ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବାକୁ ମନାକଲେ ନବୀନଙ୍କ ଭଉଣୀ ଗୀତା ମେହେଟ୍ଟା

0

ନୂଆଦିଲ୍ଲୀ ..- ପଦ୍ମଶ୍ରୀସମ୍ମାନ ଗ୍ରହଣ କରିବାପାଇଁ ବିଜୁ ପଟ୍ଟନାୟକଙ୍କ ଝିଅ ତଥା  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା ମନା କରି ଦେଇଛନ୍ତି । ତାଙ୍କୁ ପ୍ରବାସୀ ଭାରତୀୟ ଭାବେ ସାହିତ୍ୟ ପ୍ରତି ଥିବା ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ମାତ୍ର ଏହା ପଦ୍ମଶ୍ରୀ ଗ୍ରହଣ କରିବା ପାଇଁ ପ୍ରକୃଷ୍ଟ ସମୟ ନୁହେଁ , ଆଗକୁ ନିର୍ବାଚନ ଥିବାରୁ ଏହା ଏକ ପ୍ରକାର ଭ୍ରମ ସୃଷ୍ଟି କରିବ ବୋଲି ସେ କହିଛନ୍ତି । ତାଙ୍କୁ ପଦ୍ମଶ୍ରୀ ପାଇଁ ଯୋଗ୍ୟ ଭାବୁଥିବା ଯୋଗୁଁ ସେ ଗର୍ବିତ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।

ଗୀତା ମେହେଟ୍ଟା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଝିଅ ହୋଇଥିବା ବେଳେ ସେ ବିଶ୍ୱର ପ୍ରତିଷ୍ଠିତ ଇଂରାଜୀ ପୁସ୍ତକ ପ୍ରକାଶକ  ସୋନି ମେହେଟ୍ଟାଙ୍କର ପତ୍ନୀ । ସେ ବିଜୁ ପଟ୍ଟନାୟକଙ୍କର ତିନି ସନ୍ତାନଙ୍କ ମଧ୍ୟରେ ମଝିଆଁ । ନବୀନ ପଟ୍ଟନାୟକ ସବୁଠାରୁ ସାନ । ଗୀତା ମେହେଟ୍ଟାଙ୍କ ପତି ସୋନି ମେହେଟ୍ଟା ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସର୍ବଶ୍ରେଷ୍ଠ ବିକ୍ରି ପୁସ୍ତକ  ସହ ଆମେରିକାର ପୂର୍ବତନ  ରାଷ୍ଟ୍ରପତି ଜର୍ଜ ଏଚ୍‌ ଡବ୍ଲୁ ବୁଶ୍‌, ବିଲ୍ କ୍ଲିଣ୍ଟନ, ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ମାର୍ଗାରେଟ୍‌ ଥାଚେର୍‌ ଓ ଟୋନି ବ୍ଲେୟାର ଏହା ସହ ପୋପ୍‌ ଜନ୍‌ ପଲ୍‌ ଦ୍ୱିତୀୟ , ୬ ଜଣ ନୋବେଲ୍‌ ପୁରସ୍କାର ବିଜେତାଙ୍କ ପୁସ୍ତକ , ପୁଲିଟଜର୍‌ ପୁରସ୍କାର ଓ ଅନେକ ଲୋକପ୍ରିୟ ଇଂରାଜୀ ପୁସ୍ତକ ପ୍ରକାଶ କରିଛନ୍ତି । ଗୀତା ମେହେଟ୍ଟା ଅନେକ ପୁସ୍ତକ ରଚନା କରିବା ସହ ପ୍ରାମାଣିକ ଚଳଚ୍ଚିତ୍ର ବି ତିଆରି କରିଛନ୍ତି । ଓଡ଼ିଶା ରାଜନୀତିରେ ତାଙ୍କ ନାମକୁ ନେଇ ଅନେକ ଥର ଚର୍ଚ୍ଚା ହୋଇଛି ।  କିଛିଦିନ ତଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ଦିଲ୍ଲୀରେ ସାକ୍ଷାତକାର ହୋଇଥିଲା ।

Leave A Reply