ଗ୍ଲୋରିଫେଷ୍ଟ୍‌ ରୌପ୍ୟଜୟନ୍ତୀ ଉଦ୍‌ଘାଟିତ

ପୁରୀ: ଗ୍ଲୋରିଫେଷ୍ଟ୍‌ ରୌପ୍ୟଜୟନ୍ତୀ ଉତ୍ସବ ସୋମବାର ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଉଦ୍‌ଘାଟିତ ହୋଇଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ କହିଲେ ଯୁବ ସମାଜ ଭାରତବର୍ଷର ସବୁଠାରୁ ବଡ଼ସମ୍ପଦ। ଦେଶର ଭବିଷ୍ୟତ ସେମାନଙ୍କ ଉପରେ ନିର୍ଭର କରୁଛି। ସେମାନଙ୍କ ସହଯୋଗ ବିନା ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରିବ ନାହିଁ। ଯୁବସମ୍ପଦର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ବ ଦେଉଥିବା ଶ୍ରୀ ନିଶଙ୍କ ପ୍ରକାଶ କରିଛନ୍ତି। ଅନ୍ତଃରାଜ୍ୟ ସାଂସ୍କୃତିକ ଭାବବିନିମୟ, ଦେଶର ଅଖଣ୍ଡତା ଏବଂ ସାର୍ବଭୌମତ୍ବର ସୁରକ୍ଷା ପାଇଁ ଯୁବ ଓ ଛାତ୍ରଗୋଷ୍ଠୀ ଉଦ୍ୟମ କରିବାକୁ ସେ ଆହ୍ବାନ କରିଛନ୍ତି। ନାଗରିକ ସଂଶୋଧନ ଆଇନ ସମ୍ପର୍କରେ ବିରୋଧୀଦଳ ଗୁଡିକ ଦେଶବାସୀଙ୍କୁ ବିଭ୍ରାନ୍ତ କରୁଥିବା କେନ୍ଦ୍ର ମାନବ ସମ୍ବଳ ବିକାଶମନ୍ତ୍ରୀ କହିଛନ୍ତି। ଏକରାଷ୍ଟ୍ର ଏବଂ ଶ୍ରେଷ୍ଠ ରାଷ୍ଟ୍ର ଅଭିଯାନରେ ଯୁବଗୋଷ୍ଠୀ ସାମିଲ ହେବାକୁ ପରାମର୍ଶ ଦେଇଛନ୍ତି। ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡାକ୍ତର ସମ୍ବିତ କୁମାର ପାତ୍ର, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, କିସ୍‌ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, ହାଇଟେକ ମେଡିକାଲ କଲେଜ ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ଜିଲା ପରିଷଦ ପୂର୍ବତନ ସଭାପତି ଶଙ୍କର୍ଷଣ ପରିଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଜାତୀୟ ଯୁବ ସମନ୍ବିତ କେନ୍ଦ୍ର ପକ୍ଷରୁ ଗ୍ଲୋରିଫେଷ୍ଟ ଅନୁଷ୍ଠିତ ହେଉଛି। ଅନୁଷ୍ଠାନ ସଭାପତି କ୍ୟାପଟେନ ପ୍ରଭାକର ଶତପଥୀ ଉଦ୍‌ଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ସାଧାରଣ ସମ୍ପାଦକ ରାଜେଶ କୁମାର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ। ନୃତ୍ୟଶିଳ୍ପୀ ସାଗରିକା ମହାପାତ୍ରଙ୍କ ନିର୍ଦେଶନାରେ ଓଡ଼ିଶୀନୃତ୍ୟ ଅନୁଷ୍ଠିତ ହୋଇଥିଲା। କଣ୍ଠଶିଳ୍ପୀ ତାରିକ ଅଜିଜ୍‌ ଏବଂ ନାଜିଆ ସଙ୍ଗୀତ ପରିବେଷଣ କରିଥିଲେ। ଉତ୍ତରାଖଣ୍ଡ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଲୋକନୃତ୍ୟ କରାଯାଇଥିଲା। ୧୨ଟି ରାଜ୍ୟରୁ ୬୭୫ ଛାତ୍ରଛାତ୍ରୀ ମହୋତ୍ସବରେ ଯୋଗ ଦେଇଛନ୍ତି। ୧୨ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବବୋଲି ସାଧାରଣ ସମ୍ପାଦକ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

Comments are closed.