ଉତ୍ତର-ଉପକୂଳରେ ଘୂର୍ଣ୍ଣିବଳୟ

0

ଭୁବନେଶ୍ୱର : ଓଡ଼ିଶାର ଉତ୍ତର-ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସମୁଦ୍ର ପତ୍ତନଠାରୁ ୫.୮ରୁ ୭.୬ କିମି ଉପରେ ରହିଛି। ସେହିପରି ବିହାରର ପୂର୍ବଭାଗ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ଥିବା ଘୂର୍ଣ୍ଣିବଳୟ ୪୮ ଘଣ୍ଟା ଭିତରେ ଲଘୁଚାପର ରୂପ ନେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଏହାର ପ୍ରଭାବରେ ବିଶେଷ ବର୍ଷାର ସମ୍ଭାବନା ନାହିଁ ବୋଲି  ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। ଉତ୍ତର ଉପକୂଳ ସହିତ ପଶ୍ଚିମ ସୀମାନ୍ତ ଜିଲାମାନଙ୍କରେ କେତେକ ସ୍ଥାନରେ ବର୍ଷାର ସମ୍ଭାବନା ରହିଥିବା କୁହାଯାଇଛି।
ରବିବାର ଅପରାହ୍ଣ ୫.୩୦ ସୁଦ୍ଧା ଝାରସୁଗୁଡ଼ାରେ୨୫ ମିମି, ସମ୍ବଲପୁରରେ ୧୯ମିମି, ଫୁଲବାଣୀରେ ୨୬ମିମି ଓ ସୋନପୁରରେ ୧୭ ମିମି ବର୍ଷା ରେକର୍ଡ଼ କରାଯାଇଛି। ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡିରେ ବର୍ଷାର ସମ୍ଭାବନା ରହିଛି। ତେବେ ଏହି ସମୟରେ ବାଲେଶ୍ୱର, ସୁନ୍ଦରଗଡ଼ ଓ ମୟୂରଭଞ୍ଜର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୩୦ ଓ ୩୧ ତାରିଖରେ କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ମୟୂରଭଞ୍ଜ ଜିଲାରେ ବର୍ଷା ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ବୁର୍ଲା, ରେଙ୍ଗାଲି, ବୀରମହାରାଜପୁର, ଅମ୍ବାଭୋନା ଓ ଲହୁଣୀପଡ଼ାରେ ସର୍ବାଧିକ ୩୦ ମିମିରୁ ଅଧିକ ବର୍ଷା ହୋଇଛି।

Leave A Reply