ସୋନପୁର-ବୀରମହାରାଜପୁର ରାସ୍ତା ଅବରୋଧ କଲେ ଚାଷୀ, ୩୫ ଗିରଫ

ବୀରମହାରାଜପୁର: ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ଆହ୍ୱାନକ୍ରମେ ଆଜି ପୂର୍ବାହ୍ନରୁ ସୁବର୍ଣ୍ଣପୁର ଜିଲ୍ଲାର ଉଫୁଲା ଛକଠାରେ ଚାଷୀମାନେ ବୀରମହାରାଜପୁର- ସୋନପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ଚାଷୀମାନେ ରାସ୍ତା ଉପରେ ଧାନ ବସ୍ତା ରଖି ଧାରଣା ମଧ୍ୟ ଦେଇଥିଲେ । ସ୍ଥାନୀୟ କ୍ରପ୍ କଟିଂ ଆଧାରରେ ଏକର ପିଛା ଧାନ ବିକ୍ରି ପରିମାଣ ଧାର୍ଯ୍ୟ କରାଯିବା, ଟୋକନ ଆବଣ୍ଟନ ପାଇଁ ଜିଲ୍ଲାପାଳଙ୍କୁ ଦାୟିତ୍ଵ ପ୍ରଦାନ, ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନ ସମ୍ମତ କରାଯିବା ଓ ବିନା କଟଣିରେ ଧାନ କିଣାଯିବାକୁ ଆନ୍ଦୋଳନରତ ଚାଷୀ ଦାବି କରିଥିଲେ । ସନ୍ଧ୍ୟାରେ ବୀରମହାରାଜପୁର ଉପଜିଲ୍ଲପାଳ ଅଶୋକ କୁମାର ଭୋଇ ଓ ଉପଖଣ୍ଡୀୟ ପୁଲିସ ଅଧିକାରୀ ଧିରଜ କୁମାର ଚୋପଦାର ଅବରୋଧ ସ୍ଥଳକୁ ଯାଇ ଚାଷୀଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି । ତେବେ ଆଲୋଚନାରେ ସମାଧାନର ପନ୍ଥା ବାହାରି ପାରି ନ ଥିଲା । ସନ୍ଧ୍ୟା ପରେ ମଧ୍ୟ ରାସ୍ତା ଅବରୋଧ ଜାରି ରହିବାରୁ ପୁଲିସ ୩୫ ଜଣ ଚାଷୀଙ୍କୁ ଗିରଫ କରିଥିଲା । ଜିଲ୍ଲା କୃଷକ ସଂଗଠନର ସଭାପତି ରାଜେନ୍ଦ୍ର ନାଏକ, ଜିଲ୍ଲା ସମ୍ପାଦକ ଧର୍ମେନ୍ଦ୍ର ମେହେର, ଜିଲ୍ଲା ଉପସଭାପତି ବୈକୁଣ୍ଠ ଶତପଥୀ, ବୀରମହାରାଜପୁର କୃଷକ ବିକାଶ ପରିଷଦର ସଭାପତି ପ୍ରଦୀପ ସ୍ୱାଇଁ, ରାଜେନ୍ଦ୍ର ପଧାନ, କିଶୋର ହୋତା, ଭଗବାନ ବାଘ, ନରୋତ୍ତମ ପଧାନ, ବ୍ୟୋମକେଶ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ଘୁଷୁରି, ମକୁନ୍ଦ ବିଶ୍ଵାଳ, ସତ୍ୟ ପଧାନ,  ଗୋପାଳ ଦାଶ, ଅକ୍ରୁର ଦନ୍ତା, ଦିଲ୍ଲୀପ ପଧାନ, ପଦାର୍ଥ ଜଗଦଲା ପ୍ରମୁଖ ଚାଷୀମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ ।

Comments are closed.