ଅନ୍ୟମାନଙ୍କ ଜୀବନରେ ପରିବର୍ତନ ଆଣିବା ଲାଗି ଶିକ୍ଷାର ଉପଯୋଗ କରିବା ଆବଶ୍ୟକ : ଡ. ମିଶ୍ର

0

ସମ୍ବଲପୁର: ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତନ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଡ. ପ୍ରମୋଦ କୁମାର ମିଶ୍ର ଏଥିରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ମାନବୀୟ ପ୍ରଗତି ଏବଂ କଲ୍ୟାଣକୁ ତ୍ୱରାନ୍ୱିତ କରିବା ଲାଗି ଶିକ୍ଷା ହେଉଛି ସର୍ବୋପରି ତଥା ଏହା ଅନ୍ତିମ ଲକ୍ଷ୍ୟରେ ପହଁଚାଇବାର ମାଧ୍ୟମ ବୋଲି କହିଛନ୍ତି । ତେବେ ଏହି ଲକ୍ଷ୍ୟକୁ ହାସଲ କରିବା କେଉଁ ସ୍ୱରୂପରେ ଆପଣମାନେ ପ୍ରୟାସ କରୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ- ଆପଣ ଜଣେ ଇଞ୍ଜିନିୟର, ଶିକ୍ଷକ, ଉଦ୍ୟୋଗୀ, ପ୍ରଯୁକ୍ତିବିତ କିମ୍ବା ସରକାରୀ କର୍ମଚାରୀ ହୋଇପାରନ୍ତି। ଯେତେବେଳେ ଅନ୍ୟମାନଙ୍କ ଜୀବନରେ ପରିବର୍ତନ ଆଣିବା ଲାଗି ଆପଣ ନିଜ ଶିକ୍ଷାର ଉପଯୋଗ କରିବେ ସେତେବେଳେ ଭଲ ଭାବେ ଆପଣ ଆପଣଙ୍କ ଶିକ୍ଷାର ଉପଲବ୍ଧୀ ପାଇପାରିବେ। ଜୀବନର ଏହି ଉତ୍ସାହପ୍ରଦ ଯାତ୍ରା ଆରମ୍ଭ କରିଥିବାରୁ, ଆପଣମାନେ ନିଜକୁ ଦ୍ରୁତ ପ୍ରଗତି ପଥରେ ରଖନ୍ତୁ- କାର୍ଯ୍ୟ ଜାରି ରଖନ୍ତୁ, ଶିକ୍ଷା ଲାଭ କରନ୍ତୁ ଏବଂ ସ୍ୱପ୍ନ ଦେଖି ଚାଲନ୍ତୁ। ଆପଣମାନେ ଇତିହାସର ଏକ ଅପାର ସମ୍ଭାବନାମୟ ସମୟରେ ସ୍ନାତୋକୋତୀର୍ଣ୍ଣ ହେଉଛନ୍ତି।

ଆଜି, ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ ଅର୍ଥବ୍ୟବସ୍ଥା ହୋଇପାରିଛି, ଯାହା କିଛି ବର୍ଷ ହେବ ନିରନ୍ତର ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ବଜାୟ ରଖିଛି। ଆଗକୁ ମଧ୍ୟ ଏହି ଅଭିବୃଦ୍ଧି ହାର ବଜାୟ ରହିବ ବୋଲି ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥା ଆକଳନ କରିଛନ୍ତି। ଦୃଢ଼ ଆର୍ଥିକ ମୂଳଦୁଆ, ମିଶ୍ରିତ ଅର୍ଥନୈତିକ ସ୍ଥିରତା, ଏକ ଦୃଢ଼ ସେବା କ୍ଷେତ୍ର ଏବଂ ଅର୍ଥବ୍ୟବସ୍ଥାରେ ବର୍ତମାନର ଉଚ୍ଚସ୍ତରୀୟ ଘରୋଇ ଏବଂ ବୈଦେଶିକ ନିବେଶ ଅର୍ଥବ୍ୟବସ୍ଥାକୁ ଉଚ୍ଚ ଅଭିବୃଦ୍ଧି ପଥରେ ରଖିଛି। ଏହି ସମ୍ଭାବନାଗୁଡ଼ିକ ଅପାର। ୫ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଭାରତର ସକାରାତ୍ମକ ପ୍ରଗତିକୁ ଆଗେଇ ନେଉଛି : ଭିତିଭୂମି ଏବଂ ଯୋଗାଯୋଗ, ଢାଂଚାଗତ ସଂସ୍କାର, ସାମାଜିକ କ୍ଷେତ୍ର ପ୍ରତି ଗୁରୁତ୍ୱ, ନାଗରିକଙ୍କ ସହଜ ଜୀବନଧାରଣ ଏବଂ କୃଷି। ୨୦୧୪ ପରଠାରୁ ଆମେ ଏହି ୫ଟି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ହାସଲ କରିଛୁ।
ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତର ଶୁଭାରମ୍ଭ କରାଯାଇ ଗରିବ ପରିବାରଗୁଡ଼ିକୁ ଚିକିତ୍ସାଜନିତ ଖର୍ଚ୍ଚରୁ ସୁରକ୍ଷା ଦେବା ଏବଂ ପ୍ରାଥମିକ ସ୍ୱାସ୍ଥ୍ୟସେବାରେ ଉନ୍ନତି ଅଣାଯିବା ସୁନିଶ୍ଚିତ କରାଯାଇପାରିଛି। ଦେଶର ୧୧ କୋଟି ଗରିବ ଏବଂ ବଂଚିତ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିବା ଏବଂ ବିସ୍ତୃତ ସ୍ୱାସ୍ଥ୍ୟସେବା ଲାଗି ୧.୫ ଲକ୍ଷ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ପ୍ରତିଷ୍ଠା କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଆପଣମାନେ ଜାଣନ୍ତି ଯେ ବର୍ତମାନ ଜାରି ରହିଥିବା ସ୍ୱଚ୍ଛ ଭାରତ ଅଭିଯାନ, ମିଶନ ଇନ୍ଦଧନୁଶ (ଶିଶୁ ଏବଂ ମହିଳାଙ୍କ ଟିକାକରଣ), ଉଜ୍ଜ୍ୱଳା (ଗରିବ ପରିବାର ମହିଳାମାନଙ୍କୁ ମାଗଣା ଏଲପିଜି ଗ୍ୟାସ ସଂଯୋଗ ଦେବା) ଏବଂ ଅନ୍ୟାନ୍ୟ ପଦକ୍ଷେପ ଗ୍ରାମୀଣ ଏବଂ ସହରାଂଚଳରେ ସୁସ୍ଥ ଜୀବନଯାପନର ମୂଳଦୁଆ ପକାଇସାରିଛି। ଶିକ୍ଷା କ୍ଷେତ୍ରରେ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇ ଉନ୍ନତ ମାନ, କ୍ଷମତା ନିର୍ମାଣ ଏବଂ ଉନ୍ନତମାନର ଶିକ୍ଷା ଫଳାଫଳ ଆଣିବା ଉପରେ ଗୁରୁତ୍ୱାରୋପ କରାଯାଇଛି।
ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କାଲାମ କହିଥିଲେ, “ଛାତ୍ରଗୋଷ୍ଠୀଙ୍କୁ ମୋର ବାର୍ତା ହେଉଛି ସେମାନେ ଭିନ୍ନ ଭାବେ ଚିନ୍ତା କରିବାର ସାହସ ରଖନ୍ତୁ, ନବସୃଜନ ଏବଂ ପୁନଃଉଦ୍ଭାବନର ସାହସ, ଅନାବିଷ୍କୃତ ମାର୍ଗରେ ଯାତ୍ରାର ସାହସ, ଅସମ୍ଭବକୁ ଆବିଷ୍କାର କରିବା ଏବଂ ବିଫଳତାକୁ ପରାଜିତ କରି ସଫଳ ହେବାର ସାହସ ରଖନ୍ତୁ”। ପ୍ରିୟ ଛାତ୍ରଛାତ୍ରୀଗଣ, ଆପଣମାନେ ଏପରି ଏକ ସମୟରେ ଏହି ବିଶ୍ୱବିଦ୍ୟାଳୟରୁ ଉତୀର୍ଣ୍ଣ ହେଉଛନ୍ତି ଯେତେବେଳେ ଦେଶ ନିଜର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଦେଇ ଗତି କରୁଛି, ଯେଉଁଠି ଆପଣମାନଙ୍କ ପାଇଁ ଅପାର ସମ୍ଭାବନା ଏବଂ ସୁଯୋଗ ରହିଛି। ଆପଣମାନେ ଏ ଦେଶର ଯୁବପିଢ଼ିକୁ ପ୍ରତିନିଧିତ୍ୱ କରୁଛନ୍ତି; ଅନେକ ସୁଯୋଗ ଆପଣମାନଙ୍କୁ ଅପେକ୍ଷା କରି ରହିଛି। ଆପଣମାନେ ନିଜ ଜୀବନରେ ସଫଳତାସ ହାସଲ କରିପାରିବେ ଏବଂ ସମାନ୍ତରାଳ ଭାବେ ଦେଶର ବିକାଶରେ ସାମଗ୍ରୀକ ଯୋଗଦାନ ଦେଇପାରିବେ, ବିଶେଷ କରି ସମାଜର ନିଷ୍ପେସିତ, ବଞ୍ଚିତ ଏବଂ ଅବହେଳିତ ବର୍ଗର ସେବା କରିପାରିବେ।


ନିଜ ବିଗତ ଦିନର ସ୍ମୃତିକୁ ମନେ ପକାଇ ଡ଼କ୍ଟର ମିଶ୍ର କହିଥିଲେ, ୭୫ ବର୍ଷ ତଳେ ନିଜର ଯାତ୍ରା ଆରମ୍ଭ କରିଥିବା ଏହି ଶିକ୍ଷାନୁଷ୍ଠାନ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ୧୯୪୪ରେ ଏହା ସମ୍ବଲପୁର କଲେଜ ଭାବେ ଆତ୍ମପ୍ରକାଶ କରିଥିଲା ଏବଂ ୧୯୪୯ରେ ଗଙ୍ଗାଧର ମେହେର କଲେଜ ଭାବେ ପୁନଃନାମିତ ହୋଇଥିଲା, ୧୯୯୧ରେ ସ୍ୱୟଂଶାସିତ ମାନ୍ୟତା ଏବଂ ୨୦୧୫ରେ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଥିଲା। ଆମ ସମସ୍ତଙ୍କ ପାଇଁ ଏହା ଏକ ଭାବପ୍ରବଣ ଏବଂ ଉତ୍ସାହପୂର୍ଣ୍ଣ ମୁହୂର୍ତ ଯେ ବର୍ଷବ୍ୟାପୀ ପ୍ଲାଟିନମ ଜୟନ୍ତୀ ପାଳନ ଅବସରରେ ଏହି ଶିକ୍ଷାନୁଷ୍ଠାନର ପ୍ରଥମ ସମାବର୍ତନ ଉତ୍ସବ ଅନୁଷ୍ଠିତ ହେଉଛି। ନୂଆ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ତଥା ତତ୍‍କାଳୀନ ଗଙ୍ଗାଧର ମେହେର କଲେଜ ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ନାମରେ ନାମିତ ହୋଇଛି ତଥା ଏହା ଏପରି ଏକ ସ୍ଥାନରେ ରହିଛି ଯାହା ଆମର ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟକୁ ପ୍ରତିଫଳିତ କରୁଛି। ଏହା ବୀର ସୁରେନ୍ଦ୍ର ସାଏଙ୍କ ମାଟି, ଯିଏ ୧୮୫୭- ୫୮ର ପ୍ରଥମ ସ୍ୱାଧୀନତା ସଂଗ୍ରାମର ୩୦ ବର୍ଷ ପୂର୍ବରୁ ଉପନିବେଶ ଶାସନ ବିରୋଧରେ ଯୁଦ୍ଧ କରିଥିଲେ। ଏଠାରେ ବିଭିନ୍ନ ଐତିହାସିକ ସ୍ମାରକୀ ରହିଛି। ହୀରାକୁଦ ନଦୀବନ୍ଧ ସ୍ୱାଧୀନ ଭାରତର ବିକାଶ ପ୍ରୟାସର ପ୍ରାରମ୍ଭିକ ସ୍ୱର୍ଣ୍ଣିମ ପ୍ରତୀକ। ନିଜର ଅଭିନବ ନମୁନା, ଶୈଳୀ ଏବଂ ସ୍ୱରୂପ ପାଇଁ ସ୍ଥାନୀୟ ହସ୍ତତନ୍ତ ବସ୍ତ୍ର ଅନ୍ତର୍ଜାତୀୟ ମାନ୍ୟତା ଲାଭ କରିଛି। ଏହି ଅଂଚଳରେ ସମୃଦ୍ଧ ଜନଜାତୀୟ ଐତିହ୍ୟ ଏବଂ ଚମତ୍କାର ଜଙ୍ଗଲ କ୍ଷେତ୍ର ରହିଛି। ମୋର ବିଶ୍ୱାସ, ଏହି ପୃଷ୍ଠଭୂମି ସହିତ ନୂତନ ବିଶ୍ୱବିଦ୍ୟାଳୟ ଶିକ୍ଷା, ଅଧ୍ୟୟନ ଏବଂ ଗବେଷଣାର ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ନିଜର ଭବିଷ୍ୟତ ଯାତ୍ରା ଜାରି ରଖିବ। ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ତାଙ୍କ ପାଇଁ ଗୌରବ ଏବଂ ସୌଭାଗ୍ୟର ମୁହୂର୍ତ ନୁହେଁ, ବରଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ଗଙ୍ଗାଧର ମେହେର କଲେଜରୁ ସେ ୧୯୭୦ ମସିହାରେ ସ୍ନାତକ ଉତୀର୍ଣ୍ଣ ହୋଇଥିଲେ ବୋଲି କହିଥିଲେ। ତେଣୁ ସେହି ପୂର୍ବ ଦିନଗୁଡ଼ିକର ଅନେକ ଅଭୂଲା ସ୍ମୃତି ଆଜି ମୋ ମନରେ ଉଙ୍କି ମାରୁଛି। ପଛକୁ ଚାହିଁଲେ, ଆଜି ମୁଁ ଏହା ବିଶ୍ୱାସ କରିପାରୁନାହିଁ ଯେ ସେବେଠାରୁ ପାଖାପାଖି ଅର୍ଦ୍ଧଶତାବ୍ଦୀ ବିତିସାରିଲାଣି। ମୁଁ ଏପରି ଏକ ଦିନର କେବେ ପରିକଳ୍ପନା କରିନଥିଲି ଯେ ଦିନେ ଏହା ଏକ ବିଶ୍ୱବିଦ୍ୟାଳୟରେ ପରିଣତ ହେବ ଏବଂ ମୁଁ ଏହାର ପ୍ରଥମ ସମାବର୍ତନ ଉତ୍ସବରେ ଯୋଗ ଦେବି ବୋଲି କହିଥିଲେ।

ଏହି ଅବସରରେ ୧୦୩ ଜଣଙ୍କୁ ସ୍ନାତକ, ସ୍ନାତୋକୋତ୍ତର ଏବଂ ଡକ୍ଟରେଟ ଡିଗ୍ରୀ, ସମ୍ମାନ ଏବଂ ପଦକ ପ୍ରଦାନ କରାଯାଇଥିଲା।

Leave A Reply