥମେ ପୋତିବା ପରେ ପାଉଁଶକୁ ବାକ୍ସରେ ଭର୍ତ୍ତି କରି ପୋତିଥିଲି’ ବୋଲି ଗୋବିନ୍ଦ କହିଥିଲା। ଗତ ମଙ୍ଗଳବାର ଜେସିବି ଦ୍ୱାରା ମାଟି ଖୋଳି ସୁନାଚେନ୍‌, ପାଉଁଜି, ଭେନିଟିବ୍ୟାଗ ଏବଂ ଏକ କାଠବାକ୍ସରୁ ପାଉଁଶ ମିଳିଥିଲା। ଗତକାଲି ଡିଆଇଜି ଓ ଦୁଇ ଏସ୍‌ପିଙ୍କ ଉପସ୍ଥିତିରେ ପୁଣି ମାଟିତଳୁ ମମିତାଙ୍କ ଅଧାପୋଡ଼ା ଅସ୍ଥି ଓ ପୋଡ଼ା ମୋବାଇଲ ବାହାରିଲା। ତେବେ ପ୍ରଥମଦିନ ଅଧିକ ଗାତ ଖୋଳା ଯାଇଥିଲେ, ଏସବୁ ସମାଗ୍ରୀ ମିଳିଥାନ୍ତା। ତେଣୁ କାହିଁକି ସେଦିନ ଅଧିକ ଗାତ ଖୋଳା ଗଲାନାହିଁ ବୋଲି ଏଠାରେ ପ୍ରଶ୍ନ ଉଠୁଛି।

କଳାହାଣ୍ଡି ଜିଲାରେ ଅନେକ ମହାବିଦ୍ୟାଳୟ ଥିଲେ ମଧ୍ୟ ସନ୍‌ସାଇନ କଲେଜକୁ ମନ୍ତ୍ରୀମାନେ କାହିଁକି ବାରମ୍ବାର ଆସୁଥିଲେ ଓ ରାତିରେ ରହୁଥିଲେ? ମମିତାଙ୍କ ଭିଡିଓରେ କାହାର କଳା କାରନାମା ରହିଥିଲା? ପୁଣି ମମିତାଙ୍କୁ ହତ୍ୟା ପରେ ଜଣେ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ଗୋବିନ୍ଦ ଫୋନରେ ଯେଉଁ ଦୁଇ ମିନିଟ୍‌ରୁ ଊର୍ଦ୍ଧ୍ବ ସମୟ କଥା ହୋଇଥିଲା ସେ ପ୍ରଭାବଶାଳୀ ବ୍ୟକ୍ତି ଜଣକ କିଏ ? ଏସବୁ ଉପରୁ ପୁଲିସ ପରଦା ହଟାଇବାକୁ ସକ୍ଷମ ହୋଇପାରିନାହିଁ। ଏସବୁ ଅସମାହିତ ପ୍ରଶ୍ନ ଉପରେ ପୁଲିସ ତଦନ୍ତ କରିବାକୁ ବିଭିନ୍ନ ମହଲରେ ଦାବି ଜୋର ଧରିଛି।

ମିଳିଲା ମୋବାଇଲ, ପୋଷାକ
ଗୋବିନ୍ଦ ସାହୁଙ୍କ ଗାଡ଼ି ଚାଳକ ରାଧେଶ୍ୟାମ ଚଣ୍ଡିଙ୍କ ସ୍ତ୍ରୀ ପୁଲିସକୁ ଏକ ନୂଆ ମୋବାଇଲ, ଚାର୍ଜର, ଜିନ୍ସ ପ୍ୟାଣ୍ଟ ଏବଂ ତିନି ଖଣ୍ଡ ଝିଅ ପୋଷାକ ଦେଇଛନ୍ତି। ଗୋବିନ୍ଦର ବ୍ୟକ୍ତିଗତ ଗାଡି ଚାଳକ ଭାବେ ମାତ୍ର ତିନିମାସ ହେଲା ରାଧେ କାମ କରୁଥିଲା। ସେ ଗିରଫ ହେଲା ପରେ ଆଜି ତାଙ୍କ ସ୍ୱାମୀ ରଖିଥିବା ଏକ ନୂଆ ମୋବାଇଲ, ଚାର୍ଜର, ଜିନ୍ସପ୍ୟାଣ୍ଟ ଓ ତିନିଖଣ୍ଡ ଝିଅ ପୋଷାକ ପୁଲିସକୁ ଦେଇଛନ୍ତି ରାଧେଙ୍କ ସ୍ତ୍ରୀ। ତେବେ ଏସବୁ ସାମଗ୍ରୀ ଦେଲା ସମୟରେ କାହାକୁ କିଛି କହିବ ନାହିଁ ବୋଲି ପୁଲିସ କୁଆଡେ ତାଙ୍କୁ କହିଥିବା ରାଧେଙ୍କ ସ୍ତ୍ରୀ କହୁଥିବା ଏଠାରେ ଚର୍ଚ୍ଚା ହେଉଛି। ତେବେ ଏହି ମୋବାଇଲ ମମିତାଙ୍କର କି ନୁହେଁ ତାହା ପୁଲିସ ସ୍ପଷ୍ଟ କରିନି। ମମିତାଙ୍କ ମୋବାଇଲକୁ ପୋଡି ଦିଆଯାଇଥିବା ପୂର୍ବରୁ ପୁଲିସ ଗଣମାଧ୍ୟମକୁ ସୂଚନା ଦେଇଥିବା ବେଳେ ରାଧେଙ୍କ ଘରୁ ଜବତ ମୋବାଇଲ ସଂପର୍କରେ କୌଣସି ସୂଚନା ପ୍ରଦାନ କରିନି।

Comments are closed.