ସିଙ୍ଗାପୁରରୁ ନନ୍ଦନକାନନକୁ ଆସିବ ସ୍ୱତନ୍ତ୍ର ଘଡିଆଳ କୁମ୍ଭୀର

ନନ୍ଦନକାନନର ୬୨ ତମ ପ୍ରତିଷ୍ଠା ଦିବସ ପାଳିତ- ଛଅ ବାଘ ଛୁଆଙ୍କର ହେଲା ନାମ କରଣ

ନନ୍ଦନକାନନ – ନନ୍ଦନକାନର ୬୨ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କୋଭିଡ୍‌ କଟକଣା ଅନୁସାରେ ଅଳ୍ପ ସଂଖ୍ୟକ କର୍ମଚାରୀ ଏବଂ ଅଧିକାରୀ ଏହି ଉତ୍ସବରେ ସାମିଲ ହୋଇଥିଲେ । ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିଷ୍ଠା ଦିବସ ପାଳନ ଅବସରରେ ୬ଟି ବାଘ ଛୁଆଙ୍କର ନାମ କରଣ କରାଯାଇଥିଲା। ଚଳିତ ବର୍ଷ ମାର୍ଚ୍ଚ ୨୮ ଓ ଅପ୍ରେଲ ୧୪ରେ ବାଘୁଣୀ ବିଜୟା ଓ ମେଘା ଜନ୍ମ ଦେଇଥିବା ଛଅ ବାଘ ଶାବକଙ୍କ ନାମ କରଣ ପାଇଁ ଅନଲାଇନରେ ନାମ ଦେବା ପାଇଁ ପଶୁପ୍ରେମୀମାନଙ୍କୁ କୁହାଯାଇଥିଲା । ଏହି ଅନୁସାରେ ମେଘାର ତିନି ବାଘ ଛୁଆଙ୍କ ନାମ ସୋହିନୀ,ଅଭୟ,ବିବେକ ଓ ବାଘୁଣୀ ବିଜୟାର ରକି,ବଂଶି,ରାକେଶ ନାମକୁ ଅତିଥିମାନେ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ ।

ପ୍ରାଣୀଉଦ୍ୟାନରୁ ପ୍ରଥମ ଥର ପାଇଁ ଏକ ବଜ୍ରକାପ୍ତା ଦେହରେ ରେଡିଓକଲାର ଲଗାଯାଇ ଖୋଲା ଜଙ୍ଗଲରେ ଛଡାଯାଇଛି।ବାରଙ୍ଗ ମୁଖ୍ୟରାସ୍ତାରୁ ରାଜ୍ୟ ଉଭିଦ ଉଦ୍ୟାନକୁ ନୂତନ ସଂଯୋଗୀକରଣ ରାସ୍ତା ଓ କିଆଖଣି କାଞିଆହ୍ରଦର ପୁନରୁଦ୍ଧାର କରାଯିବା ସହ ପୁରୁଣା ଖୁଆଡ ଗୁଡିକୁ ନବୀକରଣ କରାଯିବ ବୋଲି ଏହି ଅବସରରେ ସୂଚନା ଦିଆଯାଇଛି । ପ୍ରାଣୀଉଦ୍ୟାନକୁ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ସିଙ୍ଗାପୁରରୁ ଘଡିଆଳ କୁମ୍ଭୀର ଓ ନନ୍ଦନକାନନରୁ ବଂଶଲୋପ ପାଇଥିବା ଜୀବଜନ୍ତୁଙ୍କୁ ଶ୍ରୀଲଙ୍କାରୁ ଅଣାଯିବା ପାଇ ଯୋଜନା ଚାଲିଛି । ବନ୍ଦ ହୋଇ ପଡିରହିଥିବା ଶିଶୁରେଳଗାଡି,ରୋପଓ୍ୱେ ଓ ବହୁତଳ ରହଣୀସ୍ଥଳ,ନୂତନ ପ୍ରସ୍ଥାନ ପଥ କାର୍ଯ୍ୟକ୍ଷମ ହେବ ।

ଏହି ଉତ୍ସବରେ ନନ୍ଦନକାନନର ନିର୍ଦେଶକ ଡ.ମନୋଜ ଭି ନାୟରଙ୍କ , ମୁଖ୍ୟ ବନ ସଂରକ୍ଷକ ଏବଂ ବନବାହିନୀ ମୁଖ୍ୟ ଶିଶିର କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.