ଜାନୁଆରୀ ୧୮ରୁ ଖୋଲିବ ଘଟଗାଁ ତାରିଣୀ ମନ୍ଦିର, କୋଭିଡ୍‌ ନିୟମ ପାଳନ କରି ମା’ଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ମା’ ତାରିଣୀ ମନ୍ଦିର ଭିତରକୁ ଭୋଗ, ଧୂପ, ଦୀପ ଓ ପୁଷ୍ପ ଆଦି ନେବାକୁ ବାରଣ

ଭୁବନେଶ୍ଵର: କରୋନା କଟକଣା ପରଠାରୁ ବନ୍ଦ ରହିଥିବା ରାଜ୍ୟର ପ୍ରାୟ ସମସ୍ତ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲି ସାରିଥିବା ବେଳେ  ଜାନୁଆରୀ  ୧୮ ତଥା ଆସନ୍ତାକାଲି(ସୋମବାର)ଠାରୁ ଘଟଗାଁ ସ୍ଥିତ ମା’ ତାରିଣୀ ମନ୍ଦିର ଖୋଲିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ନୂଆ ନିୟମ ଜାରି କରାଯାଇଛି। ସମସ୍ତ କୋଭିଡ ନିୟମ ପାଳନ କରି ମା’ ତାରିଣୀଙ୍କୁ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ। ସକାଳ ସକାଳ ୮ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ସାଢ଼େ ୬ଟା ମଧ୍ୟରେ ସାଧାରଣ ଲୋକେ ମା ତାରିଣୀଙ୍କୁ ଦର୍ଶନ କରିପାରିବେ । ଘଟଗଁା ତାରିଣୀ ମନ୍ଦିରର ୩ନମ୍ବର ଗେଟ ଦେଇ ଶ୍ରଦ୍ଧାଳୁମାନେ ମନ୍ଦିରକୁ ପ୍ରବେଶ କରିବେ ଏବଂ ଦର୍ଶନ ପରେ ୪ନମ୍ବର ଗେଟ ଦେଇ ବାହାରକୁ ବାହାରିବେ। ଯେଉଁମାନେ ଘଟଗଁା ମା’ ତାରିଣୀଙ୍କ ଦର୍ଶନ ପାଇଁ ଆସିବେ ସେମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିବା ବେଳେ ସାନିଟାଇଜ ସହ ମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ । ଏକାଥରେ ୨୫ରୁ ୩୦ ଜଣ ଶ୍ରଦ୍ଧାଳୁଙ୍କୁ ମା’ଙ୍କ ଦର୍ଶନ ପାଇଁ ଅନୁମତି ଦିଆଯିବ। ମା’ ତାରିଣୀ ମନ୍ଦିର ଭିତରକୁ ଭୋଗ, ଧୂପ, ଦୀପ ଓ ପୁଷ୍ପ ଆଦି ନେବାକୁ ବାରଣ କରାଯାଇଛି ବୋଲି ମା’ ତାରିଣୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

କରୋନା ମହାମାରୀ ପାଇଁ ପ୍ରାୟ ଦୀର୍ଘ ୧୦ ମାସ ହେବ କେନ୍ଦୁଝର ଜିଲାର ପ୍ରସିଦ୍ଧ ଦୈବୀପୀଠ ମା’ ତାରିଣୀଙ୍କ ମନ୍ଦିର ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଥିଲା । ଫଳରେ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ ପାଇବାରୁ ବଞ୍ଚିତ ହେଉଥିଲେ। ଏହାସହ ମନ୍ଦିର ବେଢା ହେଉ କି ମନ୍ଦିର ବାହାରେ ଛୋଟ ଛୋଟ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିବା ଲୋକମାନେ ନିଜର ରୋଜଗାର ହରାଇ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଆସନ୍ତା କାଲିଠାରୁ ଘଟଗଁା ମା’ ତାରିଣୀ ମନ୍ଦିର ଖୋଲିବା ନେଇ ସୂଚନା ମିଳିବା ପରେ ଶ୍ରଦ୍ଧାଳୁଙ୍କ ସହ ବ୍ୟବସାୟୀ ମାନେ ଏବେ ଖୁସିବ୍ୟକ୍ତ କରିଛନ୍ତି।

Comments are closed.