ବନରକ୍ଷୀ ରହୁନାହାନ୍ତି, ଜଙ୍ଗଲ ସୁରକ୍ଷା କରିବ କିଏ ?

ଘଣ୍ଟାପଡା : ସରକାର ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ବନୀକରଣ  କରୁଛନ୍ତି । ଜଙ୍ଗଲ ବିଭାଗ ତରଫରୁ ମଧ୍ୟ ଯୋରଦାର ଉଦ୍ୟମ କରାଯାଉଛି । ବିଭିନ୍ନ ପଡିଆ ଜମି ଓ ଅବକ୍ଷୟ ଜଙ୍ଗଲରେ ଚାରା ରୋପଣ କରାଯାଉଛି । ଅନ୍ୟପଟେ ଜଙ୍ଗଲ ବିଭାଗର ଅନୁପସ୍ଥିତର ସୁଯୋଗ ନେଇ କାଠ ମାଫିଆ ମାନେ ଜଙ୍ଗଲ କାଟିବାରେ ଲାଗିଛନ୍ତି । କଣ୍ଟାମାଳ ବନାଞ୍ଚଳ ଅନ୍ତର୍ଗତ ଘଣ୍ଟାପଡା ସେକ୍ସନ ଅଧିନ ଉମା ଏବଂ ଗୁଞ୍ଜେରମାଲ ବିଟର ସୁବିଧା ନିମନ୍ତେ ଖୁଣ୍ଟିଗୋରା ହାଟପଦା ଛକଠାରେ ବନରକ୍ଷୀ ବାସଗୃହ ନିର୍ମାଣ ସରିଛି ।
୨୦୨୧ ମସିହା ଜୁଲାଇ ମାସ ୯ ତାରିଖରେ ଏହାର ଉଦଘାଟନ ସରିଛି । କିନ୍ତୁ ଉଦଘାଟନ ହେବାର ଏକ ବର୍ଷ ବିତି ଯାଇଥିଲେ ହେଁ କୌଣସି ବନରକ୍ଷୀ ରହୁନାହାନ୍ତି  । ଏହି ବିଷୟରେ ଘଣ୍ଟାପଡା ବନପାଳ ଚନ୍ଦ୍ରଶେଖର ଦାଶଙ୍କୁ ପଚାରିବାରୁ କିଛି କାମ ବାକି ରହିଛି , ଉଚ୍ଚ ଅଧିକାରୀଙ୍କୁ ଜଣାଇଛୁ । ଶୀଘ୍ର କାମ ହେବ । ସୁରକ୍ଷା ପାଚେରୀ ଓ ପାନୀୟ ଜଳର ବ୍ୟବସ୍ଥା ହେଲାପରେ କର୍ମଚାରୀ ମାନେ ରହିବେ ବୋଲି କହିଛନ୍ତି । ଅନ୍ୟପଟେ ବନ କର୍ମଚାରୀଙ୍କ ଅନୁପସ୍ଥିତର ଫାଇଦା ନେଉଛନ୍ତି କାଠ ମାଫିଆ । ଉମା, ଖୁଣ୍ଟିଗୋରା ରାସ୍ତାଦେଇ ନିକଟସ୍ଥ ଜଙ୍ଗଲ ସମେତ ପଡୋଶୀ ଜିଲ୍ଲା କନ୍ଧମାଳ ଅଞ୍ଚଳରୁ ମଧ୍ୟ ଶାଳ, ପିଆଶାଳ, କେନ୍ଦୁ ଆଦି ମୂଲ୍ୟବାନ କାଠ ବଲାଙ୍ଗୀର, ସୋନପୁର ଆଦି ଜିଲ୍ଲାକୁ ଚୋରା ଚାଲାଣ ହେଉଛି । ବନ କର୍ମଚାରୀ ରହିଲେ କାଠ ଚୋରା ଚାଲାଣ ବନ୍ଦ ହୋଇପାରିବ ବୋଲି ବୃଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Comments are closed.