୨୦ରେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ

ସମ୍ବଲପୁର: ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବ ଆସନ୍ତା ୨୦ ତାରିଖ ଅନୁଷ୍ଠିତ ହେବ। ଅମୃତ ବିହାର ପରିସରସ୍ଥ ଷ୍ଟେଜରେ ହେବାକୁ ଥିବା ଏହି ଉତ୍ସବରେ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅନ୍‌ଲାଇନରେ ସାମିଲ ହୋଇ ପୌରହିତ୍ୟ କରିବେ। ଗତବର୍ଷ ସମାବର୍ତ୍ତନ ଉତ୍ସବ ହୋଇପାରିନଥିବାବେଳେ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଅନ୍‌ଲାଇନରେ ଉତ୍ସବ ଆୟୋଜନ ପାଇଁ କୁଳାଧିପତି ତଥା ରାଜ୍ୟପାଳଙ୍କ ଅନୁମତି ଲୋଡ଼ାଯାଇଥିବା ବେଳେ ତାହା ମିଳିଥିବା ଜଣାପଡ଼ିଛି।

ଏହି ଉତ୍ସବକୁ କୁଳପତି ପ୍ରଫେସର ଅତନୁ କୁମାର ପତି ପରିଚାଳନା କରିବେ। କୋଭିଡ କଟକଣା ଥିବାରୁ ଏଥିରେ କୁଳସଚିବ ଗିରୀଶ ଚନ୍ଦ୍ର ସିଂହ, ଉପକୁଳସଚିବ ଡ. ଉମାଚରଣ ପତିଙ୍କ ସହ ଅଫିସିଆଲ ଓ ବିଭିନ୍ନ ବିଭାଗୀୟ ମୁଖ୍ୟ ଯୋଗ ଦେବେ। ବିଶ୍ବବିଦ୍ୟାଳୟରୁ ପ୍ରଥମ ପିଏଚଡି ଡିଗ୍ରୀ ହାସଲ କରିଥିବା ୩ ଜଣଙ୍କ ବ୍ୟତୀତ ଅନ୍ୟମାନେ ଏହି ଉତ୍ସବରେ ସିଧାସଳଖ ସାମିଲ ନହୋଇ ଅନ୍‌ଲାଇନରେ ସାମିଲ ହେବେ ବୋଲି ଉପକୁଳସଚିବ ଡ. ପତି କହିଛନ୍ତି। ଏହି ଉତ୍ସବରେ ଉପସ୍ଥିତ ରହିବାକୁ ଥିବା ତିନିଜଣ ପିଏଚଡି ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀ ହେଲେ ଜୀବବିଜ୍ଞାନ ବିଭାଗ (ସ୍କୁଲ ଅଫ୍‌ ଲାଇଫ୍ ସାଇନ୍ସ)ର ସରୋଜିନୀ ମିଞ୍ଜ ଓ ରାକେଶ କୁମାର ସ୍ୱାଇଁ (ଉଭୟେ କୁଳପତି ପ୍ରଫେସର ପତିଙ୍କ ଅଧୀନରେ ଗବେଷଣାରତ)ଏବଂ ବାଣିଜ୍ୟ (ସ୍କୁଲ ଅଫ୍‌ ବିଜ୍‌ନେସ୍‌)ର ସିଦ୍ଧାନ୍ତ ମହାନ୍ତି। ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ୧୭୨ଟି ପଦକ ପ୍ରଦାନ କରାଯିବ। ତେବେ, କୋଭିଡ କଟକଣା ହେତୁ ସେମାନଙ୍କ ସହ ଅନ୍ୟ ଡିଗ୍ରୀ ପାଇବାକୁ ଯୋଗ୍ୟ ଛାତ୍ରଛାତ୍ରୀ ତଥା ଶିକ୍ଷକମାନେ ଅନ୍‌ଲାଇନରେ ସାମିଲ ହେବେ। ଉପକୁଳସଚିବ ଡ. ପତିଙ୍କ ସୂଚନା ଅନୁଯାୟୀ ପରବର୍ତ୍ତୀ ସମୟରେ ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯାଇ ପର୍ୟ୍ୟାୟକ୍ରମେ କୋଭିଡ ନିୟମ ରକ୍ଷା କରି ଉପରୋକ୍ତ ପଦକ ଓ ଡିଗ୍ରୀ ପ୍ରମାଣପତ୍ର ପ୍ରଦାନ କରାଯିବ। ସୂଚନାଯୋଗ୍ୟ ଯେ, ୨୦୧୮ ମସିହାରେ ବିଶ୍ବବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ ହୋଇଥିବାବେଳେ ଏଥିରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପ୍ରମୋଦ କୁମାର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।

Comments are closed.