MEllora 950×100

ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ବଦଳୁନି ଅବସ୍ଥା, ପାଠପଢ଼ା ବୟସରେ ମୁଣ୍ଡରେ କାଠର ବୋଝ

ଲକ୍ଷ୍ମୀପୁର : ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଓ ଅଞ୍ଚଳବାସୀଙ୍କ ଭାଗ୍ୟ ବଦଳି ପାରୁନାହିଁ । ବାଳିକା ଶିକ୍ଷା ପ୍ରତି ସରକାର ଗୁରୁତ୍ବ ଦେଉଥିବା କହୁଥିବା ବେଳେ ଆର୍ଥିକ ଦୂରାବସ୍ଥା କାରଣରୁ ପାଠ ପଢିବା ବୟସରେ ସେମାନଙ୍କ ମା’ ମାନଙ୍କ ସହିତ ଏମାନେ କାଠ ବୋଝ ମୁଣ୍ଡାଇବାକୁ ବାଧ୍ୟ ହେଉଛନ୍ତି ।

ନିର୍ବାଚନ ପରେ ନିର୍ବାଚନ ହେଉଛି, ହେଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଅବସ୍ଥାରେ କୌଣସି ପରିବର୍ତ୍ତନ ହେଲା ଭଳି ଲାଗୁନି । କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଏଭଳି ଅବସ୍ଥାରେ ଏବେ ବି ଲୋକ ମାନେ ରହିଛନ୍ତି । ଆର୍ଥିକ ଅନାଟନ ହିଁ ଏହାର ମୂଳ କାରଣ । ଯେଉଁଥିପାଇଁ ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଅବସ୍ଥାରେ ସେଭଳି କିଛି ପରିବର୍ତ୍ତନ ହୋଇଥିବା ଭଳି ଜଣାପଡୁନାହିଁ।
ସେ ସାଧାରଣ ନିର୍ବାଚନ ହେଉ ଅବା ପଞ୍ଚାୟତ ନିର୍ବାଚନ, ନେତା ଏମାନଙ୍କ ପାଖକୁ ଆସନ୍ତି ଆଉ ହାତୀ ଦେବି, ଘୋଡା ଦେବି କହି ମେଞ୍ଚା ମେଞ୍ଚା ପ୍ରତିଶ୍ରୁତି ଦେଇ ଯାଆନ୍ତି ।  କିନ୍ତୁ ନିର୍ବାଚନ ସରିଗଲା ପରେ ଆଉ ଏମାନଙ୍କ ପାଖ ମାଡ଼ନ୍ତି ନାହିଁ । ଏମିତି ଅନେକ ଗାଁ ରହିଛି ଲକ୍ଷ୍ମୀପୁର ବ୍ଳକରେ ପିଢ଼ି ପରେ ପିଢ଼ି ଆଦିମ ଜନଜାତି ମହିଳା ମାନେ ଜଙ୍ଗଲରୁ କାଠ ଆଣି ବିକିବା ପରେ ସେଥିରୁ ଯାହା ମିଳେ ସେମାନଙ୍କ ଗୁଜୁରାଣ ମେଣ୍ଟାଇ ଥାଆନ୍ତି ।ଏପରିକି କିଶୋରୀ, ବାଳିକା ମାନେ ମଧ୍ୟ ଏଥିରୁ ବାଦ ପଡନ୍ତି ନାହିଁ । ମା’ ମାନଙ୍କ ସହିତ ଜଙ୍ଗଲକୁ କାଠ ପାଇଁ ଯିବା ସହିତ ବଜାର ଓ ସାହି ମାନଙ୍କରେ ଆଣି ବିକ୍ରି କରି ପରିବାର ଚଳାଇବା ପାଇଁ ସହାୟକ ହୋଇଥାନ୍ତି।
ସେ କେନ୍ଦ୍ର ସରକାର ହୁଅନ୍ତୁ ଅବା ରାଜ୍ୟ ସରକାର ଏମାନଙ୍କ ପାଇଁ ଅନେକ ଯୋଜନା କରିଥିବା ନେଇ ଡିଣ୍ଡିମ ପିଟିବା ସହିତ କୋଟି କୋଟି ଟଙ୍କା ଏମାନଙ୍କ ଊନ୍ନିତ ପାଇଁ ବ୍ୟୟ କରୁଥିବା କହୁଥିଲେ ମଧ୍ୟ ଅବସ୍ଥାରେ କୌଣସି ସୁଧାର ଆସିପାରୁ ନାହିଁ । ଏମାନଙ୍କ ପାଇଁ ଅନ୍ୟମାନେ ମାଲାମାଲ ହେଉଥିବା ବେଳେ ଏମାନଙ୍କ ଅବସ୍ଥା ଯେଉଁ ତୀମିରକୁ ସେଇ ତୀମିରରେ ରହି ଯାଇଛି । ତେବେ ନିର୍ବାଚନ ଆସିଲେ ହିଁ ଏମାନଙ୍କ କଥା  ପୁଣି ମନେପଡିବା ସହିତ ପ୍ରତିଶ୍ରୁତିର ପାହାଡ଼ ଉପରେ ଚଢାଇ ଦେଇ ଅଞ୍ଚଳର ନେତା ମାନେ ଚାଲି ଯାଆନ୍ତି ।

Comments are closed.