ଓୱେସୀଙ୍କ ଗଡ଼ ଭାଙ୍ଗିବ ବିଜେପି !

ହାଇଦ୍ରାବାଦ: ଗ୍ରେଟର ହାଇଦ୍ରାବାଦ ନଗର ନିଗମ(ଜିଏଚଏମସି) ନିର୍ବାଚନରେ ବିଜେପି ବହୁ ଆସନରେ ବିଜୟୀ ହେବା ସମ୍ଭାବନା ସୃଷ୍ଟି ହୋଇଛି। ନିର୍ବାଚନ ପରେ ଶୁକ୍ରବାର ଭୋଟ ଗଣନା ଚାଲିଛି। ଟିଆରଏସ ଅଧ୍ୟକ୍ଷ କେ.ସି.ଆର. ଏବଂ ଏଆଇଏମଆଇଏମ ଅଧ୍ୟକ୍ଷ ଅସାଉଦ୍ଦିନ ଓୱେସୀଙ୍କ ଗଡ଼ କୁହାଯାଉଥିବା ଏହି କ୍ଷେତ୍ରରେ ବିଜେପି ନିଜର ଆଧିପତ୍ୟ ଜାହିର କରିବ ବୋଲି ଆକଳନ କରାଯାଉଛି।

Image Courtesy: PTI

୧୫୦ ଆସନ ବିଶିଷ୍ଟ ଏହି ନିଗମ ପାଇଁ ହୋଇଥିବା ମତଦାନରେ ସକାଳ ସାଢ଼େ ୧୦ଟା ସୁଦ୍ଧା ବିଜେପି ୭୩ ଆସନରେ ଆଗରେ ରହିଛି। ଅନ୍ୟପଟେ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ୩୨ଟି ଆସନରେ ଆଗୁଆ ରହିଛି। ଅନ୍ୟତମ ପ୍ରମୁଖ ଦଳ ଏଆଇଏମଆଇଏମ ମାତ୍ର ୧୫ ଆସନରେ ଆଗୁଆ ଥିବା ସୂଚନା ମିଳିଛି।

Image Courtesy: ANI

ଚଳିତ ନିର୍ବାଚନରେ ୧୫୦ ଆସନ ପାଇଁ ୧୧୨୨ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ଆଜି ଏମାନଙ୍କ ଭାଗ୍ୟ ପରୀକ୍ଷା ଚାଲିଛି। ନିର୍ବାଚନରେ ମୋଟ ୭୪ ଲକ୍ଷ ୫୭ ହଜାର ୨୫୬ ମତଦାତାଙ୍କ ମଧ୍ୟରୁ ୩୪ ଲକ୍ଷ ୫୦ ହଜାର ୩୩୧ ଜଣ ଭୋଟ ଦେଇଥିଲେ, ଯାହା ୫୦%ରୁ ବି କମ୍‌ ଥିଲା।

ବିଜେପି ଏହି ମହାନଗର ନିଗମକୁ କବ୍‌ଜା କରିବା ଲାଗି ପ୍ରାଣପଣେ ଉଦ୍ୟମ ଚଳାଇଥିଲା। ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ ବଡ଼ ବଡ଼ ନେତା ପ୍ରଚାର କରିଥିଲେ। ଏହା ସତ୍ବେ ଭୋଟ ପ୍ରତିଶତ ୫୦ ପ୍ରତିଶତ ଛୁଇଁ ନ ଥିଲା। ମାତ୍ର ୪୬.୫୫ ପ୍ରତିଶତ ମତଦାନ ହୋଇଥିଲା।

୨୦୧୬ ମହାନଗର ନିଗମ ନିର୍ବାଚନରେ ଏଠାରେ ଟିଆରଏସ ୯୯ ଆସନରେ ବିଜୟୀ ହୋଇଥିଲା। ତେବେ ଏଆଇଏମଆଇଏମ ୪୪ ଆସନରେ ବିଜୟୀ ହୋଇ ୨ୟ ସ୍ଥାନରେ ଥିଲାବେଳେ ବିଜେପିକୁ ମାତ୍ର ୪ଟି ଆସନ ମିଳିଥିଲା। ସେପଟେ କଂଗ୍ରେସ କେବଳ ୨ଟି ଆସନରେ ଜିତି ପାରିଥିଲା। ଚଳିତ ନିର୍ବାଚନରେ ବର୍ତ୍ତମାନ ସୁଦ୍ଧା ଭୋଟ ଗଣତିକୁ ଦୃଷ୍ଟି ଦେଲେ ଏଆଇଏମଆଇଏମ ଏବଂ ଟିଆରଏସକୁ ବିଜେପି ପଛରେ ପକାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Comments are closed.