ଜଉମୁଦ ଲଫାପାରେ ରାଫେଲର ମୂଲ୍ୟର ତଥ୍ୟ ଦେବାକୁ କେନ୍ଦ୍ରକୁ ନିର୍ଦେଶ

0

ନୂଆଦିଲ୍ଲୀ : ଫ୍ରାନ୍ସଠାରୁ କ୍ରୟ କରାଯାଉଥିବା ୩୬ଟି ରାଫେଲ ଯୁଦ୍ଧ ବିମାନର ମୂଲ୍ୟ ସମ୍ବନ୍ଧୀୟ ସବିଶେଷ ତଥ୍ୟ ସମ୍ବଳିତ ଜଉମୁଦ ରିପୋର୍ଟ ଆସନ୍ତା ୧୦ ଦିନ ମଧ୍ୟରେ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ବୁଧବାର ନିର୍ଦେଶ ଦେଇଛନ୍ତି। ଏଥିସହ ଏହି କାରବାରର ନିଷ୍ପତ୍ତି ନିର୍ଦ୍ଧାରଣ ପ୍ରକ୍ରିୟା ଓ ଅଫ୍‍ସେଟ୍‍ ଚୁକ୍ତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ଜଉମୁଦ ଲଫାପାରେ କୋର୍ଟରେ ଦାଖଲ କରିବାକୁ କେନ୍ଦ୍ରକୁ ନିର୍ଦେଶ ଦିଆଯାଇଛି। ମାତ୍ର ଏହି ତଥ୍ୟ ପ୍ରକାଶ କରିବା ସମ୍ଭବ ନୁହେଁ ବୋଲି ଆଟର୍ଣ୍ଣି ଜେନେରାଲ କେ. କେ. ବେଣୁଗୋପାଳ ଯୁକ୍ତି ବାଢିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଏକ ସତ୍ୟପାଠ ଦାଖଲ କରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଯେଉଁ ତଥ୍ୟ ଆବେଦନକାରୀମାନଙ୍କ ସମ୍ମୁଖରେ ପବ୍ଲିକ ଡୋମେନରେ ଉପସ୍ଥାପନ କରାଯାଇପାରିବ ତାହା କେନ୍ଦ୍ର ଉପଲବ୍ଧ କରିବା ଆବଶ୍ୟକ। ତେବେ ରାଫେଲ କାରବାର ସହିତ ଜଡିତ ବୈଷୟିକ ତଥ୍ୟ ପ୍ରଦାନ କରିବାର ଆବଶ୍ୟକ ନାହିଁ। ସମ୍ପୂର୍ଣ୍ଣ ଗୋପନୀୟ ଏବଂ ସାମରିକ ମହତ୍ୱ ବହନ କରୁଥିବା ତଥ୍ୟଗୁଡିକୁ ପ୍ରକାଶ କରା ନ ଯାଇପାରେ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୪ରେ ହେବ।
ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ବିଚାରପତି ୟୁ. ୟୁ. ଲଲିତ, କେ. ଏମ୍‍. ଯୋଶେଫଙ୍କୁ ନେଇ ଗଠିତ ପୀଠରେ ଓକିଲ ମନୋହର ଲାଲ ଶର୍ମା ଏବଂ ନିପୀତ ଧଣ୍ଡାଙ୍କ ଦ୍ୱାରା କରାଯାଇଥିବା ଦୁଇଟି ଆବେଦନ ଉପରେ ଶୁଣାଣି ଜାରି ରହିଛି। କେନ୍ଦ୍ର ସରକାର ୧୦ ଦିନ ମଧ୍ୟ ଏହି ରିପୋର୍ଟ ଦାଖଲ କରିବା ପରେ ପରବର୍ତ୍ତୀ ୭ ଦିନ ମଧ୍ୟରେ ଆବେଦନକାରୀମାନେ ତାହା ଉପରେ ନିଜର ପ୍ରତିକ୍ରିୟା ଉପସ୍ଥାପନ କରିବେ ବୋଲି ପୀଠ ଦର୍ଶାଇଛନ୍ତି। କିନ୍ତୁ ଏହି ତଥ୍ୟ ସଂସଦକୁ ମଧ୍ୟ ପ୍ରଦାନ କରାଯାଇ ନ ଥିବାରୁ ତାହାକୁ କୋର୍ଟରେ ପ୍ରକାଶ କରିବା କେନ୍ଦ୍ର ସରକାରଙ୍କ ପାଇଁ ସମ୍ଭବ ନୁହେଁ ବୋଲି ଆଟର୍ଣ୍ଣି ଜେନେରାଲ କେ. କେ. ବେଣୁଗୋପାଳ ଶୁଣାଣି ବେଳେ ଯୁକ୍ତି ଦର୍ଶାଇଥିଲେ। କୋର୍ଟରେ ଅଦ୍ୟାବଧି ଯେଉଁ ରିପୋର୍ଟ ଦାଖଲ କରାଯାଇଛି ତାହା ସରକାରୀ ଗୋପନୀୟତା ଆଇନ ପରିସରଭୁକ୍ତ ବୋଲି ବେଣୁଗୋପାଳ ଦର୍ଶାଇବାରୁ ଉତ୍ତରରେ ପୀଠ କହିଥିଲେ ପବ୍ଲିକ ଡୋମେନକୁ ଅଣାଯାଇପାରୁ ଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟଗୁଡିକୁ ଆବେଦନକାରୀମାନଙ୍କୁ ପ୍ରଦାନ କରାଯାଇପାରିବ। ରାଫେଲ କାରବାରର ସିବିଆଇ ତଦନ୍ତ ଦାବି କରି ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ, ପୂର୍ବତନ ମନ୍ତ୍ରୀ ଅରୁଣ ସୌରୀ ଓ ଯଶୱନ୍ତ ସିହ୍ନାଙ୍କ ପକ୍ଷରୁ ହୋଇଥିବା ୪ଟି କରିଥିବା ଆବେଦନ ଉପରେ ପ୍ରଧାନ ବିଚାରପତି କହିଛନ୍ତି ସିବିଆଇ ତଦନ୍ତ ଲାଗି ଅପେକ୍ଷା କରିବାକୁ ହେବ। କାରଣ ସଙ୍କଟରେ ପଡିଥିବା ସିବିଆଇକୁ ପ୍ରଥମେ ବ୍ୟବସ୍ଥିତ ହେବାକୁ ଦିଆଯିବା ଉଚିତ। ଉଲ୍ଲେଖ ଯେ, କେନ୍ଦ୍ର ସରକାର ଫ୍ରାନ୍ସଠାରୁ ୩୬ଟି ରାଫେଲ ବିମାନ କ୍ରୟ କରିବାକୁ ଚୁକ୍ତିବଦ୍ଧ ହୋଇଥିବା ବେଳେ ଏହି କାରବାରରେ ଦୁର୍ନୀତି କରାଯାଇଥିବା ବିରୋଧୀ ଦଳ କଂଗ୍ରେସ ଅଭିଯୋଗ ଉଠାଇଛି। ଏହାକୁ ନେଇ ରାଜନୈତିକ ବିତର୍କ ଲାଗି ରହିଥିବା ବେଳେ ରାଫେଲ କାରବାର ସମ୍ବନ୍ଧୀୟ ନିଷ୍ପତ୍ତି ନିର୍ଦ୍ଧାରଣ ପ୍ରକ୍ରିୟା ବିଷୟରେ ଜଉମୁଦ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ଅକ୍ଟୋବର ୧୦ରେ କେନ୍ଦ୍ରକୁ ନିର୍ଦେଶ ଦେଇଥିଲେ। ନିର୍ଦେଶ ମୁତାବକ କେନ୍ଦ୍ର ସରକାର ଶନିବାର ରିପୋର୍ଟ ଦାଖଲ କରିଥିଲେ। ଚୁକ୍ତି ଅନୁସାରେ ଫ୍ରାନ୍ସର ଡାସଲ୍ଟ ଆଭିଏସନ୍‍ ୨୦୧୯ ସୁଦ୍ଧା ଭାରତକୁ ୩୬ଟି ରାଫେଲ ବିମାନ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply