ଭାରତରେ ଅଛନ୍ତି ବିଶ୍ୱର ସର୍ବାଧିକ ସଂଖ୍ୟକ ଗ୍ଲାଉକୋମା ରୋଗୀ

ଭୁବନେଶ୍ୱର: ଭାରତରେ ୧୨ ନିୟୁତ ଲୋକ କଳାମୋତିଆ (ଗ୍ଲାଉକୋମା)ରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି ଏବଂ ୯୦% କ୍ଷେତ୍ରରେ ଏହା ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇନାହିଁ। ଏହି ରୋଗରେ ଆଖିରେ ଏକାଧିକ ବ୍ୟତିକ୍ରମ ପରିଲକ୍ଷିତ ହେବା ସହିତ ତାହା ପରିଶେଷରେ ଦୁରାରୋଗ୍ୟ ଦୃଷ୍ଟିହୀନତାର କାରଣ ହୋଇପାରେ। ଏଭଳି ପରିସ୍ଥିତିରେ ବିଶ୍ୱର ସର୍ବାଧିକ ଗ୍ଲାଉକୋମା ରୋଗୀ ଭାରତରେ ରହିଥିବା ଆଶଙ୍କା କରାଯାଉଛି। ବୟସାଧିକ ଲୋକଙ୍କ ସଂଖ୍ୟାବୃଦ୍ଧି, ମଧୁମେହ ଏବଂ ଦୃଷ୍ଟିଶକ୍ତିରେ ତ୍ରୁଟି ପରିଲକ୍ଷିତ ହେବାଭଳି ଜଣାଥିବା କାରଣ ଦେଶରେ ଗ୍ଲାଉକୋମାକୁ ଏକ ଦ୍ରୁତ ବୃଦ୍ଧିଘଟୁଥିବା ଅଣ ସଂକ୍ରାମକ ଚକ୍ଷୁରୋଗ ଭାବରେ ପରିଣତ କରିବାରେ ଲାଗିଛି, ଯେତେବେଳେ ବିଶ୍ୱର ୨୦% ଦୃଷ୍ଟିହୀନ ଭାରତରେ ରହିଛନ୍ତି, ବୋଲି ଡା.ଅଗ୍ରୱାଲ୍‍ସ ଆଇ ହସ୍‍ପିଟାଲ, ଭୁବନେଶ୍ୱରର ସିନିୟର କନ୍‍ସଲଟାଣ୍ଟ ଡା.ପୂର୍ଣ୍ଣିମା ବିଶ୍ୱାଳ କହିଛନ୍ତି।
ସେ କହିଛନ୍ତି ଯେ, ଗ୍ଲାଉକୋମା ନିରାକରଣ ପାଇଁ କୋ÷ଣସି ଜଣାଇଥିବା ପଦ୍ଧତି ନାହିଁ। ଗ୍ଲାଉକୋମାର ଆଦ୍ୟ ଅବସ୍ଥାରେ କୋ÷ଣସି ଲକ୍ଷଣ ପ୍ରକାଶ ପାଉନଥିବାରୁ ଏହା ଜନିତ ଦୃଷ୍ଟିହୀନତାର ନିରାକରଣ ପାଇଁ ଏକମାତ୍ର ଉପାୟ ହେଉଛି ଆଦ୍ୟ ଅବସ୍ଥାରେ ଏହାର ନିଦାନ ଓ ଚିକିତ୍ସା କରିବା, ଯଦ୍ଦ୍ୱାରା ଦୃଷ୍ଟିଶକ୍ତିର ଏହି ନୀରବ ଘାତକର ଅଗ୍ରଗତିକୁ ରୋକିପାରିବ।
ଚଳିତ ମାର୍ଚ୍ଚ ୭ରୁ ୧୩ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଗ୍ଲାଉକୋମା ସପ୍ତାହ ୨୦୨୧ ପାଳିତ ହୋଇଯାଇଛି। ଏହି ଅବସରରେ ଡା.ବିଶ୍ୱାଳ କହିଛନ୍ତି ଯେ, ଭାରତରେ ୧.୬ ନିୟୁତ ଶିଶୁଙ୍କ ସମେତ ପ୍ରାୟ ୪୦ ନିୟୁତ ଲୋକ ଦୃଷ୍ଟିହୀନ ଅଥବା ଦୃଷ୍ଟିବାଧିତ। ଭାରତରେ ଦୃଷ୍ଟିହୀନତାର ପ୍ରଥମ କାରଣ ମୋତିଆବିନ୍ଦୁ ପରେ ଦ୍ୱିତୀୟରେ ରହିଛି ଚିକିତ୍ସା କରାଯାଉନଥିବା ଦୃଷ୍ଟିଶକ୍ତିର ତ୍ରୁଟି (ରିଫ୍ରାକ୍‍ଟିଭ ଏରର୍‍) ଏବଂ ତୃତୀୟରେ ରହିଛି ଗ୍ଲାଉକୋମା। ତେବେ ମୋତିଆବିନ୍ଦୁ ଭିନ୍ନ ଗ୍ଲାଉକୋମା ଅଧିକରୁ ଅଧିକ ଆକ୍ରାନ୍ତ କରିବା ଦ୍ୱାରା ଜଣେ ଦୃଷ୍ଟିଶକ୍ତି ହରାଉଥିବାରୁ ଏହା ଅଧିକ ଜଟିଳ ଏବଂ ବିପଜ୍ଜନକ ବିବେଚିତ ହେଉଛି ଏବଂ ଏହା ଦୁରାରୋଗ୍ୟ। ଗ୍ଲାଉକୋମାର ଉପଯୁକ୍ତ ନିଦାନ ଏବଂ ଚିକିତ୍ସା କରାଯାଉନାହିଁ। ଚକ୍ଷୁ ଭିତରେ ଚାପ ବୃଦ୍ଧିପାଇଲେ (ଇଂଟ୍ରାଅକୁଲାର ପ୍ରେସର) ଏହା ହୋଇଥାଏ। ଚକ୍ଷରୁ ସମ୍ମୁଖ ଭାଗରେ ସୃଷ୍ଟି ହେଉଥିବା ସ୍ୱଚ୍ଛ ତରଳ ପଦାର୍ଥ ଆକ୍ୱିଅସ୍‍ ହ୍ୟୁମର୍‍ ପରିମାଣ ଏବଂ ଏହାର ନିଷ୍କାସନ ପରିମାଣ ସମାନ ରହିଲେ ଚକ୍ଷୁ ଭିତର ପାଶ୍ୱର୍ରେ ଚାପ ସମାନ ରହିଥାଏ। ତେବେ ଏହି ତରଳ ପଦାର୍ଥ ପରିବାହୀ ମାଧ୍ୟମଗୁଡିକ ଯେତେବେଳେ ଅବରୋଧ ହୁଏ ସେତେବେଳେ ଚକ୍ଷୁ ଭିତରେ ଚାପ ବୃଦ୍ଧିପାଏ। ଏହି ବର୍ଦ୍ଧିତ ଚାପ ଚକ୍ଷୁର ସ୍ନାୟବିକ ବ୍ୟବସ୍ଥାକୁ ନଷ୍ଟ କରିଦିଏ ଏବଂ ତାହା ମସ୍ତିଷ୍କକୁ ଦୃଶ୍ୟଭିତ୍ତିକ ବାର୍ତ୍ତା ପଠାଇଥାଏ।
ଡା.ବିଶ୍ୱାଳ କହିଛନ୍ତି ଯେ, ଗ୍ଲାଉକୋମା ଦୁଇଟି ମୁଖ୍ୟ ପ୍ରକାରର ରହିଛି, ଯଥା- ଓପନ୍‍ ଆଙ୍ଗଲ ଗ୍ଲାଉକୋମା ଏବଂ କ୍ଲୋଜ ଆଙ୍ଗଲ୍‍ ଗ୍ଲାଉକୋମା। ଓପନ୍‍ ଆଙ୍ଗଲ ଗ୍ଲାଉକୋମା ଅଧିକାଂଶଙ୍କ ଠାରେ ପରିଲକ୍ଷିତ ହୋଇଥାଏ। ପ୍ରାୟ ୯୦% ଗ୍ଲାଉକୋମା ରୋଗୀଙ୍କ ଠାରେ ଏହା ଦେଖାଯାଏ। ଏହା ଧୀର ଗତିରେ ଆକ୍ରାନ୍ତ କରିଥାଏ ଏବଂ ଏହା କେନ୍ଦ୍ରୀୟ ଦୃଷ୍ଟିଶକ୍ତିକୁ ପ୍ରଭାବିତ ନକରିବା ପର୍ଯ୍ୟନ୍ତ ରୋଗୀ ଦୃଷ୍ଟିଶକ୍ତି ହ୍ରାସ ସମ୍ପର୍କରେ କୋ÷ଣସି ଅନୁଭବ କରିପାରନ୍ତି ନାହିଁ। ରୋଗୀ ଯଦି ଚକ୍ଷୁ ପରୀକ୍ଷା ନକରାନ୍ତି ତେବେ ସେ ସ୍ଥାୟୀ ଭାବରେ ଦୃଷ୍ଟିଶକ୍ତି ହରାଇଥାନ୍ତି।
ଯେକୋ÷ଣସି ବୟସରେ ଜଣଙ୍କୁ ଗ୍ଲାଉକୋମା ଆକ୍ରାନ୍ତ କରିପାରେ। ଜଣାଯାଇଛି ଯେ ଲୋକଙ୍କର ଜୀବଦ୍ଦଶା ମଧ୍ୟରେ ଗ୍ଲାଉକୋମା ଆକ୍ରାନ୍ତ କରିବାର ୨.୩% ଆପଦ ରହିଥାଏ। ତେବେ ଯେଉଁମାନଙ୍କର ବୟସ ୪୦ବର୍ଷରୁ ଅଧିକ ଏବଂ ଯେଉଁମାନଙ୍କର ଗ୍ଲାଉକୋମା ଏବଂ ମଧୁମେହର ପାରିବାରିକ ପୃଷ୍ଠଭୂମି ରହିଛି, ତାହାଛଡା ଯେଉଁମାନଙ୍କର ରିଫ୍ରାକ୍‍ଟିଭ ଏରର୍‍ ରହିଛି ଏବଂ ଯେଉଁମାନେ ଷ୍ଟିରଏଡ ଚିକିତ୍ସା, ଆଖି ଡ୍ରପ୍‍, ବଟିକା, ଇନ୍‍ହେଲର ଏବଂ ତ୍ୱଚା କ୍ରିମ୍‍ ବ୍ୟବହାର କରୁଛନ୍ତି ସେମାନଙ୍କୁ ଆପଦାପର୍ଣ୍ଣ ସମୁଦାୟ ଭାବରେ ବିବେଚନା କରାଯାଏ। ସେମାନେ ପ୍ରତିବର୍ଷ ଗ୍ଲାଉକୋମାର ଯାଞ୍ଚ କରାଇବା ଉଚିତ।
ସେ କହିଛନ୍ତି, ଆଦ୍ୟ ଅବସ୍ଥାରେ ଚିହ୍ନଟ କରାଗଲେ ଗ୍ଲାଉକୋମାର ସଫଳ ଚିକିତ୍ସା କରାଯାଇପାରିବ ଏବଂ ଦୃଷ୍ଟିଶକ୍ତି ହାନିକୁ ଏଡାଯାଇପାରିବ ଅଥବା ହ୍ରାସ କରାଯାଇପାରିବ। ରୋଗ ନିଦାନକୁ ଦୁଇଟି ବର୍ଗରେ ବିଭକ୍ତ କରାଯାଇଛି, ଯଥା- କ୍ଲିନିକାଲ ପରୀକ୍ଷଣ ଏବଂ ନୈଦାନିକ ପରୀକ୍ଷଣ। କ୍ଲିନିକାଲ ପରୀକ୍ଷା ନିରୀକ୍ଷାରେ ସ୍ଲିଟ୍‍ ଲ୍ୟାମ୍ପ ବାୟୋମାଇକ୍ରୋସ୍କୋପି, ଟୋନୋମିଟର ଏବଂ ଗୋନିଓସ୍କୋପି ଭଳି ସ୍ୱତନ୍ତ୍ର ଉପକରଣ ବ୍ୟବହାର କରାଯାଇ ଚକ୍ଷୁର ସ୍ଥିତି ଯାଞ୍ଚ କରାଯାଇଥାଏ। ନୈଦାନିକ ପରୀକ୍ଷଣରେ ପେରିମେଟ୍ରି, ପାକିମେଟ୍ରି, ଅପ୍‍ଟିକ ନର୍ଭ ହେଡ୍‍ର ଫଟୋଗ୍ରାଫି, ଅପ୍‍ଟିକାଲ କୋହେରେନ୍ସଟମୋଗ୍ରାଫି, ସ୍କାନିଂ ଲେଜର ପୋଲାରିମେଟ୍ରି ଏବଂ କନ୍‍ଫୋକାଲ ଲେଜର ସ୍କାନିଂ ଅପ୍‍ଥାଲମୋସ୍କୋପ୍‍ ଆଦି ଅନ୍ତର୍ଭୁକ୍ତ।
ଗ୍ଲାଉକୋମା କ୍ଷେତ୍ରରେ ଇଂଟ୍ରାଅକୁଲାର୍‍ ପ୍ରେସର୍‍ ଏକମାତ୍ର ସଂଶୋଧନଯୋଗ୍ୟ ବିଷୟ ହୋଇଥିବାରୁ ସମୁଦାୟ ଚିକିତ୍ସା ପଦ୍ଧତି ଏହି ଚାପକୁ ସ୍ୱାଭାବିକ କରିବା ଉପରେ ଆଧାରିତ ହୋଇଥାଏ। ଏହାର ଚିକିତ୍ସା ପ୍ରକାର ଡାକ୍ତରୀ (ଚକ୍ଷୁ ଡ୍ରପ୍‍, ବଟିକା), ଲେଜର ଚିକିତ୍ସା (ଅବରୋଧ ଚାନେଲଗୁଡିକୁ ଉନ୍ମୁକ୍ତ କରିବା ଲକ୍ଷ୍ୟରେ) ଏବଂ ଅସ୍ତ୍ରୋପଚାର (ଚକ୍ଷୁ ଭିତରେ ତରଳ ପଦାର୍ଥ ନିଷ୍କାସନ ପାଇଁ ନୂଆ ଚାନେଲ ସୃଷ୍ଟି ଲକ୍ଷ୍ୟରେ) ହୋଇପାରେ। ଅସ୍ତୋପଚାର ପ୍ରକ୍ରିୟାରେ ମଧ୍ୟ ବିବିଧ ଉପକରଣ ପ୍ରୟୋଗ କରାଯାଇଥାଏ ଯାହାକୁ ଚକ୍ଷୁରୁ ତରଳ ପଦାର୍ଥ ନିଷ୍କାସନରେ ସହାୟକ ହେବାପାଇଁ ସ୍ଥାନିତ କରାଯାଇପାରିବ।

Comments
Loading...