୧୦ ଟଙ୍କା ଦିଅ ରିଲିଫ ନିଅ

ପ୍ରଭାବଶାଳୀ ବ୍ୟକ୍ତିଙ୍କ ଇଙ୍ଗିତରେ ବଣ୍ଟା ଯାଉଛି ରିଲିଫ

ଆରଡି: ଚଳିତ ବନ୍ୟାରେ ବିପନ୍ନଙ୍କୁ ସହାୟତା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ ୫୦କେଜି ଚାଉଳ ସାଙ୍ଗକୁ ୫ଶହ ଟଙ୍କା। ହେଲେ ବଡବଡିଆ ବାବୁମାନେ ଏହାର ସୁଯୋଗ ନେଇ ସରକାରୀ ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରିବା ସହ ନିଜ ଇଛାରେ ରିଲିଫ ସାମଗ୍ରୀ ବାଣ୍ଟୁଛନ୍ତି ତ ଆଉ କେଉଁଠି ହାତ ଗୁଞ୍ଜା ନଦେଲେ ରିଲିଫ ମିଳିବ ନାହିଁ ବୋଲି ରୋକଠୋକ ଭାବେ ମନା କରି ଦେଉଛନ୍ତି। ପଚାରିଲେ ମିଳୁଛି ଧମକ। ଏପରି ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଆରଡି ପଞ୍ଚାୟତରେ। ବୈତରଣୀ ନଦୀରେ ଆସିଥିବା ଚଳିତ ବନ୍ୟାରେ ଚାନ୍ଦବାଲିର ଧୋୟା ଅଞ୍ଚଳ ଭାବେ ପରିଚିତ ଆରଡି ସମେତ ନାନ୍ଦପୁର, ଓଳଗ, ସୁନ୍ଦରପୁ ପଞ୍ଚାୟତରେ ପୂର୍ଣ୍ଣିମା ଜୁଆର ଯୋଗୁ ଦୀର୍ଘଦିନ ଧରି ବନ୍ୟାପାଣି ଜମି ରହିବା ଦ୍ୱାରା ଆରଡି, ମୁଆଁ, ସନ୍ତରା, ସିଙ୍ଗିପୁର, ଆଦି ୧୫ଗୋଟି ଗାଁ ଦୀର୍ଘଦିନ ଧରି ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିବା ସହିତ ଲୋକମାନଙ୍କର ବାସ ଓ ଚାଷ ସମ୍ପୂର୍ଣ୍ଣ ଭାବେ ଉଜୁଡି ଯାଇଥିଲା। ଏବେ ବନ୍ୟା ଛାଡିବାର ଦୀର୍ଘ ୨୫ଦିନ ପରେ ଆରଡି ଅଞ୍ଚଳରେ ସରକାରଙ୍କ ପକ୍ଷରୁ ରିଲିଫ ବଣ୍ଟନ ଚାଲିଥିଲେ ମଧ୍ୟ ବଡବାବୁଙ୍କ ହୁକୁମ ଅନୁଯାୟୀ ୧୦ଟଙ୍କା ନଦେଲେ ରିଲିଫ ମିଳିବ ନାହିଁ ବୋଲି ରୋକଠୋକ ଭାବେ ମନା କରୁଛନ୍ତି ଆରଡି ପଞ୍ଚାୟତ ଅଧିକାରୀ ସଂଜୟ ଦାସ। ଏପରି ବାବଦରେ ଶ୍ରୀ ଦାସଙ୍କୁ ପଚାରିବାରୁ ବିଡିଓଙ୍କ କଡା ନିର୍ଦେଶ, କାହିଁକି ନିଆଯାଉଛି ତମକୁ ଉତ୍ତର ଆମେ ଦେଇ ପାରିବୁ ନାହିଁ ବୋଲି ମନା କରିବା ସହ ହ୍ୱାଟ୍ସଆପ୍‍ ଚେକ କର ଭଲଭାବେ ଜାଣି ପାରିବ ବୋଲି ବିବୃତି ଦେଇଥିଲେ। ତାସହ ନିର୍ବାହୀ ଅଧିକାରୀ ବଣ୍ଟନ ପାଖରେ ନରହି ଶୀତତାପ କୋଠରୀରେ ବସି କେତେକ ପ୍ରଭାବଶାଳୀଙ୍କ ଇଙ୍ଗିତରେ ରିଲିଫ ସାମଗ୍ରୀ ବଣ୍ଟନ କରୁଥିବା ବହୁ ବିପନ୍ନ ଅଭିଯୋଗ ଆଣିଛନ୍ତି। ପରେ ଏପରି ବାବଦରେ ବିଡିଓଙ୍କୁ ବାରମ୍ବାର ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ କୈାଣସି ପ୍ରତିକ୍ରିୟା ମିଳିପାରିନଥିଲା।

Comments are closed.