ମେଲ୍ବୋର୍ଣ୍ଣ ଟେଷ୍ଟରେ ଭାରତୀୟ ଦଳରେ ୪ ପରିବର୍ତ୍ତନ; ଗିଲ୍, ରାହୁଲ, ପନ୍ତ୍, ସିରାଜ୍ ଖେଳିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ : କ୍ରିକେଟ୍ ଇତିହାସରେ ସର୍ବନିମ୍ନ ଟେଷ୍ଟ ସ୍କୋର୍ ୩୬ ରନ୍ କରିବା ପରେ ଭାରତୀୟ କ୍ରିକେଟ ଦଳ ଏବେ ପ୍ରବଳ ଚାପରେ। ଏପରି ବିପର୍ଯ୍ୟୟ ପରେ ଭାରତୀୟ ଦଳ ଝାଡ଼ିଝୁଡ଼ି ହୋଇ ଛିଡ଼ାହେବାର ପ୍ରୟାସ କରୁଛି। ଶନିବାରଠାରୁ ମେଲ୍ବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ବର୍ଡର-ଗାଭାସ୍କର ଟ୍ରଫିର ୨ୟ ଟେଷ୍ଟମ୍ୟାଚ୍ ଖେଳାଯିବ। ଆଡିଲେଡ୍ ବିପର୍ଯ୍ୟୟ ପରେ ଏହି ମ୍ୟାଚ୍ରେ ଭାରତ ଦଳରେ ବ୍ୟାପକ ପରିବର୍ତ୍ତନ କରିବାର ଯୋଜନା କରିଛି। ଦଳ ସୂତ୍ରରୁ ପ୍ରକାଶ ଯେ ୨ୟ ଟେଷ୍ଟମ୍ୟାଚ୍ ଲାଗି ଦଳରେ ଅତିକମ୍ରେ ୪ଟି ପରିବର୍ତ୍ତନ ହେବା ନିଶ୍ଚିତ। ମିଳିଥିବା ସୂଚନା ଅନୁସାରେ ମେଲ୍ବୋର୍ଣ୍ଣ ଟେଷ୍ଟରେ ଓପ୍ନର ଶୁବ୍ମାନ ଗିଲ୍, କେ.ଏଲ୍. ରାହୁଲ, ୱିକେଟ ରକ୍ଷକ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ୍ ଓ ପେସ୍ ବୋଲର ମହମ୍ମଦ ସିରାଜ୍ ଏହି ଟେଷ୍ଟମ୍ୟାଚ୍ ଖେଳିବେ।
ପିତୃତ୍ବ ଛୁଟି ନେଇ ଭାରତ ଫେରି ଆସିଥିବା ଅଧିନାୟକ ବିରାଟ କୋହଲିଙ୍କ ସ୍ଥାନରେ ମଧ୍ୟକ୍ରମରେ କେ.ଏଲ୍. ରାହୁଲ ଖେଳିବା ନିଶ୍ଚିତ। ଗତବର୍ଷ ଅଗଷ୍ଟରେ ରାହୁଲ ତାଙ୍କର ଶେଷ ଟେଷ୍ଟମ୍ୟାଚ୍ ଖେଳିଥିଲେ। ରାହୁଲ ଖେଳିଲେ ବି ତାଙ୍କୁ କୋହଲିଙ୍କ ସ୍ଥାନ ୪ନଂ ସ୍ଥାନରେ ବ୍ୟାଟିଂ ମିଳିବାର ସମ୍ଭାବନା କମ୍। ଭଲ ବ୍ୟାଟିଂ ଟେକ୍ନିକ୍ ଥିବା ହନୁମା ବିହାରୀ ୪ନଂ ସ୍ଥାନରେ ବ୍ୟାଟିଂ କରିପାରନ୍ତି। ଫଳରେ ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ପରେ ୬ନଂ ସ୍ଥାନରେ ରାହୁଲ ବ୍ୟାଟିଂ କରିପାରନ୍ତି। ଅଭିଜ୍ଞ ୱିକେଟ୍ ରକ୍ଷକ ଋଦ୍ଧିମାନ ଶାହାଙ୍କ ବ୍ୟାଟିଂ ଡ୍ରେସିଂରୁମ୍କୁ ଆତ୍ମବିଶ୍ବାସ ଦେଇ ପାରିନାହିଁ। ତେଣୁ ତାଙ୍କ ସ୍ଥାନରେ ଦିଲ୍ଲୀର ଯୁବ ୱିକେଟ ରକ୍ଷକ ଋଷଭ ପନ୍ତ୍ ଖେଳିବା ନିଶ୍ଚିତ। ୩୬ ବର୍ଷ ବୟସ୍କ ଋଦ୍ଧିମାନ ତାଙ୍କ ଆନ୍ତର୍ଜାତିକ କ୍ରିକେଟ୍ ଜୀବନର ଅପରାହ୍ଣରେ ଉପନୀତ। ତେଣୁ ପନ୍ତ୍ଙ୍କୁ ଏଣିକି ନିୟମିତ ସୁଯୋଗ ଦେବାକୁ ଭାରତୀୟ ଦଳ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଛି। ସେନା (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ) ଦେଶରେ ଶାହା ଗୋଟିଏ ମଧ୍ୟ ଅର୍ଦ୍ଧଶତକ ହାସଲ କରିନାହାନ୍ତି। ଅନ୍ୟପକ୍ଷରେ ଋଷଭ ପନ୍ତ୍ ଭାରତର ଗତ ଅଷ୍ଟ୍ରେଲିଆ ଗସ୍ତରେ ଶତକ ହାସଲ କରିଥିବା ବେଳେ ଅେଷ୍ଟ୍ରଲିଆ ‘ଏ’ ବିପକ୍ଷ ଅଭ୍ୟାସ ମ୍ୟାଚ୍ରେ ମଧ୍ୟ ବିସ୍ଫୋରକ ଶତକ ମାରିଥିଲେ। ପନ୍ତ୍ ତାଙ୍କ ଫିଟ୍ନେସେର ଉନ୍ନତି କରିଛନ୍ତି ଏବଂ ବ୍ୟାଟିଂରେ ବେପରୁଆ ସଟ୍ ଖେଳିବାର ଅଭ୍ୟାସରେ ମଧ୍ୟ ପରିବର୍ତ୍ତନ କରିଛନ୍ତି।
ଶୁବ୍ମାନ ଗିଲ୍ ମେଲ୍ବୋର୍ଣ୍ଣରେ ଟେଷ୍ଟ ଜୀବନ ଆରମ୍ଭ କରିବା ନିଶ୍ଚିତ। ଟେକ୍ନିକ ଦୃଷ୍ଟିରୁ ଗିଲ୍ ଭଲ ବ୍ୟାଟ୍ସମ୍ୟାନ। ୨ଟି ଅଭ୍ୟାସ ମ୍ୟାଚ୍ରେ ଗିଲ୍ ଭଲ ବ୍ୟାଟିଂ କରିଥିଲେ। ଅନ୍ୟପକ୍ଷରେ ପୃଥ୍ବୀ ସ’ଙ୍କ ବ୍ୟାଟିଂ ଟେକ୍ନିକ, ଧୈର୍ଯ୍ୟ ଓ ମନୋଭାବ ନେଇ ବହୁତ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ଉଭୟ ଅଭ୍ୟାସ ମ୍ୟାଚ୍ରେ ପୃଥ୍ବୀ ବିଫଳ ହୋଇଥିବା ବେଳେ ଆଡିଲେଡ୍ ଟେଷ୍ଟର ଉଭୟ ଇନିଂସରେ ବ୍ୟାଟ୍ ଓ ପ୍ୟାଡ୍ ମଧ୍ୟରେ ବଲ୍ ଯାଇ ପୃଥ୍ବୀ ବୋଲ୍ଡ ହୋଇଥିଲେ। ପୃଥ୍ବୀଙ୍କ ବ୍ୟାଟିଂ ଟେକ୍ନିକକୁ କ୍ରିକେଟ୍ ବିଶେଷଜ୍ଞ ବହୁତ ସମାଲୋଚନା କରିଛନ୍ତି। ଭାରତୀୟ ଦଳର ଷ୍ଟ୍ରାଇକ୍ ବୋଲର ମହମ୍ମଦ ସାମି ଆହତହୋଇ ପୂରା ଟେଷ୍ଟ ସିରିଜ୍ରୁ ବାଦ୍ପଡ଼ିବା ଭାରତୀୟ ଦଳ ପାଇଁ ଶକ୍ତ ଧକ୍କା। ତେଣୁ ମେଲ୍ବୋର୍ଣ୍ଣ ଟେଷ୍ଟରେ ସାମିଙ୍କ ସ୍ଥାନରେ ହାଇଦରାବାଦର ପେସ୍ ବୋଲର ମହମ୍ମଦ ସିରାଜ୍ ଖେଳିପାରନ୍ତି। ଅନ୍ୟ ପେସ୍ ବୋଲର ଭାବେ ନବଦୀପ ସୈନି ଥିଲେ ହେଁ ଉଭୟ ଅଭ୍ୟାସ ମ୍ୟାଚ୍ରେ ଭଲ ବୋଲିଂ କରିଥିବାରୁ ସିରାଜ୍ଙ୍କୁ ଟେଷ୍ଟ କ୍ରିକେଟ୍ ଜୀବନ ଆରମ୍ଭ କରିବାର ସୁଯୋଗ ମିଳିପାରେ। ପ୍ରଥମଶ୍ରେଣୀ କ୍ରିକେଟ୍ରେ ମଧ୍ୟ ସିରାଜ୍ଙ୍କ ରେକର୍ଡ (୩୮ ମ୍ୟାଚ୍ରୁ ୧୫୨ ୱିକେଟ) ସୈନିଙ୍କଠାରୁ ଭଲ।
Comments are closed.