ଆଜି ଜର୍ମାନୀ-ଆର୍ଜେଣ୍ଟିନା ଫାଇନାଲ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା କନିଷ୍ଠ ପୁରୁଷ ହକି ବିଶ୍ବକପ ଦ୍ବାଦଶ ସଂସ୍କରଣର ଫାଇନାଲ ମ୍ୟାଚ ଆଜି ଜର୍ମାନୀ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବ। ଉକ୍ତ ମ୍ୟାଚ ରାତି ୭ଟା୩୦ରେ ଖେଳାଯିବ। ୬ଥର ବିଜେତା ଜର୍ମାନୀ ଚଳିତ ଥର ଅପରାଜୟ ସହ ଫାଇନାଲରେ ପ୍ରବେଶ କରିଛି। ଦଳ ଅଷ୍ଟମ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି। ଅନ୍ୟପକ୍ଷରେ ଦୁଇଥର ବିଜେତା ଆର୍ଜେଣ୍ଟିନା ମଧ୍ୟ ତୃତୀୟ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି। ଉଭୟ ଦଳ ପ୍ରଥମ ଥର ପାଇଁ ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି।

ଜର୍ମାନୀ ଲିଗ୍ ପର୍ଯ୍ୟାୟରେ ପାକିସ୍ତାନ, ଆର୍ଜେଣ୍ଟିନା ଓ ଇଜିପ୍ଟକୁ ପରାସ୍ତ କରିଥିଲା। କ୍ବାର୍ଟର ଫାଇନାଲରେ ଦଳ ସ୍ପେନକୁ ଓ ସେମିଫାଇନାଲରେ ଘରୋଇ ଭାରତକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। କୁଟେର ଖ୍ରୀଷ୍ଟୋଫର, ଅଧିନାୟକ ହନେସ ମୁଲର, ଫିଲିପ୍ସ ହଜ୍ମୁଲର, ଗୋଲରକ୍ଷକ ଆଣ୍ଟୋନ ବ୍ରିକ୍ମ୍ୟାନଙ୍କ ଭଳି ଖେଳାଳି ଭଲ ପ୍ରଦର୍ଶନ କରୁଛନ୍ତି। ମୁଖ୍ୟ ପ୍ରଶିକ୍ଷକ ଜୋହାନସ୍ ସିଜ୍ମିଟ୍ଜ୍ କହିଛନ୍ତି ଯେ, ଦଳ ପ୍ରତିଯୋଗିତାରେ ଦକ୍ଷତା ଅନୁସାରେ ଖେଳ ପ୍ରଦର୍ଶନ କରିଛି। ଅପରାଜୟ ସହ ଫାଇନାଲରେ ପହଞ୍ଚିଛି। ଫାଇନାଲ ପାଇଁ ଆମେ ଉତ୍ସାହିତ ଅଛୁ। ଶ୍ରେଷ୍ଠ ପ୍ରଦର୍ଶନ ବଜାୟ ରଖି ଚମ୍ପିଆନ ହେବା ଆମର ପ୍ରଥମ ଲକ୍ଷ୍ୟ ବୋଲି ଜୋହାନସ୍ କହିଛନ୍ତି। ଲିଗ୍ ପର୍ଯ୍ୟାୟ ମ୍ୟାଚରେ ଆମେ ଆର୍ଜେଣ୍ଟିନାକୁ ପରାସ୍ତ କରିବାରେ ସଫଳ ହୋଇଥିଲୁ। ଏହି ସଫଳତାକୁ ବଜାୟ ରଖିବା ଆମର ଲକ୍ଷ୍ୟ ବୋଲି ଜୋହାନସ୍ କହିଛନ୍ତି।

ଅନ୍ୟପକ୍ଷରେ ଆର୍ଜେଣ୍ଟିନା ଲିଗ୍ ପର୍ଯ୍ୟାୟରେ ଇଜିପ୍ଟ ଓ ପାକିସ୍ତାନକୁ ପରାସ୍ତ କରିଥିବାବେଳେ ଜର୍ମାନୀ ନିକଟରୁ ପରାଜିତ ହୋଇଥିଲା। କ୍ବାର୍ଟର ଫାଇନାଲରେ ଦଳ ନେଦରଲାଣ୍ଡସ୍କୁ ଓ ସେମିଫାଇନାଲରେ ଫ୍ରାନ୍ସକୁ ପରାସ୍ତ କରି ତୃତୀୟ ଥର ପାଇଁ ଫାଇନାଲକୁ ଉନ୍ନୀତ ହୋଇଛି। ଫୁକୁଣ୍ଡୋ ଜରାଟ୍., ଅଗଷ୍ଟିନ ଫ୍ରାନ୍କୋ, କାବାନା ଅଗଷ୍ଟିନ, ଲାଟାରୋ ଡୋମେନ ପ୍ରମୁଖ ଭଲ ପ୍ରଦର୍ଶନ କରୁଛନ୍ତି। ଜର୍ମାନୀ ବିପକ୍ଷ ଫାଇନାଲ ମ୍ୟାଚକୁ ନେଇ ଆର୍ଜେଣ୍ଟିନା ମୁଖ୍ୟ ପ୍ରଶିକ୍ଷକ ଲୁକାସ ରେ କହିଛନ୍ତି ଯେ, ଦଳ ଲିଗ୍ ପର୍ଯ୍ୟାୟରେ ଜର୍ମାନୀ ସହିତ କଡା ସଂଘର୍ଷ କରି ପରାଜିତ ହୋଇଥିଲା। ଉକ୍ତ ପରାଜୟକୁ ଭୁଲି ଆମେ ଏକ ବଡ ମ୍ୟାଚ ଖେଳିବାକୁ ଯାଉଛୁ। ଏଥିପାଇଁ ଦଳର ଖେଳାଳିମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି। ଉଭୟ ଦଳ ଚଳିତ ସଂସ୍କରଣର ଲିଗ୍ ପର୍ଯ୍ୟାୟରେ ପୁଲ-ଡି ରେ ସ୍ଥାନ ପାଇଥିଲେ। ଲିଗ୍ ପର୍ଯ୍ୟାୟ ମ୍ୟାଚରେ ଜର୍ମାନୀ ୩-୨ ଗୋଲରେ ବିଜୟୀ ହୋଇଥିଲା। ଜର୍ମାନୀ ଉକ୍ତ ସଫଳତାକୁ ବଜାୟ ରଖିବା ନେଇ ଉଦ୍ୟମ କରିବାବେଳେ ଆର୍ଜେଣ୍ଟିନା ପ୍ରତିଶୋଧ ସହ ଚମ୍ପିଆନ ହେବାର ଲକ୍ଷ୍ୟ ରଖିଛି।

Comments are closed.