କଣ୍ଡୁରୀକଟା ନିକଟରେ ଘାଇ, ଚାଷ ଜମିରେ ଲହଡ଼ି ଭାଙ୍ଗୁଛି ପାଣି

ବ୍ରଜରାଜନଗର: ଲଘୁଚାପ ଜନିତ ବର୍ଷା ଯୋଗୁଁ ଚାନ୍ଦନୀମାଲ ପଞ୍ଚାୟତର କେଛୋବାହାଲ ଗ୍ରାମର କଣ୍ଡୁରୀକଟା ନିକଟରେ ବିରାଟ ଘାଇ ସୃଷ୍ଟି ହୋଇଛି। ଫଳରେ ଅନେକ ଚାଷ ଜମିର ଫସଲ ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଗତ ଶୁକ୍ରବାର ଓ ଶନିବାରର ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲାର ବିହାଯୋର ଓ ନୂଆପଡ଼ା ଅଞ୍ଚଳରୁ  ବର୍ଷା ଜଳ କେଛୋବାହାଲ କଣ୍ଡୁରୀକଟାରୁ ମାଡ଼ି ଆସିଥିଲା। ତେବେ କଣ୍ଡୁରୀକଟାରୁ ଉଛୁଳା ବର୍ଷା ଜଳ କେଛେବାହାଲ ଜଳାଶୟକୁ ପ୍ରବାହିତ ହେବା ପରିବର୍ତେ ୧୫ ଫୁଟର ଏକ ଘାଇ ସୃଷ୍ଟି କରି ଲୋକଙ୍କ ଚାଷ ଜମିରେ  ମାଡ଼ି ଯାଇଥିଲା। ଯାହା ଫଳରେ ଅନେକ ଲୋକଙ୍କ ଧାନ ଚାଷ ବ୍ୟାପକ ମାତ୍ରାରେ କ୍ଷୟକ୍ଷତି ହୋଇଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି।

କେତେକ ବ୍ୟକ୍ତି ଘାଇକୁ ବ୍ୟକ୍ତିଗତ ଉଦ୍ୟମରେ ମରାମତି କରିଥିଲେ ହେଲେ ପ୍ରବଳ ବେଗରେ ଜଳ ପ୍ରବାହିତ ହେଉଥିବାରୁ ତାହା ପୁଣି ଭାଙ୍ଗିଯାଇଥିଲା। ଚାନ୍ଦନୀମାଲ ପୂର୍ବତନ ସରପଞ୍ଚ କେଶବ ରୋହିଦାସଙ୍କ କହିବା ଅନୁସାରେ, ଝାରମୁଡ଼ା ଅଂଚଳରେ ଥିବା ତାଙ୍କ ପରିବାରର ଦେଢ ଏକର ଚାଷ ଜମିରେ ଧାନ ଚାଷ କରାଯାଇଥିଲା। ହେଲେ ଘାଇ ସୃଷ୍ଟି ହୋଇଥିବାରୁ ବର୍ଷା ଜଳ ତାଙ୍କ ଜମି ଦେଇ ପ୍ରବାହିତ ହୋଇଥିଲା। ସେହି ପରି ଉପରମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଥିବାରୁ ୪ ଦିନ ଧରି ତାଙ୍କ ଧାନ ଚାଷ ଜମି ଉପରେ ୪-୫ ଫୁଟ ବର୍ଷା ଜଳ ବର୍ତମାନ ସୁଦ୍ଧା ଜମି ରହିଛି। ତେଣୁ ଏଭଳି ଘଟଣା ଯୋଗୁଁ ବ୍ୟାପକ ଭାବେ ଫସଳ ନଷ୍ଟ ହୋଇଥିବା ଶ୍ରୀ ରୋହିଦାସ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଝାରମୁଣ୍ଡା ଅଂଚଳରେ ଥିବା ଅନେକ ଲୋକଙ୍କ ପ୍ରାୟ ୧୦-୧୫ ଏକର ଚାଷ ଜମିରେ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ସେମାନଙ୍କ ମଧ୍ୟ ଧାନ ଫସଲ ବ୍ୟାପକ କ୍ଷୟକ୍ଷତି ହୋଇଥିବା  ଶ୍ରୀ ରୋହିଦାସ ସୂଚନା ପ୍ରଦାନ କରିଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ଶୀଘ୍ର କଣ୍ଡୁରୀକଟା ଘାଇର ମରାମତି କରିବା ସହିତ ଚାଷ କ୍ଷୟକ୍ଷତିର ଆକଳନ କରି ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Comments are closed.