ଭଟକଲ ବିରୋଧରେ ଅଭିଯୋଗ ଫର୍ଦ ଦାଖଲ

ପୁଣେ,୨୯ା୪: ଦୀର୍ଘ ବିଳମ୍ବରେ ଜର୍ମାନ ବେକେରି ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ୟାସିନ ଭଟକଲ ବିରୋଧରେ ଅଭିଯୋଗଫର୍ଦ ଦାଖଲ ହୋଇଛି। ଭଟକଲ ହେଉଛି ଆତଙ୍କବାଦୀ ସଂଗଠନ ଇଣ୍ଡିଆନ୍‌ ମୁଜାହିଦ୍ଦିନ (ଆଇଏମ୍‌)ର ସହପ୍ରତିଷ୍ଠାତା। ସମ୍ପ୍ରତି ସେ ଦିଲ୍ଲୀର ତିହାର ଜେଲ୍‌ରେ ରହିଛି। ୨୦୧୩ ପରେ ପ୍ରଥମ ଥର ପାଇଁ ତାକୁ ସୋମବାର ପୁଣେ ଅଣାଯାଇଥିଲା ଓ ସ୍ଥାନୀୟ ଅତିରିକ୍ତ ସେସନ୍ସ ଜଜ୍‌ଙ୍କ ଅଦାଲତରେ ହାଜର କରାଯାଇଥିଲା। ୨୦୧୦ ଫେବୃଆରୀ ୧୩ରେ କୋରେଗାଓଁ ପାର୍କ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଜର୍ମାନ ବେକେରିରେ ବିସ୍ଫୋରଣ ଘଟି ୧୭ଜଣ ପ୍ରାଣ ହରାଇଥିଲେ ଓ ୫୦ରୁ ଅଧିକ ଆହତ ହୋଇଥିଲେ। ଭଟକଲ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ। ତା’ ମାମଲାର ଶୁଣାଣି ଜୁନ୍‌ ୧୫କୁ ଧାର୍ଯ୍ୟ ହୋଇଛି। ୨୦୧୬ରେ ଏନ୍‌ଆଇଏ ଅଦାଲତ ଅନ୍ୟ ମାମଲାରେ ତାକୁ ଓ ଅନ୍ୟ ୪ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛି।

Comments are closed.